ଜୀବନ ଜଳେ

 

 

 

 

 

 

 

 

 

 

 

ଜୀବନ ଜଳେ

ଯତୀନ୍ଦ୍ର କୁମାର ଦାସ

 

(ଏକ)

 

ବାହାରକୁ ହାତ ଦେଖାଇ ସଚ୍ଚି କହିଲା, ପରି ! ଦେଖିଲଣି ନା, ଏଇ ଦେଖ, ବାହାରେ ସୁନାର ଭୂଇଁ ।

 

ପ୍ରତିମା ଆଖିରେ ନିଦ ଲାଗି ଆସିଥିଲା । ଆଖିପତାକୁ ଦୁଇ ହାତ ପାପୁଲିରେ ମଳି ସେ ବାହାରକୁ ଚାହିଁଲା । ସୂର୍ଯ୍ୟ କିରଣରେ ଧାନ କିଆରୀ ସୁନାର ରଙ୍ଗ ଧରିଛି ।

 

ସଚ୍ଚି କହିଲା, ପରି ! ଏପରି ଭୂଇଁ କେବେ ଦେଖିଛ ! ଏଇ ହେଉଛି ସୁନାର ଭୂଇଁ–ଏଇ ଭୂଇଁରେ ସୁନା ଫଳେ । ଏଇ ଦେଖ, ସୁନା ଫସଲ ହସି ଉଠୁଛି କିପରି ।

 

ପ୍ରତିମା କହିଲା, ପିଲାଦିନେ ଶୁଣିଥିଲି, ଯେଉଁ ଦେଶରେ ଜଗନ୍ନାଥ ଅଛନ୍ତି, ସେଇ ଦେଶ ମାଟିରେ କୁଆଡ଼େ ସୁନା ଫସଲ ହୁଏ–

 

ସଚ୍ଚି ପ୍ରତିମା କଥାରେ କାନ ନ ଦେଇ କହିଁବାରେ ଲାଗିଲା, ହଁ ଏଇ ହେଉଛି ସୁନାର ଭୂଇଁ-ପାରିଲା ଧାନଗୁଡ଼ାକ ଠିକ୍ ଦେଖାଯାଉଚି ସୁନା ପରି । ଯୁଆଡ଼େ ଚାହଁ ସେ ଆଡ଼େ ଖାଲି ଏଇ ସୁନାର କିଆରୀ, ସୁନା ଗଛ, ସୁନା ଫଳ । ଯାହାହେଉ ଆମେ ବଞ୍ଚି ଗଲେ ଏଥର । ଆଉ ଏଣିକି ଭୋକ ଉପାସରେ ରହିବାକୁ ପଡ଼ିବନି ପରି । ଉପାସ ଭୋକରେ ଏତେ ଦିନ ଗଲା, କିନ୍ତୁ ଆଉ ଏଣିକି ନୁହଁ । ଆମର ଭାଗ୍ୟ ଫେରି ଆସିଚି, ଆଉ ଦୁଃଖ କଣ ?

 

ପ୍ରତିମା ଶୋଇଥିବା ଚାରିବର୍ଷର ଝିଅ ସରୋଜକୁ କୋଳକୁ ନେଲା । ଶୀତଦିନ । ଏତିକିବେଳୁ ଶୀତ ଆରମ୍ଭ ହୋଇ ଗଲାଣି । ଘୋଡ଼ି ହେବାକୁ କିଛି ନାହିଁ । ସରୋଜ ପିନ୍ଧିଛି ଖଣ୍ଡେ ଛିଣ୍ଡା ମଇଳା ଫ୍ରକ୍ । ସେଇ ଖଣ୍ଡକ ତାର ସମ୍ବଳ । ଆଉ ତା ଦେହରେ ସାତଛିଣ୍ଡା ମଇଳା ଶାଢ଼ୀ । ସେ ଶାଢ଼ୀ ଖଣ୍ଡକରେ ନାରୀର ଲଜ୍ଜା ବି ଲୁଚାଇ ଯାଇ ପାରେନା । ଦେହର ସବୁ ଅଙ୍ଗକୁ ଘୋଡ଼ାଇ ପାରୁନି ସେ ଶାଢ଼ୀ ।

 

ସଚ୍ଚି ବାହାରକୁ ଅନାଇ ଆସନ୍ତା ଦିନର ସୁଖଛବି କଳ୍ପନା କରିବାରେ ଲାଗିଲା । ମଣିଷ ଜୀବନରେ ସବୁବେଳେ ଦୁଃଖ ନ ଥାଏ । ଦୁଃଖ ପରେ ପୁଣି ସୁଖ ଆସେ । ଆଜି ଏତେ ଦିନପରେ ହୁଏତ ପୁଣି ସୁଖ ଆସିଛି ।

 

ହଠାତ୍ କମ୍ପାଟମେଣ୍ଟରେ କୋଳାହଳ ଲାଗିଗଲା । ସଚ୍ଚି ବାହାରୁ ମୁହଁ ଫେରାଇଲା । ଟି. ଟି. ଆଇ ଆସିଚି ଟିକେଟ ଚେକ୍ କରିବାକୁ । ସଚ୍ଚି ଦୁଇ ପକେଟରେ ହାତ ପୂରାଇଲା । ଗୋଟାଏ ପକେଟ୍ କଣା । ହାତ ପୁରାଇଲେ ପକେଟ ଦେଇ ହାତ ଗଳିଯିବ । ଆଉ ଆର ପକେଟଟା ଟିକିଏ ଭଲ । ସେଥିରେ ପଡ଼ିଛି ଶେଷ ସମ୍ବଳ ଚାରିଣିଟାଏ, ଆଉ ଛ’ ପଇସିକିଆ ଆମେରିକାନ ରବର ପାନିଆ । କାମିଜର ଛାତି ପକେଟଟା ନାହିଁ । ପୁଣି ଦୁଇ ପକେଟରେ ହାତ ପୂରାଇ ଖୋଜିବାରେ ଲାଗିଲା । ତାର ଯେପରି ମନେହେଲା ଦୁଇଟି ପୂରା ଟିକେଟ ଆଉ ଗୋଟାଏ ହାଫ୍ ଟିକେଟ ସେ କେଉଁଠି ରଖିଛି । ନା’ ଟିକେଟତ ନାହିଁ । ତେବେ ସେ କଣ ଟିକେଟ କରିନାହିଁ-? ଟିକେଟ ନ କରିବା ତ ଅପରାଧ ! ଦୋଷ !

 

ଟି. ଟି. ଆଇ ସଚ୍ଚି ନିକଟକୁ ଆସି ମାଗିଲା, ଟିକେଟ୍ ?

 

ସଚ୍ଚି ଅପରାଧୀ ପରି ତଳକୁ ମୁହଁ କରି କହିଲା, ନାହିଁ ।

 

ଟି. ଟି. ଆଇ ଜୋରରେ ପାଟିକଲା, କଣ ? ନାହିଁ ?

 

ସଚ୍ଚି କହିଲା, ନାହିଁ । ଆମେ ଆଶ୍ରୟପ୍ରାର୍ଥୀ–ପଳାତକ ।

 

ଟି. ଟି. ଆଇ. ସଚ୍ଚି, ପ୍ରତିମା ଓ ସରୋଜ ଉପରେ ଆଖି ବୁଲାଇଲା କହିଲା, ହଁ, ତମ ଘର କେଉଁଠି ?

 

ସଚ୍ଚି ସେହିପରି ଭାବରେ ତଳକୁ ଚାହିଁ କହିଲା, ପୂର୍ବ ବଙ୍ଗରେ । ଟି. ଟି. ଆଇ ଟିକିଏ ହସି କହିଲା, ଓ , ପୂର୍ବ ବଙ୍ଗରେ ? ମନ୍ଦ ନୁହେଁ ତ । ଯେତେକ ଟିକେଟଲେସ ଟ୍ରାଭେଲର ସମସ୍ତେ ପୂର୍ବ ବଙ୍ଗରୁ ଆସୁଛନ୍ତି ନିଶ୍ଚୟ । ଟି. ଟି. ଆଇ, ଆଉ ଗଭର୍ଣ୍ଣମେଣ୍ଟକୁ ଫାଙ୍କିବାର ଏ ଗୋଟାଏ ଉପାୟ । ଜାଣ ଟିକେଟ୍ ନ କରି ରେଳରେ ଯିବା କେଡ଼େ ଦୋଷ ? ଆମ ଦେଶର ପୂଜ୍ୟ ନେତାମାନେ କଣ କହିଛନ୍ତି ଜାଣ ? ଶୁଣ, ଯେଉଁମାନେ ଟିକେଟ ନ କରି ରେଳରେ ଯାଆନ୍ତି ସେମାନେ ପାପୀ, ଦେଶ ଦ୍ରୋହୀ, ବିଶ୍ୱାସଘାତକ । ସେମାନେ ଦେଶର ଅନେକ କ୍ଷତି କରନ୍ତି । ସେମାନଙ୍କୁ କ୍ଷମା ଦେବା ଉଚିତ ନୁହେଁ ।

 

ସଚ୍ଚି ଆଗ ପରି ତଳକୁ ଚାହିଁ କହିଲା, କହିଲି ପରା ମୁଁ ଆଶ୍ରୟପାର୍ଥୀ-ଶରଣାର୍ଥୀ, ମୋ ପାଖରେ ଖାଇବାକୁ ବି ପଇସା ନାହିଁ, ଆଉ ଟିକଟ କରିବ କଣ ?

 

ଟି. ଟି. ଆଇ କହିଲା, ତମ ଘର କେଉଁଠି ?

 

ସେ ବିରକ୍ତ ହୋଇ ଉତ୍ତର ଦେଲା, କହିଲି ପରା ପୂର୍ବ ବଙ୍ଗରେ ।

 

ପୂର୍ବବଙ୍ଗରେ ତ ଜାଣିଲି । ତା ଅପେକ୍ଷା କହିଲନି ଭାରତରେ । ତାଠୁ ବରଂ ଭଲହେବ ଯଦି କହିବ ମୋ ଘର ପୃଥିବୀରେ । ଟି. ଟି. ଆଇ ହସି ଉଠିଲା ।

 

ସଚ୍ଚି ତା କଥାରେ କାନ ନ ଦେଇ କହିଲା, ଆମେ ଯେତେବେଳେ ଆଶ୍ରୟପ୍ରାର୍ଥୀ ସେତେବେଳେ ଆମକୁ ଟିକେଟ ନ ମାଗିବା ତମର ଦରକାର, ପୁଣି କାହିଁକି ମାଗୁଛ ? କହିଲି ପରା ମୋ ପାଖରେ ଟଙ୍କା ନାହିଁ ଖାଇବାକୁ ତମ ଟିକଟ ପାଇଁ କୋଉଠୁ ଆଣିବି ?

 

ଟି, ଟି, ଆଇ, ହସି ହସି କହିଲା, କଣ କରିବୁ ଆମେ ? ଆମର ତ ପୁଣି ଗୋଟାଏ କର୍ତ୍ତବ୍ୟ ଅଛି । ତମେ ହୋଇପାର ଶରଣାର୍ଥୀ, କିନ୍ତୁ ସରକାର କଣ ଆମକୁ କହିଛନ୍ତି ଯେତେକ ଶରଣାର୍ଥୀ ସେମାନଙ୍କୁ ଛାଡ଼ି ଦେବ ବୋଲି ?

 

ଚୁପ୍ ରହି ବାହାରକୁ ଅନାଇଲା ସଚ୍ଚି । ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ଯାଉଚି । ଦିଗ୍‍ବଳୟରେ କିଏ ଯେପରି ସୁନେଲି ରଙ୍ଗ ବୋଳି ଦେଇଚି । ଚାରିଆଡ଼େ ସୂର୍ଯ୍ୟର ସେ ରଙ୍ଗୀନ ହସ ବୁଣି ହୋଇ ଯାଇଚି ଯେପରି ।

 

ଟି, ଟି, ଆଇ କହିବାରେ ଲାଗିଲା, ଆଛା କେଉଁଠାରୁ ଆପଣ ଆସୁଛନ୍ତି କହିପାରିବେ କି-?

 

ସଚ୍ଚି ବାହାରକୁ ଅନାଇ ଉତ୍ତର ଦେଲା, ପୂର୍ବ ବଙ୍ଗ ।

 

ଟି, ଟି, ଆଇ ପୁଣି କହିଲା, ହଁ ପୂର୍ବବଙ୍ଗ ତ ବୁଝିଲି, କିନ୍ତୁ ପୂର୍ବ ବଙ୍ଗର କେଉ ସ୍ଥାନ ?

 

ଢାକା......

 

ଟି, ଟି, ଆଇ ପୁଣି ପଚାରିଲା, ସେଠାରେ ଆପଣଙ୍କର ଜମିଦାରୀ ଥିଲା ନା ?

 

ନା.....

 

ତେବେ ଆପଣ କଣ କରୁଥିଲେ ସେଠାରେ ?

 

ସେଠାରେ ଥିଲି ଅଧ୍ୟାପକ ।

 

ଏଁ-ଅଧ୍ୟାପକ ?

 

ହଁ ପ୍ରଫେସର, ମୋ ନାଁ ସଚ୍ଚିଦାନନ୍ଦ ବୋଷ-ଇତିହାସ ଅଧ୍ୟାପକ, ଢାକା ବିଶ୍ୱବିଦ୍ୟାଳୟ-

 

ମିଛ ନୁହେଁ ତ ? ତେବେ ଆଜି ଏ ଅବସ୍ଥା କାହିଁକି ?

 

ସଚ୍ଚି ଚୁପ୍ ରହିଲା । ଟି. ଟି. ଆଇ. ଆଉ ଥରେ ତା ଉପରେ ଦୃଷ୍ଟି ପକାଇ ଚାଲିଗଲା ।

 

ଠିକ୍ ଏଇପରି ଏକ ଦିନରେ ସେ ଭଲ ପାଇଥିଲା କମଳକୁ । କମଳ ସେତେବେଳକୁ ପାଠପଢ଼ା ଛାଡ଼ି ଘରେ ଥିଲା । ଆଉ ସେ ପଢ଼ୁଥିଲା ବି. ଏ. । ସେଦିନ, ଅତୀତରେ ସେଇ ସୃତିମଧୁର ମୁହୁର୍ତ୍ତ ଭିତରୁ ହୁଏତ ଆଜି ମନେ ପଡ଼େନା କିଛି-ଖାଲି ଗୋଟାଏ ଝାପ୍‍ସା ସ୍ମୃତି–ଠିକ୍ ଶିଶୁ ମନରେ ଏ ପୃଥିବୀର ରେଖାପାତ ଯେପରି ଭାବରେ ହୁଏ । କମଳ ଆଜି ସମୟର ଚାପରେ ତାର ଅସ୍ତିତ୍ୱ ହରାଇଛି କି ନାହିଁ କିଏ ଜାଣେ ? ଆଉ ସଚ୍ଚି, ତାର ପ୍ରେମିକ ଆଜି ମୁଠାଏ ଭାତ ପାଇଁ ଚାରିଆଡ଼େ ଘୁରି ବୁଲୁଛି ।

 

ପ୍ରତିମା କୋଳରେ ସରୋଜ କାନ୍ଦି ଉଠିଲା । ସଚ୍ଚି ମୁହଁ ଫେରାଇଲା, ପ୍ରତିମାର କୋଳରେ ଚାରି ବର୍ଷର ଶିଶୁ ସରୋଜ । ଆଖି ଭିତରକୁ ପଶିଯାଇଛି ମୁହଁର ହନୁ ଦେଖା ଯାଉଚି, ବାଳ ପବନରେ ଫୁରୁ ଫୁରୁ ହୋଇ ଉଡ଼ୁଚି । ଛିଣ୍ଡା ଫ୍ରକ୍ ଭିତରୁ ଦେଖାଯାଉଚି ଛାତିର ହାଡ଼ । ପିଲାଦିନେ କି ସୁନ୍ଦର ହୋଇଥିଲା ସରୋଜ ! ଠିକ୍ କେଉଁ ଦେଶର ଅତି ସୁକୁମାରୀ ଅଲିଅଳି ରାଜକୁମାରୀ ପରି ନାଲି ଟୁକୁଟୁକୁ, ସୁନ୍ଦର । ମୁହଁରେ ଦେହରେ ମାଂସ ପୂରି ରହିଥିଲା । ଦେହର ଚମ ଭିତରୁ ରକ୍ତ ଦେଖାଯାଉଥିଲା । ଯିଏ ଦେଖୁଥିଲା ସେ କହୁଥିଲା, ଏତେ ସୁନ୍ଦର ! ଆଜି କାହିଁଗଲା ତାର ସେ ରୂପ ? ତାର ସେ ମାଂସ ?

 

ପ୍ରତିମା କଂପାର୍ଟମେଣ୍ଟର ବେଞ୍ଚକୁ ଆଉଜି ବସିଚି । ପ୍ରଥମେ ଯେତେବେଳେ ପ୍ରତିମା ତା ଘରେ ଗୋଡ଼ ଦେଇଥିଲା, ସେ ଚାହିଁ ପାରି ନଥିଲା । ପୃଥିବୀରେ ଏତେ ସୌନ୍ଦର୍ଯ୍ୟ ପୁଣି ଥାଏ ? ଏତେ ସୁନ୍ଦର କ’ଣ କେହି ହୋଇପାରେ ? ପୂରିଲା ପୂରିଲା ଗାଲ, ଗୋଲ ଗୋଲ ବାହୁ, ଛୋଟ ଛୋଟ ନାଲିଆ ପାଦ ଦୁଇଟି-ଲମ୍ବା ଲମ୍ବା ଭ୍ରୁ-କି ସୁନ୍ଦର ! ଯେଉଁଦିନ ପ୍ରଥମେ ଏଇ ପରି ତାକୁ କଥା କହିଥିଲା, କି ସୁନ୍ଦର ସେଇ କଥା କେଇ ପଦ, କେଡ଼େ କଅଁଳିଆ ! ଆଜି କିଛି ନାହିଁ । ପ୍ରତିମା ଯେପରି ତାର ସବୁ ସୌନ୍ଦର୍ଯ୍ୟ, ସବୁ ରୂପକୁ ଫିଙ୍ଗି ଦେଇ ମୃତ୍ୟୁ ଆଡ଼କୁ ଧାଉଁଚି ! ଗାଲ ଭିତରକୁ ପଶି ଗଲାଣି । ଦେହ ଯାକ ହାଡ଼, ମାଂସ ଟିକିଏ ବି ନାହିଁ । ଏଇ କଣ ତାର ପରି-ଅତି ଆଦରର ପରି ?

 

ସରୋଜ ପାଟି କଲା, ବୋଉ, ଭୋକ । ପ୍ରତିମା ତା ମୁହଁରେ ହାତ ଦେଇ କହିଲା, ମା’ଟି ପରା, ଶୋଇପଡ଼ । କାଲି ରାତି ଯାକ ଶୋଇ ନାହୁଁ, ଆଜି ପୁଣି ରାତି ଅନିଦ୍ରା ହେଲେ ଦେହ ଖରାପ ହେବ, ଶୋଇ ପଡ଼ ।

 

ଏଇ ସମୟରେ ଗାଡ଼ି ଆସି ରହିଲା କେଉଁ ଗୋଟିଏ ଷ୍ଟେସନରେ । ଫେରିବାଲା ଡାକ ଛାଡ଼ିଲେ, ପାକଲା କେଲା, ପୁରୀ ମିଠାଇ ।

 

ସରୋଜ ପୁଣି ଖନେଇ ଖନେଇ ସେ ଆଡ଼କୁ ଚାହିଁ କହିଲା, ବୋଉ, ବାପା, ମିଠେଇ, ପୁରୀ, କଦଳୀ-ମୁଁ ଖାଇବି ।

 

ପ୍ରତିମା ତାକୁ ଭୁଲାଇ ଦେଇ କହିଲା, ନା’ରେ ସେଗୁଡ଼ାକ ଖରାପ, ଖାଇଲେ ପେଟ କଣ ହେବ । କଟକରେ ପହଞ୍ଚିଲେ ଆମେ କେତେ କଣ ଖାଇବା....

 

ସଚ୍ଚି ତଳକୁ ଓହ୍ଳାଇଗଲା । ସେ କାଲି ରାତିରେ ଯାହା କିଛି ଖାଇଥିଲା । ଏତେବେଳଯାଏ କିଛି ଖାଇନି । ପେଟ କ’ଣ ହୋଇ ଯାଉଚି ଭୋକରେ । ତେବେ ଭୋକ ସହି ସହି କେମିତି ଗୋଟାଏ ଅଭ୍ୟାସ ହୋଇଗଲାଣି । ଆଗ ପରି ଆଉ ପେଟ ବଥାଉ ନାହିଁ ନ ଖାଇଲେ । ଏ ଷ୍ଟେସନରେ ଥୋଡ଼ାଏ ପାଣି ପିଇ ନେଲେ ଚଳିବ । କଟକରେ ପହଞ୍ଚୁ ପହଞ୍ଚୁ ଦଶଟା କି ଏଗାରଟା ହୋଇ ଯାଇଥିବ l ପକେଟରେ ଅଛି ସେଇ ଚାରଣା ପଇସା । ମୁଢ଼ି ଚାରାଣର କିଣି ଦେଲେ ତିନି ଜଣଙ୍କର ବେଶ ଚଳିଯିବ ।

 

ପାଣି ପିଇ ସାରିଲା ବେଳକୁ ଗାର୍ଡ଼ ହୁଇସିଲ୍‍ ଦେଇ ସାରିଥିଲା । ଗାଡ଼ି ସେତେବେଳକୁ ଚାଲିବାକୁ ଆରମ୍ଭ କଲାଣି । ସଚ୍ଚି ଦଉଡ଼ି ଦଉଡ଼ି ଆସି କଂପାର୍ଟମେଣ୍ଟ ଉପରକୁ ଚଢ଼ିଗଲା । ପ୍ରତିମା କହିଲା, ତଳକୁ କାହିଁକି ଯାଇଥିଲ ଶୁଣେ ?

 

ସେ ଉତ୍ତର ଦେଲା, ନାଇଁ ଶୋଷ ହେଉଥିଲା ଯେ ଯାଇଥିଲି ପାଣି ପିଇବାକୁ ।

 

ପ୍ରତିମା ଚୁପ୍ ରହିଲା । ଇଚ୍ଛା ହେଉଥିଲା କହିବାକୁ, କଣ ଗଣ୍ଡାଏ ଖାଇ ପାଣି ପିଇଲ ନି-। କିନ୍ତୁ ପାଟିରୁ କଥା ବାହାରିଲା ନାହି । କାରଣ ସେ ଜାଣେ, ପଇସା ସେ କେଉଁଠୁ ପାଇବେ ? ଯାହାଙ୍କର ସୁପରଫାଇନ ଲୁଗା, ଭଲ କାମିଜ ନ ହେଲେ ଚଳୁ ନ ଥିଲା, ଆଜି ସେ ପିନ୍ଧିଛନ୍ତି କ’ଣ-? ଖଣ୍ଡିଏ ଛୋଟିଆ ମଇଳା ଛିଣ୍ଡା ଲୁଗା, ଗୋଟାଏ ଫଟା ହାଫ୍‍ସାର୍ଟ ! ସେ ପୁଣି ଏ ଶୀତ ଦିନରେ ଶୀତ ରଖିବ !

 

ସଚ୍ଚି ବାହାରକୁ ଅନାଇଲା । ଟ୍ରେନର ଗତି ୟା ଭିତରକୁ ବଢ଼ିଯାଇଚି । ଟ୍ରେନଟା ଖୁବ୍ ଜୋରରେ ଛୁଟିଛି । କେଉଁଆଡ଼େ ? କଣ ତାର ଲକ୍ଷ୍ୟ ? ଜାବନଟା ବି ଠିକ୍ ଏଇ ଟ୍ରେନ ପରି ଛୁଟି ଚାଲିଚି କେଉଁ ଅସୀମର ପଥରେ ଅବିଶ୍ରାନ୍ତ ଭାବରେ । ଦୂରର ଆକାଶରେ ଚନ୍ଦ୍ର ଉଠିଛି । ଚତୁର୍ଦ୍ଦିଗରେ ଜ୍ୟୋତ୍ସ୍ନାର ଅପୂର୍ବ ଉଚ୍ଛ୍ୱାସ । ଦୂରର ସବୁ ଜିନିଷ ଖୁବ୍ ସୁନ୍ଦର ହୋଇ ଦେଖା ଯାଉଛି । ଦୂରର ପାହାଡ଼, ଦୂରର ଆକାଶ କି ସୁନ୍ଦର ! ଜ୍ୟୋତ୍ସ୍ନାର ଆବରଣ ଭିତରେ ପୃଥିବୀର ରୁକ୍ଷତା ଲୁଚି ଯାଇଚି କେଉଁ ଆଡ଼େ ।

 

ଦିନେ ପରି ଟିଠି ଦେଇଥିଲା ତା ପାଖକୁ-ଯେତେବେଳେ ଫାଲ୍‍ଗୁନର ମଳୟ ବହେ, ଯେତେବେଳେ କମନୀୟ ଜ୍ୟୋତ୍ସ୍ନା ପୃଥିବୀରେ ଅବତରଣ କରେ, ଯେତେବେଳେ ରାତ୍ରୀ ଆସେ ଧୀର ପଦକ୍ଷେପରେ, ସେତେବେଳେ ମୁଁ ଭାବେ, ତମେ ଆସିଚ, ଆସିଚ ଫାଲ୍‍ଗୁନର ସେ ଚୋରାମଳୟରେ, ଜ୍ୟୋତ୍ସ୍ନାର ସେ କମନୀୟ ବିଳାସ ତଳେ, ଧୀର ପଦକ୍ଷେପରେ । ଆଜି ଯଦି ପ୍ରତିମାକୁ ଚିଠି ଲେଖିବାକୁ ପଡ଼ନ୍ତା, ସେ ହୁଏତ ଲେଖନ୍ତା, ଯେତେବେଳେ ଦାରୁଣ କ୍ଷୁଧାରେ ଆଖିରୁ ଝରିପଡ଼େ ଅଶ୍ରୁ, ଯେତେବେଳେ ଯନ୍ତ୍ରଣାରେ ଶରୀର ଚିତ୍କାର କରି ଉଠେ, ଯେତେବେଳେ ଦୁଃଖ ଆସେ ଧୀର ପଦକ୍ଷେପରେ, ସେତେବେଳେ ମୁଁ ଭାବେ ତମେ ଆସିଚ, ଆସିଚ କ୍ଷୁଧାର ସେ ଅଶ୍ରୁରେ, ଯନ୍ତ୍ରଣାର ସେ ଚିତ୍କାରରେ, ଦୁଃଖର ସେ ଧୀର ପଦକ୍ଷେପରେ ।

 

ଚନ୍ଦ୍ର ! ଏଇ ଚନ୍ଦ୍ର, ଅତୀତର କେତେ ମୁହୂର୍ତ୍ତ ଏଇ ଚନ୍ଦ୍ର ବିଷୟରେ ଭାବି ଭାବି ତାକୁ ଚାହିଁ ଚାହିଁ କଟିଚି । କିନ୍ତୁ ଆଜି ? ଆଜି ହୁଏତ ଚନ୍ଦ୍ରର ମୂଲ୍ୟ କିଛି ନାହିଁ । ଯଦି ଚନ୍ଦ୍ର ଠିକ୍ ସେଇ ଆକାରରେ ବଡ଼ ରୁଟି, କିମ୍ବା ଭାତ ହୋଇଥାନ୍ତା ତେବେ ଚନ୍ଦ୍ରର ମୂଲ୍ୟ ତା ପାଖରେ ନିଶ୍ଚୟ ବହୁତ ହୋଇଥାନ୍ତା ।

 

ଦେହ ଥରି ଉଠୁଚି ଶୀତରେ । ଟ୍ରେନ ଚାଲିଚି । ବାହାରର ଶୀତ ପ୍ରତି ତାର ଭ୍ରୁକ୍ଷେପ ନାହିଁ । ଦୁନିଆର ଭୋକ, ଯନ୍ତ୍ରଣାର ଧମକ ପ୍ରତି ତାର ଭ୍ରୁକ୍ଷେପ ନାହିଁ । ଆଜି ସେ ଯଦି ହୋଇପାରନ୍ତା ଏଇ ଟ୍ରେନ ପରି ।

 

ପେଟ ଭିତରୁ ଉଠୁଚି ଯନ୍ତ୍ରଣା-ଓଃ, କି ଅସହ୍ୟ । ଆଉ କଣ ତାକୁ ତ୍ୟାଗ କରିବାକୁ ହେବ ? ସେ ଦେଇଚି ପ୍ରତିମାର ରକ୍ତ ମାଂସ, ସରୋଜର ରକ୍ତମାଂସ, ଧନ ସଂପଦ, ସବୁ । ଆଉ କଣ ଦେଲେ ଏ ଯନ୍ତ୍ରଣା ଯିବ ! ଏ ଭୋକ, ଏ ଅଭାବ ଯିବ ? ଦୁଇବର୍ଷ ତଳେ । ଢାକାର ସେ କଣକୁ ଦୁଇମହଲା କୋଠା । ସେଇ କୋଠାଟି ହସୁଥିଲା ଦିନରାତି । ବୋଉ, ବାପା, ପ୍ରତିମା, ସରୋଜକୁ ନେଇ ସତେ ଯେପରି ସେଠି ଭୂସ୍ୱର୍ଗ ତୋଳା ହୋଇଥିଲା । ସୁଖରେ ଦିନ କଟି ଯାଉଥିଲା ।

 

ହଠାତ୍ ଦିନେ ରାତିରେ ପ୍ରତିମା ହଲାଇ ଦେଇ କହିଲା, ଶୁଣୁଚ ?

 

ଆଖିରେ ହାତ ମଳି ସେ ଉଠିଲା । ପଚାରିଲା, କଣ ?

 

ପ୍ରତିମା କହିଲା, ଶୁଭୁନାଇଁ ?

 

ହଁ’ତ କଣ ଶୁଣାଯାଉଚି । ସେ ତଳକୁ ଓହ୍ଳାଇ ଗଲା । ଦଳେ ଲୋକ କବାଟ ଭାଙ୍ଗି ଭିତରକୁ ପଶିଆସିଲେ । ତର ତର ହୋଇ ସେ ଉପରକୁ ଉଠିଆସିଲା । ସରୋଜ ପ୍ରତିମାକୁ ଧରି ପଶିଗଲା ଘର ପଛ ପଟେ ଥିବା ଛୋଟ ବଖରାଟିରେ ଯେଉଁଠି ରହୁଥିଲା କାଠ । ତାପରେ ଠିକ୍ ମନେ ପଡ଼େନା । କିନ୍ତୁ ସେଇ ରାତି ଠାରୁ ଆରମ୍ଭ ହେଲା ତାର ଦୁଃଖର ଦିନ । ବାପ ମା’ଙ୍କର ରକ୍ତାକ୍ତ ଦେହ ସେ ଦେଖିଛି, ନିଜ ଆଖିରେ ସେ ଦେଖିଚି ତାର ସାନଭାଇର କଟାମୁଣ୍ଡ, ପ୍ରତିମା ପ୍ରତି ହେଇଥିବା ଅତ୍ୟାଚାର ସେ ଦେଖିଛି । ସବୁ ଦେଖିଛି । ଜଲୀର, ଆଉ ଗୁଲସନ ତାର ପ୍ରିୟ ଛାତ୍ର । ସେ ଦିନ ରାତିରେ ସେ ଯେତେବେଳେ ଟର୍ଚ୍ଚ ପକାଇଦିଏ-ଜଲୀଲ ଆଉ ଗୁଲ୍‍ସନ୍‍ଙ୍କ ଆଖିରେ ଆଗର ସେଇ ସରଳତା କେଉଁ ଆଡେ ଉଭେଇ ଯାଇଛି ଯେପରି l ଜଲୀଲ ଆଉ ଗୁଲସନ ସେ ବର୍ଷ ଇତିହାସ ଅନର୍ସରେ କିପରି ଫାଷ୍ଟ ହେବେ ସେଥିପାଇଁ ସେ ଚେଷ୍ଟା କରୁଥିଲା । ଆଉ ତାର ପ୍ରତିଦାନ କଣ ଏୟା ? ଜଲୀଲ ଆଉ ଗୁଲ୍‍ସନ୍‍ଙ୍କ ଆଖିରେ ସେ ଯେଉଁ ହିଂସ୍ର ଚାହାଣୀ ଦେଖିଥିଲା ପ୍ରଥମେ ସେ ଦିନ, ଆଜି ଆଖି ଆଗରୁ ଲିଭିନାହିଁ ସେ ଚାହାଣୀ ! ଓଃ, କି ଭୀଷଣ !

 

ସେମାନଙ୍କର କି ଅପରାଧ କରିଥିଲା ସେ ? ସେତ ଠିକ୍ ତାଙ୍କରି ପରି ମଣିଷ । ମଣିଷ କଣ ମଣିଷର ଶତ୍ରୁ ହୋଇ ପାରେ ? ସେ ଦିନ ସେଇ ମୁହୂର୍ତ୍ତରେ ତାକୁ ଯେପରି କିଏ କହିଥିଲା, ହଁ ମଣିଷ ହେଉଚି ମଣିଷର ସବୁଠାରୁ ବଡ଼ ଶତ୍ରୁ ।

 

ସେ ଦିନ ତାର ସୁଖର ସଂସାର ଶେଷ ହୋଇ ଗଲା । ଆଦରର ମା’ ବାପ ଭାଇ କେଉଁଆଡେ ଗଲେ ? ଆଜିବି ସେ ବିଶ୍ୱାସ କରିପାରେନି ସେମାନେ ମରିଛନ୍ତି ବୋଲି । ସମୟ ବହିନେଇ ଯାଇଚି ସେମାନଙ୍କୁ କେଉଁ ଦୂର ଦୂରାନ୍ତକୁ । ଆଉ କେତେ ଦିନ ପରେ ଐତିହାସିକମାନେ ଲେଖିବେ ଇତିହାସ-ପୂର୍ବବଙ୍ଗରେ ସାଂପ୍ରଦାୟିକ ଗଣ୍ଡଗୋଳ ଲାଗିଥିଲା । ସେଥିରେ ବହୁତ ଲୋକ ମରିଥିଲେ । ବହୁତ ଧନୀ କାଙ୍ଗାଳ ହୋଇ ଯାଇଥିଲେ । ବହୁତ ଜମିଦାର ନିଃସ୍ୱ ହୋଇ ଯାଇଥିଲେ । କିନ୍ତୁ ଇତିହାସ କଣ କହିବ-ପ୍ରଫେସର ସଚ୍ଚି ବୋଷ କଥା ? ସେ ଇତିହାସରୁ କଣ ମିଳିବ, କିପରି ସଚ୍ଚି ବୋଷର ପରିବାର ଏଇ ସାଂପ୍ରଦାୟିକ ଗଣ୍ଡଗୋଳରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛନ୍ତି ବୋଲି ? ନା, ହୁଏତ । ଇତିହାସ ଦିନେ ଥିଲା ରାଜା ଓ ଧନୀ ସଂପ୍ରଦାୟର ଇତିହାସ । ଆଜି ଭାରତ ସ୍ୱାଧୀନତା ଲାଭ କଲା ପରେ ସେ ଇତିହାସ ହୋଇଯାଇଛି ଗଣର ଇତିହାସ, ଗଣତନ୍ତ୍ରର ଇତିହାସ; ଅତୀତର ରାଜତନ୍ତ୍ରର ଇତିହାସ ନୁହେଁ, ଅତୀତର ସାମ୍ରାଜ୍ୟତନ୍ତ୍ରର ଇତିହାସ ନୁହେଁ । କିନ୍ତୁ ଆଜିର ଗଣ କିଏ ? ସଚ୍ଚି ବୋଷ ହୁଏତ ସେ ଗଣ ନୁହେ-ସେ ଗଣ ଭିତରେ ନାହିଁ–ସେ ଗଣ ବାହାରେ ସିଏ ।

 

ସଚ୍ଚି ବୋଷର ବାପା, ମା, ଭାଇ ସବୁ ଆଜି ଇତିହାସରେ ପରିଣତ ହୋଇ ଯାଇଛନ୍ତି ସମୂହ ଭାବରେ । ଇତିହାସରେ ହୁଏତ ସେମାନେ ରହିବେ । କିନ୍ତୁ ଇତିହାସର ସେ ଗର୍ଭରୁ ସେମାନଙ୍କୁ କଣ ବାହାର କରାଯାଇ ପାରିବ ? ହୁଏତ ନୁହେଁ । ଆଜି ଗଣତନ୍ତ୍ର ଯୁଗରେ ୟାଙ୍କର ସ୍ଥାନ ନାହିଁ । ଅସଂଖ୍ୟ ଗଣ ପାଇଁ ଜଣେ ସବୁ ସ୍ୱାର୍ଥତ୍ୟାଗ କରିବାକୁ ହୁଏତ ବାଧ୍ୟ ।

 

ସେ ତ ଲେଖି ପାରନ୍ତା ଏକ ଇତିହାସ-ଯେଉଁ ଇତିହାସରେ ରହନ୍ତା କିପରି ତାର ପରିବାର ଦିନେ ଅକସ୍ମାତ ଧ୍ୱଂସ ପାଇଯାଇଚି, କିପରି କରୁଣ ଭାବରେ ରାଜନୀତି ପାଇଁ । ସେ ଇତିହାସର ପ୍ରତ୍ୟେକ ପୃଷ୍ଠାକୁ ଲେଖନ୍ତା ନିଜର ବୁକୁ ରକ୍ତରେ, ସେ ରକ୍ତରେ ସେ ଲେଖନ୍ତା ଆଜିକାଲିର ଗଣତନ୍ତ୍ର ଯୁଗ କଥା ନୁହେଁ-ଏହି ଗଣତନ୍ତ୍ର ଭିତରେ ଯେଉଁ ବିକୃତ ରାଜନୀତି, ବିକୃତ ନେତୃତ୍ୱ ମୁଣ୍ଡ ଟେକି ଉଠିଚି ତାରି ବିଷୟରେ । ସେ ଲେଖନ୍ତା ଇତିହାସ ପୃଷ୍ଠା ପରେ ପୃଷ୍ଠା, ଜଣେ ଅନେକଙ୍କ ପାଇଁ ପ୍ରାଣ ଦେବାର କି ଆବଶ୍ୟକତା ଅଛି ? ଜଣେ ଯଦି ଶହେଜଣଙ୍କ ପାଇଁ ଆତ୍ମ ତ୍ୟାଗ କରେ, ନିଜର ସୁଖ ସ୍ୱାଚ୍ଛନ୍ଦ୍ୟରେ ବଳି ଦିଏ ତେବେ ତାର ଲାଭ କେଉଁଠି ? ହୋଇପାରେ ଆଉ ଶହେ ଜଣ ବଞ୍ଚିବେ, ହୋଇପାରେ ଆହୁରି ହଜାରେ ଜଣ ଏ ପୃଥିବୀରେ ଆଉ କେତେଦିନ ପାଇଁ ସୁବିଧାରେ ବଞ୍ଚି ରହି ପାରିବେ, କିନ୍ତୁ ତାର ? ତାର କଣ ହେଲା ?

 

ଆଜି ଗଣତନ୍ତ୍ରର ଏ ଯୁଗରେ ଏକକୁ ବଳି ଦିଆ ହେଉଚି । ସଚ୍ଚି ଚାହିଁଲା ଆକାଶକୁ । ଆକାଶରେ ଚନ୍ଦ୍ର ହସୁଚି । ଆଜି ଯଦି ଗଣତନ୍ତ୍ର ଦରବାରରେ ଏହି ଚନ୍ଦ୍ରର ବିଚାର ହୁଏ, ହୁଏତ ବିଚରା ଫାଶୀ ପାଇବ । ଅତୀତରେ କେତେ ବେକାର ସମସ୍ୟା ସୃଷ୍ଟି କରିଚି ଏହି ଚନ୍ଦ୍ର । ଏହି ଚନ୍ଦ୍ର କିରଣ, ଏହି ଜ୍ୟୋତ୍ସ୍ନା ରାତି କଥା ଭାବି ଭାବି ଅନେକଙ୍କ ମୁଣ୍ଡରେ ଜାଗିଛି ଭଲ ପାଇବାର ନିଶା, କବିତା ଲେଖିବାର ମୋହ...ଏହିପରି ଅସଂଖ୍ୟ ମୂଲ୍ୟହୀନ ଖିଆଲ । ଏଇ ଚନ୍ଦ୍ରକୁ ସେମାନେ ନ ଦେଖିଥିଲେ ହୁଏ ତ ସେମାନେ ସମଗ୍ର ଜାତିର ମଙ୍ଗଳ ପାଇଁ ଉତ୍ପାଦନ ଆହୁରି କରିଥାନ୍ତେ ଯାହା ଦରକାରୀ, ଜାତି ପାଇଁ ଉପକାରୀ-ସେପରି ଜିନିଷର ଉତ୍ପାଦନ ହୁଏତ ବଢ଼ିଥାନ୍ତା । କିନ୍ତୁ ଏଇ ଚନ୍ଦ୍ର ପାଇଁ, ହୋଇଚି, କଣ ? ଥୋଡ଼ାଏ ବାଜେ କବିତା ଲେଖା, ବାଜେ କେତେଟା ନାରୀଙ୍କ ପାଇଁ ପ୍ରେମ ନିଶା ! ସମୟ ନଷ୍ଟ, ତା ସଙ୍ଗେ ସଙ୍ଗେ କାର୍ଯ୍ୟ ଓ ଶକ୍ତି ବି ନଷ୍ଟ । କେତେଗୁଡ଼ାଏ ଲୋକଙ୍କ ଶକ୍ତିରୁ ଜାତିକୁ ବଞ୍ଚିତ କରିବା କଣ କମ ଅପରାଧ ? ଚନ୍ଦ୍ର ନିଶ୍ଚୟ ଏତେବଡ଼ ଗୁରୁତର ଅପରାଧ ପାଇଁ ଫାଶୀ ପାଆନ୍ତା ।

 

ରାତ୍ରିର ନିସ୍ତବ୍‍ଧତା ଭେଦ କରି ଟ୍ରେନ୍ ଚାଲିଛି । ସେ ହୁଏତ ଏଇ ଗଣତନ୍ତ୍ରକୁ ଭୟ କରୁଚି । କାରଣ ଏଇ ଜ୍ୟୋତ୍ସ୍ନା ରାତ୍ରି ଉପଭୋଗ କରୁ ଥିବାରୁ ଡେରି ହୋଇଚି ବୋଲି ଜାଣିଲେ ହୁଏତ ଗଣତନ୍ତ୍ର ତାକୁ ଫାଶୀ ଦେଇଦେବ !

 

ହଁ, ସେ ଇତିହାସ ଲେଖିବ, ଇତିହାସ, ଲେଖିବ କିପରି ସୁନ୍ଦରୀ ପ୍ରତିମା ତାର ସମସ୍ତ ସୌନ୍ଦର୍ଯ୍ୟକୁ ଫିଙ୍ଗି ମୃତ୍ୟୁ ଆଡ଼େ ଧାଇଁଛି, ଶିଶୁ ସରୋଜ ତାର ସ୍ୱର୍ଗୀୟ ସରଳତା ଛାଡ଼ି, ‘ଭୋକ’ ‘ଭୋକ’ ବୋଲି ଚିତ୍କାର କରୁଚି ଆଉ ପ୍ରଫେସର ସଚ୍ଚି ବୋଷ ଇତିହାସ ଗବେଷଣା ଛାଡ଼ି ନିଜକୁ ହଜାଇ ଦେଇଚି ଭାତର ଅନ୍ୱେଷଣରେ ।

 

ଏ ଇତିହାସର କଣ କିଛି ମୂଲ୍ୟ ନାହିଁ ? ଗଣତନ୍ତ୍ର କଣ ଏ ଇତିହାସକୁ ଆବର୍ଜନା ବୋଲି ଫିଙ୍ଗି ଦେବ ? ଆଜିର ଏ ଗଣତନ୍ତ୍ର ଯୁଗରେ ଗୋଟିଏ ଆଶ୍ରୟପ୍ରାର୍ଥୀ ବଂଶର ଇତିହାସ କଣ ଗଣତନ୍ତ୍ରର ଇତିହାସ ନୁହେଁ ? ହୁଏତ ନୁହେଁ ।

 

ପ୍ରତିମା ଡାକିଲା । କହିଲା, ଏଇ ଆଗ ଷ୍ଟେସନରୁ ମୁଢ଼ି କିଛି କିଣି ନବ ।

 

ସଚ୍ଚି କହିଲା, ମୁଢ଼ି କଣ ଏତେ ରାତିରେ ମିଳିବ ? ଦେଖେ ଯଦି ମିଳିବ ତ କିଣି ନବା ।

 

ଆଗ ଷ୍ଟେସନରୁ ତିନିଅଣାର ମୁଢ଼ି କିଣିଲା ସଚ୍ଚି । ଖୁବ୍ ଦରକାରରେ ଆସିଲା ଏ ତିନିଅଣା । ବାକୀ ରହିଲା ଆଣାଏ ।

Image

 

(ଦୁଇ)

 

ସକାଳୁ ପ୍ରଥମେ ନିଦ ଭାଙ୍ଗିଲା ସଚ୍ଚିର । ନିଦ ବି ଭାଙ୍ଗି ନ ଥାନ୍ତା ଏତେ ଶୀଘ୍ର, ଯଦି ଉପରୁ ତା ଉପରେ ପାଣି ପଡ଼ି ନ ଥାନ୍ତା । ବାରଣ୍ଡାରୁ ତଳକୁ ଓହ୍ଳେଇ ଉପରକୁ ଚାହିଁଲା । ଉପର ମହଲାର ବାରଣ୍ଡାରେ ତାର ଜାଲି ଦିଆ ହୋଇଛି । ସେଇ ତାରଜାଲିର ଗୋଟାଏ ଜାଗାରେ କଣା ହୋଇଚି । ସେଇ କଣା ବାଟେ କିଏ ପାଣି ଫିଙ୍ଗି ଦେଲା କି କଣ ! ପ୍ରତିମା ଆଉ ସରୋଜକୁ ଉଠାଇବ କି ନ ଉଠାଇବ ଭାବୁଚି, ପ୍ରତିମା ଉପରେ ଉପରୁ ଧୂଳି ଆଉ ପରିବା ଚୋପା ଥୋଡ଼ାଏ ଆସି ପଡ଼ିଲା । ସେ ଆଉ ଥରେ ଉପରକୁ ଚାହିଁଲା । ଉପର ମହଲାର ବାହାରୁ ଗୋଟିଏ ମୋଟା ସ୍ତ୍ରୀର ହାତ ଲୁଚି ଯାଉଚି । ପ୍ରତିମାକୁ ଉଠାଇଲା । ପ୍ରତିମା କହିଲା, ଇସ୍ ଏ ଧୂଳିଗୁଡ଼ାକ କେଉଁଠୁ ଆସି ପଡ଼ିଲା ?
 

ସଚ୍ଚି କହିଲା, ଚୁପ୍ ଚୁପ୍, ବଡ଼ ଲୋକ, ପାଟି ଫିଟେଇବାର ଜୁ ନାହିଁ । ଦେଖିଲ ମୋ ଉପରେ କିପରି ମଇଳା ପାଣି ପଡ଼ିଚି !

 

ପ୍ରତିମା କହିଲା, ସକାଳଟାରୁ ଏଡ଼େ ଶୀତରେ ଏଇ ପାଣି ! ସରୋଜକୁ ତଳୁ ଉଠାଇ ଆଣିଲା । ତଳେ ଖଣ୍ଡେ ଛିଣ୍ଡା ଅଖା ପରା ହୋଇଥିଲା । ସେଇଟାକୁ ପ୍ରତିମା ଗୋଟାଇ ଆଣିଲା । ସଚ୍ଚି ଚାଲିଲା ଆଗରେ, ତା ପଛରେ ପ୍ରତିମା । ସେ ଯାଇ ଗୋଟିଏ ପାଣିକଳ ଆଗରେ ସରୋଜକୁ କାଖରୁ ତଳକୁ ଓହ୍ଳାଇ ଦେଲା । ପାଣିକଳ ଫିଟାଇ ପେଟେ ପାଣି ପିଇଲା । ପ୍ରତିମା କହିଲା, ମୁଁ ବି ଟୋପାଏ ପାଣି ପିଇବି–ଭାରି ଶୋଷ ହେଉଚି ।

 

ସଚ୍ଚି ହସିଲା । କହିଲା, ହଁ ପରି, ଶୀତ ଦିନ ସକାଳେ ତ ଭାରି ଶୋଷ ହୁଏ ! ପ୍ରତିମା ଚୁପ୍ ରହି ପାଣି ପିଇବାକୁ ଲାଗିଲା ।

 

ଏଇ ସମୟରେ ସରୋଜ କହିଲା, ବାପା, ଭାରି ଶୀତ ହେଉଛି–

 

ସଚ୍ଚି ଛିଣ୍ଡା ଅଖାଟା ତଳୁ ଗୋଟାଇ ସରୋଜ ଦେହରେ ଗୁଡ଼ାଇ ଦେଇ ମୁହଁ ପାଖଟା ତା ଦି ହାତରେ ଧରାଇ ଦେଲା ।

 

ହେ, ଉଠୁତ ସେଠୁ, ମୁଁ ଗାଧୋଇବି,

 

ସଚ୍ଚି ଅନେଇଲା । ଟୁଥ୍ ବ୍ରସରେ ଦାନ୍ତ ଘଷି ଘଷି ଜଣେ ବାବୁ ତାରି ଆଡ଼କୁ ଅନାଇ କହୁଛନ୍ତି । ବାବୁଙ୍କ ଦି ହାତରେ ଆଙ୍ଗୁଳିରେ ତିନିଟା କି ଚାରିଟା ସୁନାମୁଦି ଦେଖାଯାଉଥାଏ । ପ୍ରତିମା ତାଙ୍କ ପାଟି ଶୁଣି ପାଣିକଳ ପାଖରୁ ଚାଲିଆସିଲା । ପୁଣି ସଚ୍ଚି ଚାଲିଲା । ଆଗରେ ପ୍ରତିମା, ତା ପଛରେ ତା ହାତ ଧରି ଚାଲିଲା ସରୋଜ ।

 

ଏତେବେଳେ ଯାଏ ସୂର୍ଯ୍ୟକିରଣ ପଡ଼ିନାହିଁ । ଦେହ ଶୀତରେ ଥର ଉଠୁଛି । କାନ, ବେକ, ହାତ ଗୋଡ଼ ଥଣ୍ଡାରେ ଜଡ଼ ହୋଇ ଆସୁଚି ।

 

ସକାଳ ଟ୍ରେନ ପାଇଁ ଟାଉନ୍ ବସ୍‍ଟା ଖୁବ୍ ଜୋରରେ ଚାଲିଗଲା ।

 

ଦିନ ପ୍ରାୟ ନଅଟା ହେବ ।

 

ସଚ୍ଚି ରାସ୍ତାରେ ଯାଉଥିବା ଜଣେ ଲୋକକୁ ପଚାରିଲା-ଆଛା, ଏଠି ଧର୍ମଶାଳା କେଉଁଠି ଅଛି ? ଲୋକଟି ପ୍ରଥମେ ଚାହିଁଲା ତା ଆଡ଼େ, ତାପରେ କିଛି ନ ବୁଝିଲା ପରି ଆଗକୁ ଚାଲିଗଲା । ସଚ୍ଚି ପୁଣି ଆଉ ଗୋଟିଏ ଲୋକକୁ ପଚାରିଲା, ଭାଇ, ଧର୍ମଶାଳା କେଉଁଠି କହିପାରିବ ? ଲୋକଟି ହଠାତ୍ ରହିଯାଇ କହିଲା, ତମ ଘର କେଉଁଠି ? ସେ ସେ କଥାକୁ ନ ଶୁଣି ପୁଣି ପଚାରିଲା, ଧର୍ମଶାଳା-ଧର୍ମଶାଳା କହିପାରିବେ ?

 

ଭିକାରୀଙ୍କର ପୁଣି ଧର୍ମଶାଳା ଦରକାର ହେଲାଣି । ଏତକ କହି ଲୋକଟି ଚାଲିଗଲା । ଶେଷରେ ଗୋଟାଏ ଭିକାରୀଠାରୁ ଧର୍ମଶାଳାର ସନ୍ଧାନ ମିଳିଲା । ସେ ଚାଲିଲା ଧର୍ମଶାଳା ଉଦ୍ଦେଶ୍ୟରେ । ଧର୍ମଶାଳାରେ ପହଂଚି ମ୍ୟାନେଜରକୁ ଇଂରେଜୀରେ ପଚାରିଲା, ଜାଗା ମିଳିବ ? ମ୍ୟାନେଜର ତା ଆଡ଼କୁ ଚାହିଁ ପୁଣି ମୁହଁ ଫେରାଇନେଲା । ସେ ଆଉଥରେ ପଚାରିଲା, କଣ ଜାଗା ମିଳିବ ? ମ୍ୟାନେଜର ଉତ୍ତର ଦେଲା, ହଁ, କିନ୍ତୁ ଦିନକୁ ଦଶ ପଇସା, ଲାଇଟଚାର୍ଜ ଦଶପଇସା ।

ଦଶ ପଇସା କାହିଁ ? ପକେଟରେ ପଡ଼ିଛି ଅଣିଟିଏ । ଆଉ କିଛି ପଇସା ହେଲେ ଆଜି ଦିନକର ଖାଇବା ଅନ୍ତତଃ ଚଳିଯାଆନ୍ତା । ହଉ ଦେଖାଯାଉ ରାତିତ ପୁଣି ଅଛି । ଆଉଥରେ ପଚାରିଲା, ଯିଏ ରାତିରେ ନ ରହିବ ? ମ୍ୟାନେଜର ଏଇ କଥାରେ ରାଗି ଗଲାକି କଣ । ତା ଆଡ଼କୁ ଚାହିଁ କହିଲା, କାହାପାଇଁ ପଚାରୁଚୁ ?

ମୋ ପାଇଁ ।

ମ୍ୟାନେଜର ହସି ଦେଇ କହିଲା, ଏଠି ଯାତ୍ରୀମାନେ ରହନ୍ତି, ଭିକାରୀମାନେ ରହନ୍ତି ନାହିଁ । କାହା ବାରଣ୍ଡା ଦେଖିବ ଯାଅ ।

ଓଃ, ବାବୁ ଶୁଣ, ମୁଁ ପୂର୍ବ ବଙ୍ଗରୁ ଆସିଚି, ମୁଁ ଆଶ୍ରୟ ପ୍ରାର୍ଥୀ-ମାନେ ମୋର କିଛି ନାହିଁ....ଏଠିକି ପଳେଇ ଆସିଚି । ସରକାରଙ୍କଠାରୁ କଣ ସାହାଯ୍ୟ ମିଳିପାରେ…

ଜଣେ ଯାତ୍ରୀ ଏଇ ସମୟରେ ପଶି ଆସି କହିଲା, ଗୋଟାଏ ରୁମ ଦରକାର ଉପର ମହଲାରେ, ମିଳିବ ?

ମ୍ୟାନେଜର ବାବୁ ହସି ହସି କହିଲେ, ମିଳିବ ।

ସଚ୍ଚି ଧର୍ମଶାଳାର ପାହାଚ ଦେଇ ଓହ୍ଳେଇ ଆସିଲା ତଳକୁ । ପ୍ରତିମା ସରୋଜକୁ କାଖରେ ଧରି ତାକୁ ଅପେକ୍ଷା କରୁଥିଲା । ସଚ୍ଚି କହିଲା, ଜାଣିଲ ପରି, ଏଠି ବି ଆମର ସ୍ଥାନ ନାହିଁ... । ଅନେକ ଦିନ ପରେ ଆଖିରୁ ତାର ଦୁଇ ବିନ୍ଦୁ ଲୁହ ଗଡ଼ି ପଡ଼ିଲା । ମଇଳା କାମିଜରେ ଆଖି ପୋଛି ଦେଇ ସେ ଚାଲିଲା । କାଲି ରାତିରେ ଦିଟା ମୁଢ଼ି ସେ ଖାଇଥିଲା । ପ୍ରତିମା ଆଉ ସରୋଜ ବି ସେୟା । ମୋଟେ ତିନି ଅଣାର ମୁଢ଼ି, ଆଉ ଖାଇବାକୁ ତିନିଜଣ ।

ଗୋଟାଏ ଭିକାରୀ ଜଣକ ଦୁଆରେ ଠିଆ ହୋଇ ମାଗୁଥାଏ, ହେ ବାବୁ ଭିକ ଗଣ୍ଡାଏ ଦିଅ । ସେ ଯଦି ଅଳ୍ପ ପାଠ ପଢ଼ିଥାନ୍ତା କି ମୂର୍ଖ ହୋଇଥାନ୍ତା, ତେବେ କି ଆନନ୍ଦରେ ସେ ଭିକ ମାଗି ପାରୁଥାନ୍ତା । କିନ୍ତୁ ଏତେ ଭୋକ ଉପାସ, ଅଭାବରେ ରହି କରି ମଧ୍ୟ ଭିତରର ସେ ଅହଙ୍କାର ଆଜିଯାଏ ଯେପରି ଯାଇନାହିଁ । କେଉଁଥିପାଇଁ ତାର ଏ ଅହଙ୍କାର ? କେଉଁଥିପାଇଁ ତାର ଏ ଗର୍ବ ?

 

ସେ ନିଜେ କେଉଁ ଦିନ ସିନା ଇତିହାସ ଲେଖୁଥିଲା, କିନ୍ତୁ ଆଜି ସେ ଇତିହାସ ସୃଷ୍ଟି କରି ଚାଲିଛି । ଏ ଇତିହାସ ତିଆରି ଚାଲିଥିବ ହୁଏତ ତାର ମୃତ୍ୟୁ ଯାଏ ।

 

ସରୋଜ ଏଇ ସମୟରେ କାନ୍ଦଣା ଆରମ୍ଭ କରି ଦେଲା ଖାଇବା ପାଇଁ । ପ୍ରତିମା ତାକୁ ତଳେ କଚି ଦେଇ କହିଲା, ଖା, ଖା, ମତେ ଖା ।

 

ସଚ୍ଚି ସରୋଜର ହାତ ଧରି ଆଗକୁ ଚାଲିବାକୁ ଲାଗିଲା ।

 

ଜୀବନ, ଏପରି ଜୀବନରେ ଲାଭ କଣ ? ଯେଉଁ ଜୀବନରେ ବଂଚିବାର ସ୍ୱାଦ ମିଳେନା, ଯେଉଁ ଜୀବନରେ ବଂଚିବାର ସ୍ୱାର୍ଥକତା ଉପଲବ୍ଧ କରି ହୁଏନା, ସେ ଜୀବନ ନଥିବା ସଙ୍ଗେ ସମାନ-

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠି ଆସିଲାଣି । ଶୀତ ଦିନର ଖରା । ତଥାପି ଖରାରେ ଠିଆ ହେଲେ ମୁଣ୍ଡ ବୁଲାଇ ଦେଉଛି । ଆଉ ଛାଇକୁ ଆସିଲେ ଶୀତ ।

 

ସହର ବାହାରକୁ ଚାଲି, ଚାଲି ଆସିଛନ୍ତି ସେମାନେ । ନାଲି ରାସ୍ତା ପ୍ରାୟ ନିର୍ଜନ । ଗୋଟିଏ ଗଛ ମୂଳେ ପ୍ରତିମା ଆଉ ସରୋଜ ବସିଲେ । ପ୍ରତିମା କହିଲା, କୁଆଡ଼େ ଯାଉଛ ଶୁଣେ-?

 

ସଚ୍ଚି କହିଲା, ଯାଉଚି ଅସୀକର ପଥରେ...ସେ କିଛି ଆଗକୁ ଯାଇ ପଛକୁ ଚାହିଁଲା, ପ୍ରତିମା ଆଉ ସରୋଜ ଗୋଟିଏ ଗଛମୂଳେ ବସି ଯାଇଛନ୍ତି । ଶୁଣି ପଛକୁ ଫେରିଲା ସେମାନଙ୍କ ପାଖକୁ ଆସିବା ପାଇଁ । ସରୋଜକୁ ପ୍ରତିମା ଅଖା ଖଣ୍ଡିକ ପକେଇ ଦେଇ ଗଛମୂଳେ ଶୁଆଇ ଦେଇଚି ।

 

ସେ ପ୍ରତିମା ଆଗକୁ ଆସି କହିଲା, କେବେ ଭାବି ଥିଲ ପରି ଏପରି ସମୟ ଆସିବ ବୋଲି ? କେବେ କଲ୍ପନା କରିଥିଲ ତମ ଆଦରର ଝିଅ ସରୋଜ ଖଣ୍ଡେ ଛିଣ୍ଡା ଅଖା ଉପରେ ଶୀତରେ କାକରରେ ଏମିତି ଫୁଙ୍ଗା ହୋଇ ଗଛ ମୂଳେ ପଡ଼ିବ ବୋଲି ? ହୁଏତ କାହିଁକି, ନିଶ୍ଚୟ ନୁହେଁ । ଏଇଠିତ ରହିଚି ଜାବନର ଆଶ୍ଚର୍ଯ୍ୟ । ମଣିଷ ଯାହା ଭାବି ନ ଥାଏ, ତା ଜୀବନରେ ତାହା ଘଟେ, ଆଉ ଯାହା ଭାବିଥାଏ ଘଟିବ ବୋଲି, ତାହା କେଉଁ ଆଡ଼େ ଉଭାଇ ଯାଏ । ପ୍ରତିମା ଦୂରକୁ ଅନାଇ କଣ ଭାବୁଥିଲା ବୋଧହୁଏ । ସେ କିଛି ଉତ୍ତର ଦେଲାନି । ସଚ୍ଚି କହିବାରେ ଲାଗିଲା-ପରି, ତମେ ଏତେ ଭାବ କଣ ? ହଁ, ମୁଁ କଣ ବୁଝୁନି ଆମର କେତେ ଦୁଃଖ ହୋଇଚି, ତଥାପି ଭାବିଲେ କଣ ଆଉ ଦୁଃଖ ଚାଲିଯିବ ? ତାଠାରୁ ବରଂ ହସ, ଖେଳ, ଆନନ୍ଦ କର । ହେଇ ମୋ ଆଡ଼କୁ ଅନାଇଲ ମୁଁ କିପରି ହସୁଚି ହାଃ-ହାଃ-ହାଃ....

 

ପ୍ରତିମା ତଥାପି ଚୁପ ରହି ରାସ୍ତା ଆରପାଖେ ଥିବା ଧାନକ୍ଷେତ ଆଡ଼େ ଚାହିଁଥାଏ । ଦୁଃଖ-ଜୀବନରେ ଦୁଃଖକୁ ଭାବି ବସିଲେ ଦୁଃଖ ବଢ଼େ । କିନ୍ତୁ ଦୁଃଖ ଯେତେବେଳେ ଦେହର ସବୁ ଅଙ୍ଗରେ ମନରେ ଚିନ୍ତାରେ ଭାବରେ ସବୁଠାରେ ରହିଚି ସେତେବେଳେ ତାକୁ ଭୁଲି ହେବ କିପରି-? ସେ ନିଜେ ତ ଭୁଲିପାରିନି ଦୁଃଖକୁ ଆଉ କହୁଚି ପ୍ରତିମାକୁ ଭୁଲିଯିବାକୁ ।

 

ଏଇ ସମୟରେ ଜଣେ ଲୋକ ସାଇକେଲରେ ସେଇ ବାଟେ ଯାଉ ଯାଉ ପ୍ରତିମା ଉପରେ ତାର ଦୃଷ୍ଚି ପଡ଼ିଗଲା । ସାଇକେଲରୁ ଓହ୍ଳାଇ ଲୋକଟି ସଚ୍ଚି ପାଖକୁ ଆସି କହିଲା, ଆଛା, ଦବୁଏ ଲୋକଟାକୁ ? ପ୍ରତିମା ଆଡ଼େ ହାତ ଦେଖେଇଲା ।

 

ସଚ୍ଚି କହିଲା, ଦେବି ଯେ, କଣ କରିବୁ ତାକୁ ନେଇ ? ବୁଢ଼ୀଟେ ।

 

ଲୋକଟି ହସିଲା । ତା କାନରେ ଚୁପ ଚୁପ କରି କହିଲା, ନାଇ ଖାଇବାକୁ ନ ପାଇ ସେମିତି ହେଇ ଯାଇଚିନା, ଖାଇବାକୁ ପାଇଲେ ବେଶ ବାଗେଇ ଯିବ ଯେ । ବେଶ କାମକରି ପାରିବ ସେ । ଦବୁ ? ଚାକରାଣୀ ଗୋଟାଏ ଦରକାର ଥିଲା....

 

ସଚ୍ଚି ପଚାରିଲା, ଆଚ୍ଛା ଛୁଆକୁ ନବୁନା ?

 

ଲୋକଟି ହସି ହସି କହିଲା, ମା’କୁ ଯେତେବେଳେ ନେବି ଆଉ ଛୁଆକୁ ନେବିନାହିଁ ?

 

ମତେ କଣ ଦବୁ ?

 

ଲୋକଟି ଗଛମୂଳେ ସାଇକେଲଟା ଆଉଯାଇ ଦେଇ ସଚ୍ଚି ପାଖକୁ ଆସି କହିଲା, କେତେ ନେଲେ ଦବୁ ? ସଚ୍ଚି ଚୁପ ରହିଲା । ଲୋକଟା ପକେଟରୁ ପାଞ୍ଚଟଙ୍କା ବାହାର କର ଦେଖାଇଲା ମୋ ପାଖରେ ତ ରେଜା ନାହିଁ-ଏ ପାଞ୍ଚଟଙ୍କିଆ ନୋଟ ଖଣ୍ଡିକ ଅଛି ।

 

ସଚ୍ଚି ଖେଁ ଖେଁ ହୋଇ ହସି ଉଠିଲା । ଗୋଟାଏ ମଣିଷ ଆଉ ଗୋଟାଏ ଛୁଆର ଦାମ ପାଞ୍ଚ ଟଙ୍କାବି ନୁହେଁ, ହାଃ-ହାଃ-ହାଃ.....

 

ଲୋକଟା ତାର ହସରେ ଟିକିଏ ରାଗିଗଲା, ନାଇଁ ଆଉ କେତେ ହବ ? ସେ କଣ ତୋର କି ? କେଉଁଠୁ ଶିଖେଇ ଆଣିଚୁ । ତାକୁ ଖାଇବାକୁ ଦେଇ ପାରୁନୁ ଯେ ତାର ଅବସ୍ଥା କଣ ହେଲାଣି ଦେଖିଲ । ଆହା–ହା, ଚୁ, ଚୁ; କାହା ଘରୁ ଆସିଚି.....

 

ସଚ୍ଚି ହସି ହସି କହିଲା, ଭାରିତ ସହାନୁଭୂତି ତମର । ପର ଦୁଃଖରେ ତମ ଆଖିରୁ ଲୁହ ଗଡ଼ି ଆସୁଚି ! କାହିଁ ମୋ ଆଖିରୁ ତ ଲୁହ ଗଡ଼ୁନାହିଁ ? ମୁଁ ତ ସବୁ ଦିନେ ୟାକୁ ଦେଖୁଚି, ତଥାପି କାହିଁକି କାନ୍ଦ ମାଡ଼ୁ ନାହିଁ ତ !

 

ଲୋକ ଜଣକ କହିଲା, ତୁ ପାପୀ, ତୁ ମୂର୍ଖ ତୁ କୁଆଡ଼ୁ ଅନ୍ୟକୁ ଦୟା କରିବୁ ! ତୁ କାଠ ତୁ ପାପୀ, ତୁ ମୂର୍ଖ !

 

ସଚ୍ଚି କହିଲା, ଓଃ ତମେ ଭାରି ଦୟା-ବନ୍ତ ନା । ସେଇଥି ପାଇଁ ତାର ଦୁଃଖ ଦେଖିସହି ପାରୁନା ପରା । କାହିଁକି, ମୋର କଣ ଅବସ୍ଥା ଖରାପ ନୁହେଁ ? ମତେ କାହିଁକି ଦୟା ଦେଖେଇଲେ ନାହିଁ ? ଆଛା ଯାଅ, ଆଜି ଦିନଟା ଯାଉ, କାଲି ନେଇଯିବ–ମୁଁ ତ ଏଇଠି ଥିବି, ଯାଅ ।

 

ଲୋକଟି କହିଲା–ହ, ଏଇଠି ଥିବୁ, ମୁଁ କାଲି ଆସି ସୁବିଧା କରି ନେଇଯିବି, ସେଇତ ଛଣ୍ଡିଲା ! ଲୋକଟି ସାଇକେଲରେ ଉଠି ଚାଲି ଯାଉଥିଲା, ସେ ତାକୁ ପଛରୁ ଡାକି କହିଲା–ହୋ ଭାଇ, ଶୁଣିଯାଅ । ଲୋକଟି ପୁଣି ସଚ୍ଚି ପାଖକୁ ଆସିଲା ।

 

ସଚ୍ଚି କହିଲା, ଚାରଣା ପଇସା ଦେଇଥିବ କି ? ଲୋକଟି ସଙ୍ଗେ ସଙ୍ଗେ ପକେଟରୁ ଚାରଣା ପଇସା ବାହାର କରି ହାତକୁ ବଢ଼ାଇଦେଲା ।

 

ବିଡ଼ି ଫିଡ଼ି ଅଛି କି ? ଖଣ୍ଡେ ଦେଲ ।

 

ଲୋକଟି ତା ହାତରେ ବିଡ଼ି ଖଣ୍ଡେ ଦେଲା । ବିଡ଼ି ଖଣ୍ଡକରେ ନିଆଁ ଧରିଲା । ଲୋକଟି ସାଇକେଲରେ ଚାଲିଗଲା ।

 

ଚାହିଁଲା ପ୍ରତିମା ଆଡ଼େ । ପ୍ରତିମା ପୂର୍ବପରି ବସି ରହିଚି ଗଛ ମୂଳେ । ଏହା ଭିତରେ କାହିଁ ସେହି ଯୌବନ ?

 

ପଞ୍ଝାଏ ଭିକାରୀ କଥାବାର୍ତ୍ତା ହୋଇ ଯାଉଥିଲେ । କେଉଁଠି ଗୋଟିଏ ଭୋଜି ହେଉଚି । ସେ ପ୍ରତିମାର ହାତ ଧରି ଉଠାଇଦେଲା । ପ୍ରତିମା ସରୋଜକୁ କାଖ କଲା । ସେମାନେ ଚାଲିଲେ ସେହି ଭିକାରୀ ପଛେ ପଛେ । ସେମାନେ ତ ଭିକାରୀ ! ଭିକାରୀ ଆଉ ସେମାନଙ୍କ ଭିତରେ ପ୍ରଭେଦ କଣ ?

 

ଶେଷରେ ଯାଇଁ ପହଞ୍ଚିଲେ ଗୋଟାଏ ତିନି ମାହଲା କୋଠା ଆଗରେ । ଘର ଆଗରେ ଥୁଆହୋଇଚି କେତେପ୍ରକାର ମଟର ଗାଡ଼ି । କୁଆଡ଼େ ଜଣେ ବିଖ୍ୟାତ ନେତାଙ୍କୁ ଚା ଭୋଜୀ ଦିଆ ହେଉଚି । ଚା ଭୋଜି ଦେଉଛନ୍ତି ସେଠ କିଶନଦୟାଲ ଇନ୍ଦର ଚାନ୍ଦ ! ସେ ଘର ଉପରକୁ ଚାହିଁଲା, କୋଠା ବଢ଼ି ବଢ଼ି ଚାଲିଚି । ଆକାଶ ଚିରି ବଢ଼ି ଚାଲିଥିବ ଆଉ କେତେ ଦିନ ଯାଏ କିଏ ଜାଣେ ? ଏ ବଢ଼ିବାର ହୁଏତ ଶେଷ ନାହିଁ ।

 

ଉପରୁ ଭାସିଆସୁଚି ମାଂସ ଝୋଳର ଗନ୍ଧ । ଆଉ ସବୁ କେତେ ସୁସ୍ୱାଦୁ ଖାଇବା ଜିନିଷର ଗନ୍ଧ । ଏ ଗନ୍ଧ ଭୋକ ବଢ଼ାଇ ଦେଲା ଯେମିତି । ମଟରକୁ ଘେରି ତଳେ ଠିଆ ହୋଇଛନ୍ତି ଭିକାରୀ ସବୁ । ସତେ ଯେପରି ତାଙ୍କର ସେଇ ବିଖ୍ୟାତ ନେତା ଶେଷରେ ତାଙ୍କ ହାତରେ ଦେଇଦେବେ କିଛି ତାଙ୍କ ଖାଇବା ଜିନିଷରୁ ! ଉପର ମହଲାର ବାରଣ୍ଡାକୁ ନେତା ଆଉ ଅନ୍ୟାନ୍ୟମାନେ ଖାଇସାରି ହାତ ଧୋଇବା ପାଇଁ ଆସିଲେ । ରୂପା ଟବରୁ ସୁନା ପାତ୍ରରେ ପାଣି ନେଇ ସାବୁନରେ ହାତ ଧୋଇଲେ । ତା’ର କିଛି ସମୟ ପରେ ଜଣ ଜଣ ହୋଇ ତଳକୁ ଖସିଲେ । ଜଣକ ବେକରେ ଥୋଡ଼ାଏ ଫୁଲ ମାଳ ପଡ଼ିଥାଏ । ସେ ଜଣକ ବୋଧହୁଏ ଆଜିର ଅତିଥି । ମଟର ଗୁଡ଼ାକ ଗୋଟି ଗୋଟି ହୋଇ ଚାଲିଗଲେ । ଭିକାରୀ ଦଳ ନିରାଶ ହୋଇ ଗୋଟିକ ପଛରେ ଗୋଟିଏ ଫେରିଲେ । ପ୍ରତିମାର ପଣତକୁ ଭିଡ଼ି ଦେଇ ସଚ୍ଚି କହିଲା, ଦେଖୁଚ କଣ ? ସେମାନେ ଗଣ, ସେମାନଙ୍କର ଯୁଗ-ଆମେ ତ ଗଣ ନୁହଁ, ଆମର ତ ଯୁଗ ନୁହେଁ–

 

ତାପରେ ଗୋଟିଏ ଗୋଟିଏ ହୋଇ ରାସ୍ତାରେ ଆସିଲେ ସେମାନେ । ରାସ୍ତା କଡ଼ର ଗୋଟାଏ ବରା ଗୁଲୁଗୁଲା ଦୋକାନରୁ ଚାରଣର ବରା ଆଣିଲା ସଚ୍ଚି । ନିଜ ପାଇଁ ଛ’ଟା ରଖି ବାକି ଦଶଟା ପ୍ରତିମା ହାତକୁ ବଢ଼ାଇ ଦେଲା । ପ୍ରତିମା ପଚାରିଲା, ପଇସା ତ ନଥିଲା, ପଇସା କେଉଠୁ ଆଣିଲ ? ସେ କିଛି ଉତ୍ତର ନ ଦେଇ ଖାଇବାକୁ ଲାଗିଲା । ପ୍ରତିମା ଆଉଥରେ ପଚାରିଲା, ଗୋଟାଏ କଥା କହିଲେ ତମକୁ ଶୁଭେ ନାହିଁକି ? ପଚାରୁଛି ପରା ପଇସା, କେଉଁଠୁ ଆଣିଲ ?

 

ପଇସା, ପଇସା ମୁଁ ଆକାଶରୁ ଆଣିଲି । ମୁଁ ଯୋଉଠୁ ଆଣିଲି, ସେଥିରୁ ତମେ କଣ ପାଇବ ?

 

ସଚ୍ଚି ବରା ଖାଉ ଖାଉ ଭାବିଲା, ଯଦି ସେ ଲୋକକୁ ଆଜି ମିଛ କହି ନ ଥାନ୍ତା ହୁଏତ ଏତକ ମିଳି ନ ଥାନ୍ତା । ବଞ୍ଚିବା ପାଇଁ ଯଦି ମିଛକୁ ପ୍ରୟୋଗ କରାଯାଏ ତେବେ କ୍ଷତି କଣ ? କାଲି ହୁଏତ ସେ ଲୋକଟା ସେ ଗଛ ମୂଳ ଆସି ଖୋଜିବ, ନ ପାଇଲେ ଅଭିଶାପ ଦେଇ ଚାଲିଯିବ । ଯାଉ, କ୍ଷତି କଣ ? କେତେଟା ପ୍ରାଣୀ ଅନ୍ତତଃ ଗୋଟାଏ ଓଳି ବଞ୍ଚିଗଲେ ତ ?

 

ପ୍ରତିମା କହିଲା, ଆଛା ଏ ରାତିଓଳି କେଉଁଠି ରହିବାର ବନ୍ଦୋବସ୍ତ କରୁଚ ? ସଚ୍ଚି କହିଲା, ବନ୍ଦୋବସ୍ତ ଆଉ କଣ ? ଏମିତି କୋଉ ବାରଣ୍ଡାରେ ପଡ଼ିଯିବା । ମୁଣ୍ଡ ହଲାଇ ପ୍ରତିମା କହିଲା, ଓଃ କାଲି ଯୋଉ ଶୀତ ପିଲାଟା ଏ ଶୀତରେ ଆଉ ବଞ୍ଚିବ ? ନା, ଆଜି କେଉଁଠି ଦେଖ ।

ସଚ୍ଚି ଗୋଟାଏ ପାର୍କ ଦେଖି ତା ଭିତରକୁ ପଶିଗଲା । ପ୍ରତିମା ତା ପଛେ ପଛେ । ଗୋଟାଏ ବେଞ୍ଚ ଉପରେ ବସିଲା । ଚାରିଆଡ଼କୁ ଅନାଇଲା । ଚାରିଆଡ଼େ ଆକାଶକୁ ଛୁଇଁଚି ମଣିଷ ଗଢ଼ା ଘର । ମଣିଷର ପ୍ରକୃତି ବିରୁଦ୍ଧରେ ଅଭିଯାନ ଚାଲିଚି । ଦିନକୁ ଦିନ ତାର ବିଜୟ ଚାଲିଚି । ଆଉ ପ୍ରକୃତିର ବି ସେଇ ଅନୁପାତରେ ପରାଜୟ ଚାଲିଛି । କିନ୍ତୁ ମନୁଷ୍ୟର ଏଇ ଆଦିମ, ଅତି ପୁରାତନ ସମସ୍ୟା, ସଙ୍ଘର୍ଷ ପ୍ରକୃତି ବିରୁଦ୍ଧରେ–ଏଇ ଭୋକ ବିରୁଦ୍ଧରେ ତାହା ଆଜିଯାଏ କଣ ସମାଧାନ ହେଲା ? ପ୍ରକୃତି ବିରୁଦ୍ଧରେ ମଣିଷ ଏଇ ଅତି ପୁରାତନ ସଂଗ୍ରାମରେ ହୁଏତ ହାରି ଯାଇଚି । ପଶ୍ଚିମ ଆକାଶରେ, ମଣିଷ ତିଆରି ପ୍ରାସାଦର ଆରପାଖେ ସୂର୍ଯ୍ୟ ଅସ୍ତ ଯାଉଚି । ପଶ୍ଚିମ ଆକାଶର କେଉଁ ଅଞ୍ଚଳରେ ହୁଏ ତ ମଣିଷ ଆଉ ପ୍ରକୃତିର ରକ୍ତାକ୍ତ ସଂଗ୍ରାମ ଚାଲିଚି । ବହୁତ ଦିନ ପରେ ସଚ୍ଚିର ଗୀତ ବୋଲିବା ପାଇଁ ଇଚ୍ଛା ହେଲା । କି ଗୀତ ସେ ବୋଲିବ ? ପ୍ରେମ ଗୀତ ? ତାଠାରୁ ବରଂ ଯଦି କାହାର ପ୍ରଶଂସା ଗୀତ ଗାଇ ପାରନ୍ତା, ହୁଏତ ସେ କିଛି ଟଙ୍କା ଦିଅନ୍ତା–ଆଉ କେତେଦିନ ହୁଏ ତ ଚଳି ଯାଇ ହୁଅନ୍ତା ନିର୍ଭୟରେ ।

ଥରେ ଦୁଇଥର କାଶି, ସେ ଆରମ୍ଭ କଲା–

ଯଦି ଦୁଆରେ ଆସିଲ କମନୀୟ

ଆଖି ଲୋତକ ଗଲା ଯେ ଛୁଇଁ

ଆଜି ଭିତରେ ବାହାରେ ମୋର

ଭୋକ, ତମରେ ପାଇଛି ମୁହିଁ

ଶିରାରେ ଛୁଟଇ ଯେବେ ରକତ ସୁଅ

ଶୁଣେ ତାହାରି ମଧ୍ୟେ ନିଶ୍ୱାସ ନିଅ

ତମେ ଆସିଚ ଆସିଚ ବାନ୍ଦର ହେ

ମୁହିଁ ମରିଚି ପରଶ ପାଇ....

 

ଗୀତ ବୋଲି ସାରିଲା ସଚ୍ଚି । ହଠାତ୍ ପଛରୁ ଜଣେ କିଏ କହିଲା,…ବାଃ, ବେଶ୍ ତ ଗାଇପାରେ । ସେ ଅନାଇଲା । ଆଧୁନିକ ଶିକ୍ଷିତ ଯୁବକ ପରି ଜଣା ଯାଉଚି । ତାକୁ ଡାକି କହିଲା, ଏଇ ବେଞ୍ଚରେ ବସନ୍ତୁ । ଯୁବକଟି ଟିକିଏ କେମିତି ସଙ୍କୋଚ ବୋଧକଲା ପରି ଲାଗିଲା । ସେ କହିଲା, ଓଃ ବୁଝିଲି ଗୋଟାଏ ଭିକାରୀ ସଙ୍ଗେ ବସିବାକୁ ପୁଣି ଏକା ବେଞ୍ଚରେ ଖରାପ ଲାଗୁଚି ନା-? ଯୁବକଟି ଏଥର ବିନା ବାକ୍ୟ ବ୍ୟୟରେ ସେଇ ବେଞ୍ଚରେ ଗୋଟାଏ କଣକୁ ବସି ପଡ଼ିଲା ।

 

ସଚ୍ଚି କହିଲା, ଗୀତଟା ଆପଣଙ୍କୁ ବେଶ୍ ଭଲ ଲାଗିଲା, -ନୁହେଁ ?

 

ନିଶ୍ଚୟ, ତମର କଣ୍ଠ ତ ବେଶ ଭଲ ଅଛି । କିଏ ଏଇ ଗୀତଟା ଶିଖେଇ ଥିଲା ?

 

ସେ କହିଲା, କହିଲା, ନାଇ ମନକୁ ଶିଖିଥିଲି ।

 

ବୁଝିଲି, କିନ୍ତୁ ଏ ଗୀତଟା ପାଇଲ କେଉଁଠୁ ?

 

ମୁଁ ଏ ଗୀତଟା କରିଚି ବୋଲି ବିଶ୍ୱାସ ହେଉନାହିଁ, ନୁହେଁ ?

 

ଯୁବକଟି ଯେମିତି ବିଶ୍ୱାସ କଲା ନାହିଁ । ସନ୍ଦେହ ଆଖିରେ ଅନେଇଲା ସେ ତାକୁ । କିଛି ସମୟ ପରେ ପଚାରିଲା, ତମ ଘର କେଉଁଠି ?

 

ମୋର ଘର ? ମୋ ଘର କହି ସାରିବା ପରେ ପଚାରିବ ନାଁ କଣ, କଣ ପାଶ କରିଚି ଏଠିକି କାହିଁକି ଆସିଚି, ନୁହେଁ ? ମୁଁ ତ ଜଣେ ମଣିଷ, ଜଣେ ଭାରତୀୟ ମଧ୍ୟ । ଦରକାର କଣ ଜାଣିବାରେ ନାଁ ଗାଁ ପରିଚୟ ? ଭାରତୀୟ କହିଲେ କଣ ଯଥେଷ୍ଟ ନୁହେଁ ? ଶୁଣ, ମୁଁ, ଏଇ ପାଖରେ ବସିଚି ମୋର ସ୍ତ୍ରୀ, ଆଉ ମୋର ଝିଅ । ଆମର ଦୁଃଖ ଦେଖି ତମ ମନରେ କଣ ସହାନୁଭୂତି ଆସୁ ନାହିଁ ? ଆମେ ଗରିବ–ଖାଇବାକୁ ପାଉ ନାହୁଁ, ଏ କଥା ଶୁଣି କରି ମଧ୍ୟ ତମ ମନରେ ଦୟା ଆସୁ ନାହିଁ ? ଯଦି ମୁଁ କହନ୍ତି ମୁଁ ଓଡ଼ିଆ ତାପରେ ଆପଣ ଯଦି ବ୍ରାହ୍ମଣ ହୋଇଥାନ୍ତି, ମୁଁ ଯଦି କହେ ବ୍ରାହ୍ମଣ, ତେବେ ଆପଣ ହୁଏତ ଦୟା କରିବେ ।

 

ଯୁବକଟି କହିଲା, ନା ମୁଁ ଜାଣିବାକୁ ଚାହେଁ ତମେ କେଉଁଠୁ ଆସିଚ । କଥାବାର୍ତ୍ତାରୁ ଜଣାପଡ଼େ ତମେ ବଙ୍ଗାଳୀ ବୋଧହୁଏ ପୂର୍ବବଙ୍ଗରୁ ଆସିଚ ?

 

ସଚ୍ଚି କହିଲା, କେମିତି ଜାଣିଲ ?

 

ଜାଣିଲି କଥାବାର୍ତ୍ତାରୁ, ଆଜି କାଲି ଅନେକ ଆସୁଛନ୍ତି ପୂର୍ବ ବଙ୍ଗରୁ ।

 

ପୂର୍ବବଙ୍ଗୀୟମାନଙ୍କ ପାଇଁ ପଶ୍ଚିମ ବଙ୍ଗରେ ଆଉ ସ୍ଥାନ ନାହିଁ । ତେଣୁ ପଳାଇ ଆସୁଚନ୍ତି ସେମାନେ । ଆସାମରେ ବି ଆଉ ଜାଗା ନାହିଁ ।

 

ପଚାରି ପାରେ କି ତମେ ସେଠାରେ କଣ କରୁଥିଲ ?

 

ବେଶ ଭଦ୍ରାମୀ ଆପଣ ଜାଣିଛନ୍ତି ତ ! ଓ, ମୋରି ତା ହେଲେ ପରିଚୟ ଦେବା ଆବଶ୍ୟକ । ଶୁଣ, ମୁଁ ତାଲକା କଲେଜରେ–

 

କଣ ପିଅନ, ନା କ୍ଳର୍କ, କିରାନୀ ଥିଲ ନା ?

 

ନା ।

 

ତେବେ ?

 

ଥିଲି–ବେଶ ଏତିକି ।

 

ନା, କ’ଣ ଥିଲ ଜାଣିବାକୁ ଚାହେଁ ।

 

ଥିଲି ଅଧ୍ୟାପକ–ଇତିହାସ ଅଧ୍ୟାପକ ।

 

ଯୁବକଟି ଚମକି ପଡ଼ିଲା–ଏଁ !

 

ମିଛ ନୁହେଁ ସତ କହୁଚି ।

 

ତେବେ ଏ ଅବସ୍ଥା ଆପଣଙ୍କର କାହିଁକି ?

 

ସଚ୍ଚି ଚୁପ ରହିଲା ।

 

ଯୁବକଟି ଆଉଥରେ ପଚାରିଲା, ପଶ୍ଚିମବଙ୍ଗ ସରକାର କ’ଣ ଆପଣଙ୍କୁ କିଛି ପୋଷ୍ଟ ଦେଇ ପାରିଲାନି ?

 

ବର୍ତ୍ତମାନ ପୂର୍ବବଙ୍ଗରୁ ଏତେ ଅଧ୍ୟାପକ ଓ ଶିକ୍ଷକ ଚାଲି ଆସିଛନ୍ତି ଯେ ସମସ୍ତଙ୍କୁ ଚାକିରୀ ଯୋଗାଇବା ହୁଏତ ସମ୍ଭବ ନୁହେଁ । ତାପରେ ପୁଣି କେତେ ଉଚ୍ଚ ଶିକ୍ଷିତ ପଶ୍ଚିମ ବଙ୍ଗରେ ବେକାର ହୋଇ ବସିଛନ୍ତି ।

 

ସଚ୍ଚି ଚୁପ ରହିଲା । ସେ ମିଛ କହିଚି । କଲିକତାରେ ଥିବାବେଳେ ଗୋଟିଏ କିରାନୀ ଚାକିରୀ ସେ ପାଇଥିଲା, କିନ୍ତୁ କିରାନୀଗିରି କରିବାକୁ ତାର କିପରି ଇଚ୍ଛା ହେଲା ନାହିଁ । ସେ ଚାକିରୀକି ସେ ଗ୍ରହଣ କରି ନ ଥିଲା । ତା ପରେ ପଳାଇ ଆସିଥିଲା ଏଠାକୁ, ଏଠାରେ ଯଦି କୌଣସି ସୁବିଧା ପାଏ ।

 

ଏଠିକି କେତେ ଦିନ ହେଲା ଆସିଲେଣି ?

 

କାଲିଠାରୁ ।

 

କେଉଁଠି ରହୁଛନ୍ତି–

 

ସବୁଠାରେ ।

 

ମାନେ ?

 

ମାନେ ଆଉ କଣ ହୋଇପାରେ ? ପାର୍କରେ, ହୋଟେଲ ବାରଣ୍ଡାରେ, ଗଛ ମୂଳେ । ଧର୍ମଶାଳାକୁ ଯାଇଥିଲି, ଭିକାରୀ ବୋଲି ଭାବି ତଡ଼ି ଦେଲେ ।

 

ଯୁବକଟି କହିଲା, ଆହା କେତେ ହଇରାଣ ହେଲେ ଆପଣ ! ଆଗରୁ ଯଦି ମୁଁ ଜାଣି ପାରିଥାନ୍ତି ।

 

ସଚ୍ଚି ଚୁପ୍ ରହିଲା । ଏପରି ସହାନୁଭୂତି ସେ ଅନେକ ଥର ଶୁଣିଚି । ଅନେକ ଜାଗାରେ ଅନେକ ଲୋକ ଠିକ୍ ଏହିପରି ଦୟା ଦେଖେଇଛନ୍ତି । କିନ୍ତୁ ଏଇ ଲୋକଟିର କଥାରେ କିପରି ଦରଦ ରହିଥିଲା ପରି ଜଣା ପଡ଼ୁଚି । ହୁଏତ ଏ ଜଣକ ସେମାନଙ୍କଠାରୁ ଭିନ୍ନ, ଅଲଗା । ହୁଏତ ଏହାର ହୃଦୟରେ ରହିଚି ମଣିଷ ପ୍ରତି ପ୍ରକୃତ ସହାନୁଭୂତି । ସଚ୍ଚି ଆଖିରୁ ଗଡ଼ି ଆସିଲା ଦୁଇଧାର ଲୁହ । ସଂଧ୍ୟା ହୋଇ ଆସିଚି । କେହି ହୁଏତ ତାର ଲୁହ ଦେଖି ପାରିଲେନି । କାମିଜରେ ଆଖିକୁ ପୋଛି ନେଲା । ବୁକୁ ଭିତରୁ କେତେ ବ୍ୟଥାକେତେ ବେଦନା ଗୁମରି ଉଠୁଥିଲା ଯେପରି ।

 

ଚାଲ–

 

ସଚ୍ଚି ପଚାରିଲା, କେଉଁ ଆଡ଼େ ?

 

ମୋ ସାଙ୍ଗେ ଚାଲନ୍ତୁ ନା–

 

କେଉଁଆଡ଼େ, କୋଠା ଘରକୁ ? ନା, ତା ଅପେକ୍ଷା ବରଂ ଭଲ ଏଇ ଖୋଲା ଜାଗା । ଦେହ ଖୋଲା ଥିଲେ, ଖୋଲା ଜାଗାରେ ରହିଲେ କିଛି ଜଣା ପଡ଼େନି । ଦୁଃଖ କଷ୍ଟ ଜମା ଜଣା ପଡ଼େନି । ଆପଣଙ୍କ ଦୟା ପାଇଁ ଧନ୍ୟବାଦ୍ । ଆପଣ ଚାଲିଯାନ୍ତୁ ।

 

ସଚ୍ଚିର ହାତ ଧରି ଯୁବକଟି ଭିଡ଼ିଲା ।

 

ସଚ୍ଚ ଚାଲିଲା, ତାପଛେ ପଛେ ପ୍ରତିମା । ପ୍ରତିମା କୋଳରେ ସରୋଜ ।

Image

 

(ତିନି)

 

ଉପରୁ ଭାସି ଆସୁଚି ରେଡ଼ିଓ ସଂଗୀତ । ପ୍ରେମର ଗୀତ । କେଉଁ ବିରହିଣୀ ତାର ପ୍ରିୟ ପାଇଁ ବ୍ୟାକୁଳ ହୋଇ ଉଠିଚି । ସେ ସ୍ୱପ୍ନରେ, ଜାଗରଣରେ ସବୁବେଳେ ତାର ସ୍ୱପ୍ନ ଖାଲି ଦେଖୁଚି-। ଜଳ ସ୍ଥଳ ଆକାଶରେ ତା ପ୍ରିୟର ଛବି ଅଙ୍କା ହୋଇଚି ଯେପରି । ଚାରିଦିଗରୁ ପ୍ରିୟର କଣ୍ଠସ୍ୱର ଭାସି ଆସୁଚି । ସଚ୍ଚି ହସି ଉଠିଲା । ତାପରେ ଚୁପ୍ ହୋଇ ଚାରିଆଡ଼କୁ ଚାହିଁଲା । ଘର ଭିତର ଅନ୍ଧାର ହୋଇଚି । ନିର୍ଜନ, କେହି ନାହାନ୍ତି । ପ୍ରତିମା ସରୋଜକୁ ସାଙ୍ଗରେ ନେଇ ଯାଇଚି । ପ୍ରତିମା ରୋଷେଇ କରୁଥିବ । ସରୋଜକୁ ସେଇ ରୋଷେଇ ଘରେ ତଳେ ଛିଣ୍ଡା କନା ଖଣ୍ଡେ ପାରି ଶୁଆଇ ଦେଇଥିବା । ସେଦିନ ପାର୍କରୁ ଯେଉଁ ବାବୁ ଜଣକ ତାକୁ ସାଙ୍ଗରେ ଆଣିଥିଲେ, ତାଙ୍କ ନାଁ ଶ୍ରୀ ପ୍ରଫୁଲ କୁମାର ପଟ୍ଟନାୟକ । ଡାକ ନାମ ମଣ୍ଟୁ ବାବୁ । ନିକଟରେ ଇତିହାସରେ ଏମ୍. ଏ. କୃତିତ୍ୱର ସହି ପାଶ୍ କରି ନ ଥିଲେ ବି, ପାଶ କରିଚନ୍ତି । କୋଣସି ମତେ ସରକାରୀ କଲେଜରେ ଅଧ୍ୟାପକ ହୋଇଚନ୍ତି । ବହୁତ କଷ୍ଟରେ କୁଆଡ଼େ ଅଧ୍ୟାପକ ହେଲେ । ତାଙ୍କ ବାପା ଶ୍ରୀ ନୀହାର କୁମାରଙ୍କ ଅକ୍ଳାନ୍ତ ଚେଷ୍ଟାର ଫଳ । ତେବେ ଏଠାରେ ଆଉ ଅଧ୍ୟାପକ ପଦ ଯେ ମିଳିବ ନାହିଁ, ଏଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ତଥାପି ଆଶା ଆଉ ଅପେକ୍ଷା । ଏହି ଅପେକ୍ଷାରେ ହିଁ ବିରାଟ ସାନ୍ତ୍ୱନା !

 

ମଣ୍ଟୁ ବାବୁ ଦୟାର ଅବତାର । ତା ନ ହେଲେ ଗୋଟିଏ ପଳାତକ ଭିକାରୀ ଆଉ ତାର ସ୍ତ୍ରୀ ପିଲାଙ୍କୁ ଆଣି କଣ ତାଙ୍କ ଘରେ ରଖାଇଥାନ୍ତେ ? ହୋଇପାରେ ପ୍ରତିମା ରୋଷେଇ କରୁଚି ତାଙ୍କ ଘରେ । ହେଲା କଣ ? ଏପରି ଉପକାରୀ ପୁରୁଷଙ୍କର ଯଦି ଗୋଲାମି ଖଟିବାକୁ ହୁଏ ତେବେ ଋଣ ତ କିଛି ଅଂଶରେ ସୁଝିଯିବ ! ମଣ୍ଟୁ ବାବୁ ନୂଆ ହୋଇ ବାହା ହେଇଛନ୍ତି । ମଣ୍ଟୁ ବାବୁଙ୍କ ସ୍ତ୍ରୀ ସୁମିତ୍ରା ବୟସରେ ଖୁବ୍ ଛୋଟ । ବାପା ମା’ଙ୍କର ଏକମାତ୍ର ଝିଅ । ଆଜିଠାରୁ ରୋଷେଇ ଘର ମାଡ଼ିବେ କିପରି ?

 

ରେଡ଼ିଓରୁ ଭାସି ଆସୁଚି ଭାଓଲିନର ଗୋଟିଏ କରୁଣ ଆଳାପ । ଜୀବନଟା ଠିକ୍ ଭାଓଲିନର ଏଇ କରୁଣ ଆଳାପ ପରି କରୁଣ, କିନ୍ତୁ ତାପରି ସୁନ୍ଦର ଓ ମଧୁର ନୁହେଁ ।

 

ଘର ଭିତରେ ଜମି ଉଠିଚି ଅନ୍ଧକାର । ଏଇ ଅନ୍ଧକାର ଭିତରେ କେତେ କଥା କରାଯାଇ ପାରେ । ମନୁଷ୍ୟ ହତ୍ୟା ପରି ଭୀଷଣ କାର୍ଯ୍ୟ ନିର୍ଭୟରେ କରାଯାଇ ପାରେ ।

 

ଢାକାର ସେ ଚିରସ୍ମରଣୀୟ ଦିବସ ଠିକ୍ ଆଜିକୁ ତିନିବର୍ଷ ହେଲା । ବାପାଙ୍କର ସେ ମଧୁର ସ୍ମୃତି ଭାସି ଆସୁଚି ଅତୀତର ବ୍ୟୁହ ଭେଦ କରି..ମା’ଙ୍କର ଆଶ୍ୱାସନା, କେତେ ଆଦର, କେତେ ସୋହାଗ, ଏତେ ଦିନ ପରେ ଯେପରି ଅକ୍ଷୁର୍ଣ୍ଣ ରହିଚି । ମା ବାପାଙ୍କର ସ୍ମୃତି ହୁଏତ ଜୀବନ ସ୍ମୃତିପଟରୁ ଲିଭିବ ନାହିଁ ।

 

ଭଉଣୀର ସ୍ମୃତି । ଅତୀତର ଠିକ୍ ଏମିତି ଦିନରେ ଗୋଟିଏ ନୂଆ ଗୀତ କେଉଁଠୁ ଶିଖିଆସି ଗାଇଥିଲା । ଗାଇସାରି ପଚାରିଲା, ଭାଇ ଗୀତଟା କେମିତି ଲାଗିଲା ? ମତେ ପରା କହିଥିଲ ଏସରାଜଟେ ଦେବା ପାଇଁ ? ଏଥର ପାଇଁ ? ଏଥର ମୋ ଜନ୍ମଦିନକୁ ଦେବନି ?

 

ସେ କହିଥିଲା, ନିଶ୍ଚୟ ଏ ଦଶହରାକୁ ଆଣି ଦେବି....

 

ତା ପରେ ୟା ଭିତରେ ତିନୋଟି ଦଶହରା ଅତୀତରେ ପରିଣତ ହେଲାଣି । ଆଉ କେତୋଟି ଦଶହରା ବହିଯିବ ସମୟର–ସ୍ରୋତରେ, କିନ୍ତୁ ତାର ଅନୁରୋଧ କଣ ରକ୍ଷା ହୋଇ ପାରିବ ?

 

ଦୂରରୁ, କେତେ ଦୂରରୁ, ଭାସି ଆସୁଚି କାହାର ଆହ୍ୱାନ–ହେ ପଥିକ, ହେ ଦିଗହରା ପଥିକ, ଫେରିଆସ-ଫେରିଆସ.. । କେଉଁଠାକୁ ଫେରି ଯିବ ସେ ? କେଉଁଠାରୁ ଆସୁଚି ଏ ଆହ୍ୱାନ-?

 

ସଚ୍ଚି ବାବୁ !

 

ଝରକା ଦିଗରୁ ମୁହଁ ଫେରାଇ ଅନେଇଲା ଦୁଆର ମୁହଁକୁ । ଅନ୍ଧାରରେ ବାରି ହେଉନାହିଁ ।

 

ସଚ୍ଚିବାବୁ ! ଘରଟା ଭାରି ଅନ୍ଧାର ହୋଇଚି । ଆଛା ମୁଁ ଲାଇଟ ଆଣେ ?

 

ମଣ୍ଟୁବାବୁ !

 

ଅନ୍ଧାରରେ ଲୁଚିଥାଏ ପୃଥିବୀର ଆବର୍ଜନା । ସେ କଣ ଆବର୍ଜନା ନୁହେଁ ? ସେଥିପାଇଁ ହୁଏତ ସେ ଅନ୍ଧାରରେ ଲୁଚିଚି ।

 

କିଛି ସମୟ ପରେ ମଣ୍ଟିବାବୁ ଫେରି ଆସି କହିଲେ, ଆଛା , ସଚ୍ଚି ବାବୁ ଅସନ୍ତୁନା ମୋ କୋଠରୀକୁ । ସେଠି ବସି ଗପସପ କରିବା । ସଚ୍ଚି ଚାଲିଲା ମଣ୍ଟୁ ବାବୁଙ୍କ ସାଙ୍ଗରେ ଉପର ମହଲାକୁ ।

 

କୋଠରୀ ଭିତରେ ପଡ଼ିଚି ଇଲେକଟ୍ରିକ୍ ବଲବର ତୀବ୍ର ଆଲୋକ । ମଣ୍ଟୁବାବୁ ସେ ଲାଇଟଟା ଲିଭାଇଦେଇ ଆଉ ଗୋଟିଏ ଜଳାଇ ଦେଲେ । ସବୁଜ ଆଲୋକରେ ଘର ହସି ଉଠିଲା-। ମନେ ହେଲା ଯେପରି କେଉଁ ମାୟାପୁରୀର ଏ ଘରକି । ଘରର ସେ କଣକୁ ପଡ଼ିଚି ଗୋଟାଏ ଟେବୁଲ । ଟେବୁଲ ଉପରେ ଭେଲଭେଟ କନାର ଟେବୁଲ କ୍ଳଥ । ତା ଉପରେ ଗ୍ରୀସୀୟ ଆର୍ଟ ଅନୁଯାୟୀ ତିଆରି ହୋଇଥିବା ନାରୀର ନଗ୍ନ ମୂର୍ତ୍ତି । ବହିଗୁଡ଼ାକ ବିକ୍ଷିପ୍ତ ଭାବରେ ଟେବୁଲ ଉପରେ ପଡ଼ିଚି । ତା ପାଖରେ ଦୁଇଟି ବଡ଼ ବଡ଼ ଆଲମାରୀରେ ବହୁତ ବହି-ଇତିହାସ ବୋଧ ହୁଏ, ସଜ ହୋଇ ରଖାଯାଇଛି । ହୁଏତ କେଉଁଦିନ ଭୁଲରେ ସୁଦ୍ଧା ଫିଟିନାହିଁ । ଦେଖିବା ଦରକାର ନାହିଁ ହୁଏତ ! ଆରପାଖ କାନ୍ଥ ଆଡ଼କୁ ଗୋଟିଏ ଛୋଟ ଗୋଲ ଟେବୁଲ । ଟେବୁଲ ଉପରେ ଆସ୍ ଟ୍ରେ । ତା ପାଖକୁ ଚା ଖାଇବାର ଟିପୟ । ତିନି ଚାରିଟା ଚେୟାର ପଡ଼ିଚି । ଏଇ ହେଉଚି ମଣ୍ଟୁ ବାବୁଙ୍କ ବସିବା ଘର ।

 

ଘରର ଆବହାଓ୍ୟାରେ ମିଶି ରହିଚି ଅତି ଆଧୁନିକତାର ବାସନା । ମଣ୍ଟୁବାବୁ ନିଜେ ଗୋଟିଏ ଚେୟାରରେ ବସି ସଚ୍ଚିକୁ ଆଉ ଗୋଟାଏ ଚେୟାରରେ ବସିବା ପାଇଁ ଇଙ୍ଗିତ ଦେଲେ । ସଚ୍ଚି ଗୋଟାଏ ଆରାମ ଚେୟାର ଉପରେ ବସି ପଡ଼ିଲା । ସିଗାରେଟରେ ନିଆଁ ଲଗାଇ ମଣ୍ଟୁବାବୁ ପଚାରିଲେ, ସିଗାରେଟ୍ ଖାଇବେ ? ସେ କିଛି କହିବା ପୂର୍ବରୁ ହାତକୁ ବଢ଼ାଇ ଦେଲେ ଖଣ୍ଡେ ସିଗାରେଟ୍ । ଅନେକଦିନ ଧରି ସିଗାରେଟ୍ ଖାଇନଥିଲା । ଏ ଖଣ୍ଡକ ଖାଇସାରିଲା ପରେ କେମିତି ଭଲ ଲାଗିଲା । ସଞ୍ଚବେଳୁ ମୁଣ୍ଡ ବଥଉଥିଲା । ସିଗାରେଟ୍ ଖଣ୍ଡକ ଖାଇ ସାରିବା ପରେ ମୁଣ୍ଡବ୍ୟଥା କମି ଗଲା ପରି ଲାଗିଲା ।

 

ମଣ୍ଟୁ ବାବୁ ସିଗାରେଟ୍ ଧୂଆଁ ଛାଡ଼ୁଛାଡ଼ୁ କହିଲେ, ଆପଣଙ୍କ ଗୋଟାଏ କଥା କହିବାପାଇଁ ଡାକିଥିଲି ।

 

ସଚ୍ଚି ଚୁପ୍ ରହି ସିଗାରେଟ୍ ଧୂଆଁରେ ରଙ୍ଗ୍ କରିବାକୁ ଲାଗିଲା ।

 

ଡାକିଥିଲି, ଗୋଟାଏ କାମ କରିପାରିବେ ?

 

କି କାମ ?

 

ନାଇଁ ଗୋଟାଏ ସେମିତି....

 

କଣ କହୁନାହାନ୍ତି !

 

ଡାକୁଥିଲି, କେହି ନାହାନ୍ତି ଗପସପ କରିବାକୁ । ଏଇ ମୋର ଗୋଟାଏ ବହି ବାହାରିଚି-ଦେଖିଛନ୍ତି ? ସେଲଫରୁ ମଣ୍ଟୁ ବାବୁ ତା ହାତକୁ ବହିଟା ବଢ଼ାଇ ଦେଲେ । ମୋର କଳିଙ୍ଗ ଇତିହାସ ନାମକ ଗୋଟାଏ ଇତିହାସ ବହି ।

 

ମୁଁ ତ ପଢ଼ି ପାରେନି ଓଡ଼ିଆ–

 

ଶୁଣନ୍ତୁ,ଏଇ ଓଡ଼ିଶା ବିଷୟରେ ମୁଁ ଲେଖିଚି ବହିଟା । ଆପଣ ଗୋଟାଏ କ୍ରିଟିସିଜିମ୍ ଏ ବହି ବିଷୟରେ ଲେଖି ଦିଅନ୍ତୁ ନା, ମୁଁ ନେଇ ଗୋଟାଏ ମାସିକ ପତ୍ରିକାକୁ ଦେଇ ଦେବି ।

 

ସଚ୍ଚି କେମିତି ବିରକ୍ତ ହୋଇ କହିଲା, କହିଲି ପରା ଓଡ଼ିଆ ମୁଁ ପଢ଼ି ଜାଣେନି ।

 

ସେଥିରେ କିଛି ଯାଏ ଆସେନା ଓଡ଼ିଶା ବିଷୟରେ ନିଶ୍ଚୟ ଆପଣଙ୍କର ଜ୍ଞାନଥିବ । ଢାକାରେ ଇତିହାସ ଅଧ୍ୟାପନା କରୁଥିଲେ, ସେୟାକୁ ନେଇ ଗୋଟାଏ ଲେଖିଦିଅନ୍ତୁ ।

 

କିନ୍ତୁ ସେଟା ତ କ୍ରିଟିସିଜିମ୍ ହେବ ନାହିଁ ।

 

ନହଉ, ମୋ ବହି ବିଷୟରେ ତ ଲେଖିଛନ୍ତି ବୋଲି ସମସ୍ତେ ଜାଣିବେ । ଏ ଓଡ଼ିଆ ଜାତି ବଡ଼ କୃତଘ୍ନ । କେହି ଆଗତୁରା ଲେଖିବେନି ବହିଟା ଭଲ ହେଲେ ବି । ତେଣୁ ଲେଖକ ବିଚାରାକୁ ନିଜେ ଲେଖିବାକୁ ପଡ଼େ ଆପଣାର ପ୍ରଶଂସାପତ୍ର । ଆପଣ ଲେଖିବେ ବହିଟା ଉଚ୍ଚ ଧରଣର, ଗବେଷଣା ପୂର୍ଣ୍ଣ ଉପାଦେୟ ପୁସ୍ତକ, ଏୟା ହେବ ସେ ପ୍ରବନ୍ଧର ବିଷୟ ବସ୍ତୁ ।

 

ସଚ୍ଚି ଉପର ରେଲିଂକୁ ଚାହି ସିଗାରେଟ୍ ଟାଣୁଥିଲା । ସିଗାରେଟକୁ ଖୁବ୍ ଜୋରରେ ଦୁଇ ତିନି ଥର ଟାଣି ଦେଇ ଆସ୍ ଟ୍ରେରେ ଗୁଞ୍ଜି ଦେଲା ।

 

ଶୁଣନ୍ତୁ ଯଦି ଲେଖିଦେବେ ତାହେଲେ ମୁଁ ଆପଣଙ୍କୁ ଦଶ ଟଙ୍କା ଦେବି । କାଲି ଭିତରେ ଲେଖି ଦିଅନ୍ତୁ ନା !

 

ସଚ୍ଚି କିଛି ସମୟ ଚୁପ୍ ରହିଲା । ତାପରେ କହିଲା, ନା, ମୁଁ ଅକ୍ଷମ । ମତେ ପ୍ରବନ୍ଧ ଲେଖିଆସେ, କିନ୍ତୁ ପ୍ରଶସ୍ତି ଲେଖି ଆସେ ନା–

 

ମଣ୍ଟୁବାବୁ ରାଗିଗଲେ ବୋଧହୁଏ । ହଠାତ୍ ଚେଆର ଉପରୁ ଉଠ କହିଲେ, ନମସ୍ତେ, ବର୍ତ୍ତମାନ ହିଷ୍ଟ୍ରି ସୋସାଇଟିର ଗୋଟାଏ ଟି ପାର୍ଟି ଅଛି, । ଯିବାକୁ ପଡ଼ିବ । ଆଛା ଆପଣ ଆସନ୍ତୁ ।

 

ସଚ୍ଚି ନୀରବରେ ଚାଲି ଆସିଲା ।

 

ତାର ଛୋଟ ରୁମଟା ଆଗରୁ ମଟରଗ୍ୟାରେଜ ରୂପେ ବ୍ୟବହୃତ ହେଉଥିଲା । ତେଣୁ ସେଠାକୁ ଇଲେକଟ୍ରିକ୍ ଆଲୁଅ ଆସି ପାରିନି । ଘର ଭିତରେ ଜମି ଉଠିଚି ଅନ୍ଧକାର । ସେ ନୀରବରେ ଆସି ଭଙ୍ଗା ଝରକା ପାଖରେ ପଡ଼ିଥିବା ଦରଭଙ୍ଗା ଚେଆରଟାରେ ବସି ପଡ଼ିଲା । ଚେଆରର ଗୋଟାଏ ହାତ ନାହିଁ ।

 

ଆକାଶରେ ଜିକ୍ ଜିକ୍ କରୁଛନ୍ତି ଅସଂଖ୍ୟ ତାରା । ସେମାନଙ୍କ ଭିତରୁ ଅନେକ ପୁଣି ଏ ପୃଥିବୀ ଠାରୁ, ଏ ସୂର୍ଯ୍ୟଠାରୁ ସହସ୍ର ଗୁଣରେ ବଡ଼ । ଏଇ ଗ୍ରହ-ଉପଗ୍ରହ ଭିତରେ ପୁଣି କେତେଟା ଗ୍ରହରେ ଅଛି ମଣିଷ ନିବାସ । ସେଠାରେ ମଣିଷମାନେ କଣ ଏଇ ପୃଥିବୀର ମଣିଷମାନଙ୍କ ପରି ହୋଇଥିବେ ଏତେ କୁତ୍ସିତ ? ଶିକ୍ଷା ଆଉ ସଭ୍ୟତାର ଆବରଣ ତଳେ ସେମାନେ କଣ ହରାଇଥିଲେ ଜୀବନର ଯେତେକ ସୌନ୍ଦର୍ଯ୍ୟ ?

 

ତାରାର ମଳିନ ଆଲୋକରେ ସହରର ସୁଉଚ୍ଚ ପ୍ରାସାଦର ଚୂଡ଼ା ଅସ୍ପଷ୍ଟ ରୂପେ ଦେଖା ଯାଉଚି । ଢାକାରେ ଏମିତି କେତେ ସନ୍ଧ୍ୟାରେ ସେ ବସିଚି ଝରକା ପାଖେ ପ୍ରତିମା ନିକଟରେ । ବାହାରର ଆକାଶକୁ ଅନେକ ଥର ଅନାଇଛି । କିନ୍ତୁ କେତେ କଣ ଲକ୍ଷ୍ୟ କରିଥିଲା ପ୍ରାସାଦଗୁଡ଼ିକ କିପରି ଏଇ ମଳିନ ତାରକାଲୋକରେ ଦେଖାଯାନ୍ତି ?

 

କଲିକତାରେ ସେ କିରାଣୀ ଚାକିରିଟି ଗ୍ରହଣ କରିଥିଲେ ହୁଏତ ଭଲ ହୋଇଥାନ୍ତା । କାହିଁକି ଛାଡ଼ିଲା ସେ ଚାକିରୀ ? ଜୀବନର କେଉଁ ଉଚ୍ଚ ଅଭିଳାଷ ପାଇଁ ସେ ପ୍ରତ୍ୟାଖାନ କରିଦେଲା ସେ ଚାକିରୀ ? ଜୀବନକୁ ନେଇ ଖେଳିବା ପାଇଁ ପିଲାଦିନର ଅଳସ ମୁହୂର୍ତ୍ତରେ ଅନେକଥର ଭାବିଛି । କିନ୍ତୁ ଆଜି ? ଜୀବନ ଆଜି ଯେତେବେଳେ ଆପେ ଆପେ ଆସି ଖେଳୁଛି ତା ସଙ୍ଗେ, ତା ହାତରୁ ପିଲାଦିନର ସେ ଦୂରନ୍ତ ଚପଳତା ମରି ଯାଇଛି !

 

କେତେ ସଂଧ୍ୟାରେ, ଯେତେବେଳେ ଆକାଶରେ ଉଇଁଥାଏ ତୃତୀୟାର ବଙ୍କିମ ଚନ୍ଦ୍ର-ସେ ସେତେବେଳେ ପ୍ରତିମା ସାଙ୍ଗରେ ବସିଥାଏ ଝରକା ନିକଟରେ-ସେତେବେଳେ ଆଖିରେ ଲାଗିଥାଏ ଯୌବନର ରଙ୍ଗୀନ ଅଞ୍ଜନ । ସେଇ ଅଞ୍ଜନ ଦେଇ ଦେଖାଯାଉଥାଏ ପୃଥିବୀ ଆଉ ଏ ଆକାଶ କି ଉଦାର, କି ଶାନ୍ତ, କି ଗମ୍ଭୀର, ଆଉ କି ସୁନ୍ଦର ! ସେତେବେଳେ ମନେ ହେଉଥିଲା କେମିତି ଏ ନୀଳ ଆକାଶ ଆଉ ଶ୍ୟାମଳ ପୃଥିବୀ ପରି ଜୀବନ ବି ଉଦାର, ଗମ୍ଭୀର ଆଉ ସୁନ୍ଦର । ସେତେବେଳେ ମନେ ହେଉଥିଲା ମଣିଷ ଜୀବନର ଲକ୍ଷ୍ୟ ହେଉଛି ଜୀବନକୁ ଉପଭୋଗ କରିବା ଯୌବନ ନେଇ । କିନ୍ତୁ ଆଜି ଅଭିଜ୍ଞତାର ପରୀକ୍ଷା ଦେଇ ରୁଟି ଆଉ ଭାତ ଅତି ଅସ୍ୱାଭାବିକ ରୂପେ ମଣିଷ ଜୀବନର ଶ୍ରେଷ୍ଠ ଓ ଏକମାତ୍ର ଲକ୍ଷ୍ୟ ହୋଇ ଠିଆ ହୋଇଚି ଆଖି ଆଗରେ । ଆଜି ସେଇ ରୁଟି ଆଉ ଭାତ ପାଇଁ ଅତୀତର ପ୍ରମଶୀଳା ପ୍ରତିମା ପାଲଟିଚି ପରିଚାରିକା-ଆଉ ସେ ? ସେ ତାର ଅର୍ଜନରେ ଅଂଶୀଦାର ହୋଇଛି ।

 

ମଣ୍ଟୁ ବହିର ପ୍ରଶସ୍ତିଟା ଲେଖି ଦେଇଥିଲେ କଣ ବା କ୍ଷତି ହୋଇଥାନ୍ତା ? ମଣିଷର ଯେତେବେଳେ ସମ୍ମାନ ଆଉ ପ୍ରତିପତ୍ତି ବୋଲି କିଛି ଗୋଟିଏ ଥାଏ ସେତେବେଳେ କାହାର ପ୍ରଶଂସା ଲେଖିବା ହୁଏତ ଅପମାନଜନକ ବୋଧ ହୋଇପାରେ, କିନ୍ତୁ ତାର କଣ ପ୍ରତିପତ୍ତି ଓ ସମ୍ମାନ ଅଛି ?

 

ଗ୍ୟାରେଜରୁ ବାରଟା ବାହାରିବାର ଶବ୍ଦ ଶୁଣାଗଲା । ମଣ୍ଟୁ ବାବୁଙ୍କର ଟିପାର୍ଟି ଅଛି । କାରଟା ରାସ୍ତା ଆଗ ଦେଇ ଚାଲିଗଲା ଖୁବ୍ ଜୋରରେ । ହୁଏତ ଏଇ ଗତିଶୀଳ ଯାନ ଦେଖାଦେଲା ମଣ୍ଟୁ ବାବୁଙ୍କ ପ୍ରତିପତ୍ତି ଆଉ ସମ୍ମାନ । ଆଜି ଏ ବଂଶ ଶତାବ୍ଦୀର ଶେଷ ଭାଗରେ ସମ୍ମାନ ଆସି ରହିଚି ଗତିରେ; କିନ୍ତୁ ତାର ଯେତେବେଳେ ଗତି ନାହିଁ ସେ ଯେତେବେଳେ ହୋଇ ଯାଇଚି, ସ୍ଥାଣୁ, ତାର ଜୀବନ ଯେତେବେଳେ ଆଜି ତାର ସ୍ୱାଭାବିକ ଗତି ହରାଇ ସ୍ଥିର ହୋଇଯାଇଚି, ସେତେବେଳେ ଚାଲି ଯାଉଚି ସମ୍ମାନ ।

 

ଅସହ୍ୟ ଅନ୍ଧକାର ! ଅନ୍ଧକାର ଭିତରେ ପ୍ରତ୍ୟେକ ଗତିବାନ ଗତିହୀନ ହୋଇଯାଏ । କାରଣ ଅନ୍ଧକାର ମଧ୍ୟରେ ଗତି ହେଉଚି ବିପଦ ଜନକ । ଆଜି ସେ ହୁଏତ ଅନ୍ଧକାର ଭିତରେ ନିଜର ଗତି ବନ୍ଦ କରିବାକୁ ବାଧ୍ୟ ହୋଇଚି ।

 

ଶୋଇ ପଡ଼ିଲି କି ? ଦୁଆର ବନ୍ଧ ପାଖେ ପରି ଠିଆ ହୋଇ କହିଲା ।

 

ସଚ୍ଚି ଉତ୍ତର ଦେଲା, ନାଇ ଶୋଇ ନାଇଁ । ସରଜୁ କୁଆଡ଼େ ଗଲା କି ?

 

କାନ୍ଦି କାନ୍ଦି ଶୋଇ ପଡ଼ିଲାଣି । କାଲି ଗୋଟାଏ ଦରପୋଡ଼ା ମହମବତୀ କବାଟ କଣକୁ ରଖି ଦେଇଥିଲି, ଅଛି । ଆଲୁଅ ଲଗାଇଲେ, ସରଜୁକୁ ଶୁଆଇ ଦିଏ ।

 

ସଚ୍ଚି ଅନ୍ଧାରରେ ମହମବତୀଟା ବାହାର କରି ନିଆ ଲଗାଇଲା । ଭଙ୍ଗା ଦଉଡ଼ିଆ ଖଟ ଉପରେ କେତେ ଖଣ୍ଡ ଅଖା l ଅଖା ଉପରେ ଖଣ୍ଡେ ଛିଣ୍ଡା ମଇଳା ଚାଦର ବିଛାଇ ଦେଲା । ପ୍ରତିମା ସରୋଜକୁ ତା ଉପରେ ଶୁଆଇ ଦେଲା । ପ୍ରତିମା ଗଲାବେଳକୁ କହିଲା, ବତୀଟା ଲିଭାଇ ଦିଅ । ଖାଇଲାବେଳକୁ କାମରେ ଆସିବ ।

 

ପ୍ରତିମା ଚାଲିଗଲା ।

 

ମହମବତୀଟା ନିଷ୍ପନ୍ଦ ଭାବରେ ଜଳି ଜଳି ଚାଲିଚି । ସେ ଜଳି ଜଳି ନିଜେ କ୍ଷୟ ହୋଇ ଦୁନିଆକୁ ଦେଇଯାଉଚି ଆଲୋକ । କିନ୍ତୁ ନିଜେ ସେ ଜଳି ଜଳି ଦୁନିଆକୁ କଣ ଦେଇ ଯାଉଚି ?

 

ସଚ୍ଚି ପୁଣି ଝରକା ବାଟେ ଆକାଶକୁ ଚାହିଁଲା । ତାରା ଭରା ଆକାଶ । ଆକାଶର ସେଇ ତାରା ଭିତରୁ ଫୁଟି ଉଠୁଚି ଯେପରି ବଡ଼ ଭଉଣୀ ଛବିର ମୁହଁ । ଦୁଇ ଆଖିରୁ ଝରି ପଡ଼ୁଚି ଦୁଇଧାର ଲୁହ । ମୁଣ୍ଡବାଳ ଫୁର ଫୁର ହୋଇ ଉଡ଼ୁଚି । ଆଖି ଭିତରକୁ ପଶି ଯାଇଚି । ଛବିର ସେଇ ମୁହଁ ଭିତରେ କେଉଁ ପ୍ରେତର ମୁହଁ ଫୁଟି ଉଠୁଛି ଯେପରି ।

 

ସେତେବେଳକୁ ସେ କଲେଜରେ ପାଠ ପଢ଼ୁଥାଏ । ଆଇ. ଏ. ଦ୍ୱିତୀୟ ବର୍ଷ ବୋଧ ହୁଏ । ବାପା ଥାଆନ୍ତି ଗୋଟିଏ ହାଇସ୍କୁଲରେ ମାଷ୍ଟର । ଜମା ସତୁରୀଟା ଟଙ୍କା ଦରମା । ସେଥିରେ ବଂଶ ଗୋଟିଏ ଚଳିବାକୁ । ପୁଣି ତା ପାଖକୁ ପଠାନ୍ତି ତିରିଶି ଲେଖାଏଁ । ବାକୀ ଚାଳିଶଟା ଟଙ୍କାରେ ସମୁଦାୟ ବଂଶଟି ଚଳେ । ସେତିକିବେଳର କଥା । ଛବି ଅପାର ବାହାଘର ହେବାର ଠିକ୍ ହେଲା । କେତେ ଜାଗା ପଡ଼ିଲା, କେତେ ଜାଗା ଭାଙ୍ଗିଲା । କେଉଁ ବରପାତ୍ର କହିଲା, ଦରକାର ସୁନା ତିରିଶ ଭରି, ଦେଇ ପାରିବ ? କିଏ ଖୋଜିଲା କୋଡ଼ିଏ ଭରି ସୁନା ତ ଆଉ କିଏ ପଚିଶ ଭରି । ବାପା ବର ଖୋଜି ଖୋଜି ବିରକ୍ତ ହେଲେ । ଶେଷରେ ଗୋଟାଏ ଜାଗାରେ ଠିକ୍ ହେଲା ବାହାଘର । ବାହାଘର ହେବାକୁ ପନ୍ଦର ଦିନ କି କୋଡ଼ିଏ ଦିନ ଥାଏ । ଛବି ଅପାଠାରୁ ଗୋଟାଏ ଚିଠି ଆସିଲା-। ସେ ଲେଖିତିଲା-ସଚ୍ଚି, ମୋର ବାହାଘର ହେଉଚି । ବରକୁ ଥରେ ବାହାଘର ପୂର୍ବରୁ ଦେଖିବୁ ଯେମିତି । ମୋ ରାଣ ! ସେ ଦିନ ସିଧା ସିଧା ଯାଇ ପହଞ୍ଚିଗଲା ବର ଗାଁରେ । ବର ଜମିଦାର । ବରର ଦ୍ୱିତୀୟ ପକ୍ଷ ସ୍ତ୍ରୀ ମରିଯାଇଚି । ଛବି ହେବ ତୃତୀୟ ପକ୍ଷ । ବାଳଗୁଡ଼ାକ ଧଳା ପଡ଼ି ଆସିଲାଣି । ନାନାପ୍ରକାର ଔଷଧ ଦେଇ ସେତକ କଳା କରିବାର ଚେଷ୍ଟା ଚାଲିଚି । ନକଲି ଦାନ୍ତ ପାଟିରେ । ମନ ବିଦ୍ରୋହ କରି ଉଠିଥିଲା ସେଦିନ l କିନ୍ତୁ ତା ପରେ କଣ ହେଲା ?

 

ବର ଡାକିଲା ତାକୁ । ତାଙ୍କର ଶୋଇବା ଘରକୁ ନେଇଗଲା । ସୁନା ହାର, ସୁନା ଘଣ୍ଟା, ସୁନା ବାଲା, ସୁନା କାଚ, ସୁନା ଇଟା, ଖାଲି ସୁନା । ବର କହିଲା, ବାହାଘର ଆଗରୁ ମୁଁ ଦୁଇ ହଜାର ଟଙ୍କା ଦେବି । ମୁଁ ଜାଣେ ତମର ଅଭାବ ପକ୍ଷ । ତମକୁ ପଢ଼ିବାକୁ ବି ଟଙ୍କା ଦେବି । ବିଲାତ ଯଦି ଯିବ, ବିଲାତ ପଠେଇବି । ସଚ୍ଚି ସେଠାରୁ ଆସିଲା ବେଳକୁ ତା ହାତରେ ଜବରଦସ୍ତି ଗୋଟାଏ ସୁନା ଘଣ୍ଟା ବାନ୍ଧି ଦେଇଥିଲା । ସେ ଭାବିଥିଲା କେତେ କଥା କହିବ ବୋଲି । କିନ୍ତୁ ଗୋଟିଏ ପଦ ସୁଦ୍ଧା କହି ପାରିଲାନି ।

 

ତା ପରେ ଭଉଣୀ ସିନା ବଞ୍ଚିଲା ନାହିଁ, ବଞ୍ଚିଥିଲେ ସେ ନିଶ୍ଚୟ ବିଲାତ ପଠାଇଥାନ୍ତା ପଢ଼ିବାକୁ । ବାହାଘରର ଦଶ ଦିନ ପରେ ଛବି ଅପା ଆତ୍ମହତ୍ୟା କରିଥିଲା । ଅନେକ ଦିନ ପରେ ସଚ୍ଚିର ମନ ଭିତରେ ଅତୀତର ସେଇ ଛବି ସ୍ପଷ୍ଟ ହୋଇ ଉଠିଲା ଯେପରି । ଦୂର ଆକାଶର ସେଇ ତାରା କେତୋଟିରେ ନାଚୁଚି ଯେପରି ଛବି ଅପାର ସେଇ ମୁହଁ-ଲୁହ ଝରୁଚି, ଛବି ଅପା ଯେପରି କହୁଚି, ମତେ ମାରିଦେଲ ତମେ ସବୁ ? ମତେ ମାରି ଦେଇ ତମେ ଭଲରେ ଅଛ ତ ? ଆଜି ହୁଏ ତାର ଅଭିଶାପ, ତାର ଅସନ୍ତୁଷ୍ଟ ଆତ୍ମାର ଅସନ୍ତୋଷ ଆସି ପଡ଼ିଚି ତା ଜୀବନ ଉପରେ । ଛବି ଅପା ସେଦିନ ନାରବରେ ସହ୍ୟ କରିଥିଲା ସେମାନଙ୍କର ଅତ୍ୟାଚାର ଆଉ ନୀରବରେ ଦେଇ ଯାଇଚି ଏ ଅଭିଶାପ ! ଆଜି ଘରର ଚାରିଦିଗରେ ବୁଲୁଚି ଛବି ଅପାର ସେଇ ଅସନ୍ତୁଷ୍ଟ ଆତ୍ମା-ପବନ ରୂପରେ, ଅନ୍ଧାର ରୂପରେ ଭୋକ ରୂପରେ, ଅଭାବ ରୂପରେ...ସେ ଆଜି ପ୍ରତିଶୋଧ ନେବ ତା ପ୍ରତିହୋଇଥିବା ଅତ୍ୟାଚାରର, ତା ପ୍ରତି ହୋଇଥିବା କୁଚକ୍ରାନ୍ତର, ଅବିଚାରର... । ନା, ଛବି ଅପା ହୁଏତ ଅଭିଶାପ ଦେଇନାହିଁ । ତାର ଅସନ୍ତୁଷ୍ଟ ଆତ୍ମା ନୀରବରେ ହୁଏତ ସହି ନେଇଚି ତାପ୍ରତି ହୋଇଥିବା ଅତ୍ୟାଚାରକୁ.... । ସଚ୍ଚି ଆକାଶକୁ ଚାହିଁଲା । ଛବି ଅପାର ମୁହଁ ସେହି ତାରା ଭିତରେ କେଉଁ ଆଡ଼େ ଲୁଚିଗଲାଣି ।

 

ଆକାଶରେ ପଡ଼ିଚି ଛାୟାପଥ । ବୈଜ୍ଞାନିକ କହେ ଏଇ ଛାୟାପଥ ଭିତରେ ଲୁଚି ରହିଛନ୍ତି କୋଟି କୋଟି ତାରା...ବିନ୍ଦୁର ସମଷ୍ଟିରେ ରେଖା ଆଉ ରେଖାର ସମଷ୍ଟିରେ କ୍ଷେତ୍ର ହେଲାପରି ତାରକାମାନଙ୍କ ସମଷ୍ଟିରେ ହୋଇଚି ଏଇ ଛାୟାପଥ–ଏଥିରେ ଏକର ଅସ୍ତିତ୍ୱ ନାହିଁ । ରେଖା ଭିତରେ ବିନ୍ଦୁ ହରାଏ ତାର ସ୍ୱାତନ୍ତ୍ର୍ୟ । ସେହିପରି ଛାୟାପଥରେ ପ୍ରତ୍ୟେକ ତାରା ହରାଇଛି ତାର ସ୍ୱାତନ୍ତ୍ର୍ୟ । ପୃଥିବୀରେ ଜୀବନର ଯେଉଁ ପ୍ରଖର ସ୍ରୋତ ଚାଲିଚି ହୁଏତ ତାର ଗତିଶୀଳ ସ୍ରୋତ ଭିତରେ ରହିଛନ୍ତି ଅସଂଖ୍ୟ ସଚ୍ଚି, ଅସଂଖ୍ୟ ପ୍ରତିମା ଆଉ କୋଟି କୋଟି ସରୋଜ । ତା’ର ଭିତରେ ହଜି ଯାଇଚି ସେମାନଙ୍କର ସ୍ୱାତନ୍ତ୍ର୍ୟ । ହଜୁ, କ୍ଷତି କ’ଣ ?

 

ସେଇ ଛାୟାପଥ ଭାସି ଆସିଲା, ଏ କାହାର ମୁହଁ ? ମା’ର । କେତେ ଦୁଃଖରେ, କେତେ କଷ୍ଟରେ ନିଜର ସବୁ ସ୍ୱାର୍ଥ ତ୍ୟାଗ କରି ବଢ଼ାଇଥିଲା ତାକୁ, କୋଣସି ପ୍ରତିଦାନର ଆଶା ନ ରଖି । ଆଉ ମୃତ୍ୟୁର ଅନ୍ଧକାର ଭିତରେ ତାର ଶେଷ ସ୍ୱାର୍ଥ ହୁଏତ ସମାଧି ଘେନି ଥିବ ? ମା’ର ଏତେ ଦାନ ବଳରେ ସେ ତାକୁ କଣ ଦେଇଚି ? କି ସୁଖ, ଜୀବନର କି ସ୍ୱାଦ ତାକୁ ଦେଇଚି ? ମା’ର ସ୍ମୃତି ବି ଆଜି ଇତିହାସରେ ପରିଣତ ହୋଇ ଯାଇଚି । ଇତିହାସ ଆଉ ଇତିହାସ...ଦୁନିଆର ପ୍ରତ୍ୟେକ ମୁହୂର୍ତ୍ତ ପରିଣତ ହୋଇଯାଉଚି କି କ୍ଷିପ୍ର ଗତିରେ ଇତିହାସରେ । ସେ ସେଥିରୁ କୌଣସି ଏକ ମୁହୂର୍ତ୍ତକୁ ଧରି ରଖିବାକୁ ଯାଇ କ୍ଷତି ପାଇଚି । ଇତିହାସର ଶକ୍ତି କି ଅସୀମ ।

 

ଦୂରର ଘଣ୍ଟାରେ ବାଜିଲା ଟଂ ଟଂ ହୋଇ ନ’ଟା । ରେଡ଼ିଓରେ ଚାଲିଚି ସମ୍ବାଦ ପରିବେଷଣ । ଆଉ କେତେ ମିନଟ ପରେ ରେଡ଼ିଓ ଷ୍ଟେସନର ଶେଷ ଅଧିବେଶନ ଶେଷ ହୋଇଯିବ । ସମ୍ବାଦ...ସମ୍ବାଦ ଇଣ୍ଡୋନେସିଆରେ ସାଧାରଣତନ୍ତ୍ର ସରକାର ପ୍ରତିଷ୍ଠା ହେଲା...ସମ୍ବାଦ...ହାଇଦ୍ରାବାଦରେ ନିକଟରେ ଗଣଭୋଟ ହେବ...କିନ୍ତୁ ତାର ପରିବାରର ସମ୍ବାଦ, ତାର ଦୁଃଖର ସମ୍ବାଦ କଣ ସମ୍ବାଦ ନୁହେଁ ? ପୃଥିବୀର ଲୋକମାନଙ୍କ ପାଇଁ ସମ୍ବାଦ ହୋଇପାରେ ନା ?

 

ମହମବତୀଟା କହିଲି ଲିଭାଇ ଦେବାକୁ, ସେତେବେଳୁ ଜଳି ଜଳି ସରିଗଲା ? ସଚ୍ଚି ଅନାଇଲା ମହମବତୀଟା ଶେଷ ହୋଇ ଆସିଗଲାଣି । ପ୍ରତିମା ଦୁଇ ହାତରେ ଦୁଇଟି କଂସା ଧରି ଭିତରକୁ ପଶି ଆସିଲା । ଆଜି ପଖାଳ- ସଚ୍ଚି ଛିଣ୍ଡା କାମିଜଟା ଦେହରେ ଗଳାଉ ଗଳାଉ କହିଲା, ମୁଁ ଆସେ । ପ୍ରତିମା କଣ ପଛରୁ କହୁଥିଲା । ସଚ୍ଚି ଦ୍ରୁତି ଗତିରେ ରାସ୍ତା ଉପରକୁ ଚାଲି ଆସିଲା । ଆଜି ରାତି ତିନିଟା ଟ୍ରେନରେ ବରହମପୁର ଯିବାକୁ ପଡ଼ିବ । କାଲି ଅଛି ଇଣ୍ଟରଭ୍ୟୁ । ହୁଏତ କୌଣସି ଚାକିରୀ ମିଳିପାରେ ।

 

ବରହମପୁର ଯିବାକୁ ହେଲେ ଦରକାର ଅତି କମରେ ସାତ ଟଙ୍କା କି ଆଠ ଟଙ୍କା । ବନ୍ଧୁ ସୁଧାଂଶୁ ପାଖରୁ ଯଦି ଧାର ମିଳେ । କଟକରେ ଏତେ ଅଳ୍ପ ଦିନ ମଧ୍ୟରେ ସୁଧାଂଶୁ ସଙ୍ଗେ ବେଶ ବନ୍ଧୁତ୍ୱ କମି ଯାଇଚି । ସୁଧାଂଶୁ ଗୋଟିଏ ଏକ ମହଲା ଘର ଭଡ଼ା ନେଇଥାଏ । ସେ କଣ ବଡ଼ ସରକାରୀ ହାକିମ ।

 

ଗେଟ୍ ପାଖରେ ଚାକର କହିଲା, ବାବୁ ପଢ଼ିବା ଘରେ ବସି କଣ ପଢ଼ୁଛନ୍ତି । ଗଲାବେଳକୁ ଫାଟକଟା ଆଉଜାଇ ନେଇଯିବେ । ମୁଁ ପିଣ୍ଡାରେ ଶୋଇଚି । ମା' ହରିକା ଯାଇଛନ୍ତି ଥିଏଟର ଦେଖିବାକୁ । ଆସି ନାହାନ୍ତି ।

 

ସଚ୍ଚି ଚୁପ ରହି ସୁଧାଂଶୁର ପଢ଼ିବା ଘର ଦିଗରେ ଆଗେଇଗଲା । ସୁଧାଂଶୁ ସନ୍ଧ୍ୟାବେଳର ଖବର କାଗଜ ଖଣ୍ଡେ ଧରି ଶୋଇଯାଇଛି । ଟେବୁଲ ଉପରେ ଲ୍ୟାମ୍ପଟା ଜଳୁଚି ନିଷ୍ପନ୍ଦ ଭାବରେ । ଘରର ଅବହାଓ୍ୟାରେ ମିଶି ରହିଚି ଯେମିତି ଧନର ବାସନା । ଚତୁର୍ଦ୍ଦିଗରେ ଭାସି ବୁଲୁଚି ଗମ୍ଭୀର ଆତ୍ମ ବଡ଼ିମା । ଟେବୁଲ ଉପରେ ଛୋଟ ଟାଇମପିସଟା ଟିକ୍ ଟିକ୍ କରି ଚାଲିଚି । ବଞ୍ଚିବା ପାଇଁ ସେ ଯେପରି ପ୍ରତି ମୁହୂର୍ତ୍ତରେ ଆର୍ତ୍ତନାଦ କରି ଉଠୁଛି । ଟାଇମପିସଟାର ସେ ପାଖରେ ଥୁଆ ହୋଇଚି କେମିଷ୍ଟ୍ରିର ଗୋଟାଏ ମୋଟା ବହି । ଏଇ କେତେ ଦିନ ହେଲା ସୁଧାଂଶୁ କେମିଷ୍ଟ୍ରି ରିସର୍ଚ୍ଚରେ ଲାଗି ଲାଗି କୁଆଡ଼େ ଗୋଟାଏ ନୂଆ ଗ୍ୟାସ ଆବିଷ୍କାର କରିଚି । ଆଉ ସେଇ ଆବିଷ୍କାରର ଆନନ୍ଦରେ ହୁଏତ ନିଦ ଲାଗି ଯାଇଚି । ଘରର ଚାରିପଟେ ବିକ୍ଷିପ୍ତ ଭାବରେ ପଡ଼ିଚି କୁସନ ଚେୟାର କେତେଟା । କବାଟ ସେ ପାଖକୁ ଗୋଟାଏ ଚେୟାରର ଗଦି ଉପରେ ବିରାଡ଼ିଟାଏ ବସି ଢୁଳାଉଚି ।

 

ଟାଇମ୍ ପିସଟା ଚାଲିଚି ପୂର୍ବପରି, ଟିକ୍ ଟିକ୍ ଟିକ୍ । ଟାଇମ୍ ପିସର ପାଖକୁ ଥୁଆ ହୋଇଚି ମନିବ୍ୟାଗଟା ।

 

ସଚ୍ଚି ଚାରିଆଡ଼େ ଚାହିଁଲା, ସବୁ ନିଃଶବ୍ଦ ହୋଇ ଆସିଚି । ଏଇ ନୀରବତା ଭିତରେ ହୋଇଚି ଚାକରଟାର ନିଃଶ୍ୱାସନେବାର ଶବ୍ଦ ଶୁଭୁଛି ଯାହା ।

 

ଟେବୁଲ ନିକଟକୁ ଆଗେଇ ଗଲା । ଟାଇମପିସଟାର ଡାଏଲଟା ହୋଇଯାଇଚି ଯେପରି ଗୋଟାଏ ମଣିଷର ମୁହଁ । ଓଠରେ ତାର ଖେଳି ଯାଇଚି ଏକ ବିଦ୍ରୂପର ହସ । ସେ ଯେପରି କହୁଚି-ଅଧ୍ୟାପକ ସଚ୍ଚି ବୋଷ ! ଆଜି ଚୋରି କରୁଛୁ ? ସଚ୍ଚି ଟେବୁଲ ପାଖରୁ ଘୁଞ୍ଚି ଆସିଲା ପଛକୁ । ସ୍କ୍ରୀନ ଆଡ଼େଇ ବାହାରକୁ ଚାଲି ଆସିଲା ।

 

ତେବେ ବରହମପୁର ଯିବ କିପରି ? କାଲି ସକାଳ ଦଶ’ଟାରେ ହେବ ଇଣ୍ଟରଭ୍ୟୁ । ଶେଷ ଆଶା-ନା’ ଯିବାକୁ ହେବ ।

 

ପୁଣି ଫେରିଲା । ଟେବୁଲ ଉପର ଟାଇମପିସଟା ଚାଲିଚି । ଡାଏଲ୍ ଭିତରକୁ ଅନାଇଲା-। ମଣିଷ ମୁହଁ ଦେଖା ଯାଉନି ଆଉ । କିନ୍ତୁ ଦୁଇଟା ଆଙ୍ଗୁଳି ଯେପରି ତା ଦିଗକୁ ଦେଖା ହୋଇଚି, ଆଉ କେଉଁ ଶୂନ୍ୟରୁ ଭାସି ଆସୁଚି, ଅଧ୍ୟାପକ ସଚ୍ଚି ବୋଷ ଚୋରୀ କରୁଚି । ଧର ଧର । ଭୟରେ ଆର୍ତ୍ତନାଦ କରି ଚାରି ପାଦ ପଛକୁ ଘୁଞ୍ଚି ଆସିଲା । ଚମକି ପଡ଼ି ଚାରିଆଡ଼କୁ ଚାହିଁଲା । କିଏ ଉଠିଲା କି ? ନା’ ଆରପଟକୁ ମୁହଁ କରି ସୁଧାଂଶୁ ଶୋଇ ପଡ଼ିଲା । ଚାକର ନିଃଶ୍ୱାସ ନେବାର ଶବ୍ଦ ନେବାର ଶବ୍ଦ ଭାସି ଆସୁଚି ।

 

ଧୀରେ ଧୀରେ ନିଶ୍ୱାସ ବନ୍ଦ କରି ଟେବୁଲ ପାଖକୁ ଗଲା ।

 

ମନିବ୍ୟାଗରୁ ଦଶ ଟଙ୍କିଆ ନୋଟ ଖଣ୍ଡେ କାଢ଼ି ଛାତି ପକେଟରେ ରଖିଲା ।

 

ରାସ୍ତା ଉପରକୁ ଚାଲି ଆସିଲା ।

 

ଟଂ ଟଂ ହୋଇ ଦୁଇଟା ବାଜିଲା । ସଚ୍ଚିର ନିଦ ହଠାତ୍ ଭାଙ୍ଗିଗଲା l ଟ୍ରେନ ତିନିଟାରେ । ପାଖରେ ଶୋଇଚି ସରୋଜ, ତା ସେପଟକୁ ପ୍ରତିମା । ସରୋଜର ପିନ୍ଧା କାମିଜ ପକେଟରେ ହାତ ପୂରାଇଲା । ଆଠଣିଟା ଅଛି । ତିନି ଦିନ ତଳେ ମଣ୍ଟୁ ବାବୁଙ୍କ ସ୍ତ୍ରୀ ତାକୁ ଦେଇଥିଲେ । ଆଜିଯାଏ ଖର୍ଚ୍ଚ କରିନି, ରଖିଚି । ଆଠଣିଟା ପକେଟରୁ ନେଇ ଆସିଲା । ଅନ୍ତତଃ ସିଗାରେଟ୍ ପାକେଟଟାଏ କିଣାଯାଇ ପାରିବ ।

 

ପ୍ରତିମାକୁ ଉଠାଇଲା । ପ୍ରତିମା କହିଲା, ଏତେ ଶୀତରେ ଯିବ କେମିତି ?

 

ଦିନେ ତ ପୁଣି ବାହାରେ ଏତେ ଶୀତରେ ଶୋଇଥିଲେ ପରି ?

 

ଚାଦରଟା ନେଇଯାଅ ।

 

ତମେ କଣ ଘୋଡ଼ି ହେବ ?

 

ଆମର ଚଳିଯିବ ଯେ, କାଲି ସଞ୍ଜବେଳକୁ ତମେତ ଆସିବ ।

 

ନାଇଁ ଥାଉ, ଏଇ କାମିଜରେ ମୋର ବେଶ ଚଳିଯିବ ।

 

ସଚ୍ଚି ବାହାରକୁ ବାହାରି ପଡ଼ିଲା । ପ୍ରତିମା କହିଲା, ଦେଖାଯାଉ କଣ ଭଗବାନ କରୁଛନ୍ତି, ଯଦି ଭାଗ୍ୟ ଫେରି ଯାଆନ୍ତା !

 

ସଚ୍ଚି ରାସ୍ତା ଉପରକୁ ଆସି ପଛକୁ ଅନାଇଲା । ପ୍ରତିମା କିନ୍ତୁ ଅନ୍ଧାରରେ ଆଉ ଦେଖାଯାଉନି । କବାଟ ପାଖରେ ଠିଆ ହୋଇ ହୁଏତ ତା ଆଡ଼କୁ ଚାହିଚି । କବାଟ ଦେଇ ଦେଇଥିଲେ ସେ ଅଦଭୂତ ଶବ୍ଦଟାତ ନିଶ୍ଚୟ ହୋଇଛାନ୍ତା ! ନା, ପ୍ରତିମା କବାଟ ପାଖରେ ଠିଆ ହୋଇ ତାରି ଆଡ଼କୁ ଚାହିଁଚି ।

 

ଖୁବ୍ ଶୀତ ପଡ଼ିଚି ଏ ବର୍ଷ !

 

ସଚ୍ଚି ଖୁବ୍ ଜୋରରେ ଷ୍ଟେସନ ଦିଗରେ ଦୌଡ଼ିବାକୁ ଆରମ୍ଭ କଲା ।

 

କାଲି ସକାଳୁ ସୁଧାଂଶୁ ଦେଖିବ, ତା ମନିବ୍ୟାଗରେ ଦଶଟଙ୍କାର ନୋଟଟି ନାହିଁ । ଟିକିଏ ଖୋଜିବ, ତାପରେ ପୁଣି ରିସର୍ଚ କାର୍ଯ୍ୟରେ ମନ ଦେବ । କିନ୍ତୁ ସରଜୁ ? ସେହି ସୁଧାଂଶୁ ପରି ସକାଳୁ ଉଠି ଦେଖିବ ତା ପକେଟରୁ ଆଠ’ଣା ପଇସା କୁଆଡ଼େ ପଡ଼ି ଯାଇଚି । ତିନିଦିନ ଧରି କେତେ ଲୋଭକୁ ଜବରଦସ୍ତି ଚାପି, ଯେଉଁ ଆଠ’ଣାକୁ ଅକ୍ଷୁର୍ଣ୍ଣ ରଖାଯାଇ ପାରିଥିଲା, ଗୋଟାଏ ମୁହୂର୍ତ୍ତରେ ତାହା କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଚି ! ହତଭାଗୀ ପାଞ୍ଚ ବର୍ଷର ସରଳ ନିରୀହ ଝିଅ ସରୋଜ କିପରି ଜାଣିବ, ବାପ ଯେଉଁ ବାପ ତାର ଜୀବନ ପାଇଁ ତାର ପ୍ରତି ରକ୍ତବିନ୍ଧୁ ଦେଇଚି-ସେଇ ଆଦରର, ପ୍ରାଣର ବାପ ପୁଣି ଚୋରି କରି ନେଇଚି ସେଇ ଆଠ’ଣା ପଇସା ? ଆଉ ଟିକିଏ ସମୟ ପରେ ସେଇ ଆଠ’ଣା ପଇସା ଆକାଶର ଏଇ ଅନନ୍ତ ଉଦାର ଗର୍ଭରେ ଧୁଆଁ ଆକାରରେ ମିଶିଯିବ ଚିରଦିନ ପାଇଁ, ପଛରେ ପଦଚିହ୍ନ ନରଖି । ତାପରେ....ତାପରେ....ସେ ଆଠ’ଣା ପଇସା କିପରି ଧ୍ୱଂସ ହୋଇଗଲା, କିପରି ଶୂନ୍ୟରେ ପରିଣତ ହୋଇଗଲା, ତାହା ଠିକ୍ କରିବା ସହଜ ହେବ ନାହିଁ ! ଗୋଟିଏ ଅସହାୟା, ନିରୀହ, ହତଭାଗୀ ଝିଅର ସମସ୍ତ ସଂପଦ ଏକ ମୁହୂର୍ତ୍ତରେ ଶୂନ୍ୟରେ ପରିଣତ ହୋଇଯିବ ଚିରଦିନ ପାଇଁ ।

 

ଗୋଟାଏ ରିକ୍ସା ଆସିଲା ପଛରୁ । ରିକ୍ସାର ଉପର ପର୍ଦ୍ଦା ଟେକା ଯାଇଚି । ଗୋଟାଏ ମୋଟା ଲୋକ ବସିଚି ତା ଉପରେ । ପୌଷର ଏ ଅସହ୍ୟ ଶୀତ ତାର ମୋଟା ଚମଡ଼ରେ ହୁଏତ ପଶି ପାରୁନି । ଏ ଲୋକଟା ଏତେ ମୋଟା ହେଲା କିପରି ? ହୁଏତ ପାରାସାଇଟ୍ ପରି ଅନ୍ୟର ରକ୍ତ, ଅନ୍ୟର ଖାଦ୍ୟସାର ଶୋଷଣ କରି ନିଜେ ଏତେ ମୋଟା ହୋଇଚି ।

 

ଗଣତନ୍ତ୍ରର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ହୁଏତ ଲୋକଟା ଓ୍ୟାଟର ପ୍ରୁଫ୍, ଉଷ୍ଣପ୍ରୁଫପରି କୋଣସି ଏକ ପ୍ରଫୁ୍ ଆବିଷ୍କାର କରିଥିବ ନିଶ୍ଚୟ । କାରଣ ଏ ଗଣତନ୍ତ୍ରର ଯୁଗରେ ପାରସାଇଟ୍ ହେବା ଯେ ଅପରାଧ l କିନ୍ତୁ ପ୍ରୁଫ ଗଣତନ୍ତ୍ର ଆଖି ମେସମେରିଜମ୍ ପରି ବାନ୍ଧିଦିଏ । ଆଖିରୁ ଦୃଷ୍ଟିଶକ୍ତି କାଢ଼ିନିଏ ।

 

ଷ୍ଟେସନ ପାଖ ଗୋଟାଏ ଚା ଦୋକାନ ଭିତରକୁ ସଚ୍ଚି ପଶିଗଲା ।

 

ଚା ଚାରି କପ୍ ।

 

ଦୋକାନୀଟି ତା ଆଡ଼କୁ ଟିକିଏ ଚାହିଁଲା । ତାପରେ ଚା ଆଣିଦେଲା । ଚା ପିଇସାରି ତିନି ପ୍ୟାକେଟ କାରଲଟନ୍ ଆଉ ଡିଆସିଲି ମୁଠାଏ କିଣିଲା ।

 

ଷ୍ଟେସନ ।

 

ଗାଡ଼ି ଆସିବାକୁ ଆହୁରି ଅଧଘଣ୍ଟାଏ ଡେରିଅଛି । ପ୍ଳାଟଫର୍ମରେ ଠିଆ ହୋଇ ନିଶବ୍ଦରେ ସିଗାରେଟ ଟାଣିବାରେ ଲାଗିଲା ସଚ୍ଚି । ସିଗାରେଟ୍ ଟାଣିବା ଫଳରେ ଆଉ ଚାରି କପ୍ ଚା ପିଇବା ଫଳରେ ଶୀତ କେଉଁଆଡ଼େ ଛାଡ଼ି କରି ପଳାଇଛି । ମନରୁ ସବୁ ଦୁଶ୍ଚିନ୍ତା ପଳାଇଛି ସିଗାରେଟ୍ ଏଇ ହାଲୁକା ଧୂଆଁରେ ।

 

ଏଁ, ଏ କାହାର ମୁହଁ ? ସେ ମୁହଁଟା ଯେପରି ଚିତ୍କାର କରି ଉଠୁଚି, ଅଧ୍ୟାପକ ସଚ୍ଚି ବୋଷ ଆଜି ଚୋରି କରିଚି, ଅଧ୍ୟାପକ....ସଚ୍ଚି ଦଉଡ଼ି ଦଉଡ଼ି ପ୍ଳାଟଫର୍ମର ଆର ପାଖକୁ ଚାଲିଗଲା-। ହେଲେ ସେ ଲୋକଟା ଯେମିତି ତା ଆଡ଼କୁ ଆଙ୍ଗୁଠି ଦେଖେଇ କହୁଚି, ଅଧ୍ୟାପକ ଚୋରି କରିଚି, ଚୋରି... । ସଚ୍ଚି ଆରପାଖକୁ ମୁହଁ କରି ଠିଆ ହେଲା । ଚାରିଆଡ଼େ ଯେପରି ସେଇ ମୁହଁ, ମୁହଁରେ ବିଦ୍ରୂପାତ୍ମକ ହସ । ସଚ୍ଚି ଆଖି ବୁଜି ଦେଲା । ମନ ଭିତରୁ କିଏ ଯେପରି ଚିତ୍କାର କରି ଉଠିଲା,…ସଚ୍ଚିବୋଷ ଆଜି ମାନବିକତାର, ମନୁଷ୍ୟତାର ବେକ ମୋଡ଼ି ଦେଇଛି । ଅଧ୍ୟାପକ ସଚ୍ଚି ବୋଶ ମାନବିକତାର ତଣ୍ଟି ଚିପି ଦେଇଚି ।’

 

ନା, ନା, କି ଦୁର୍ବଳ ସେ ! ସରି ଆସିଥିବା ସିଗାରେଟକୁ ଫିଙ୍ଗି ଦେଇ ନୂଆ ସିଗାରେଟଟାଏ ଲଗାଇଲା । ମନ ଭିତରୁ, ହୃଦୟ ଭିତରୁ ଉଠୁଥିବା ସେଇ ରୂପକୁ ଲୁଚାଇ ଦେବାକୁ ବସିଲା ସିଗାରେଟର ହାଲୁକା ନୀଳ ଧୂଆଁରେ ।

Image

 

(ଚାରି)

 

ଟ୍ରେନରେ ଗୋଟାଏ ଥାର୍ଡ଼କ୍ଳାସ କମ୍ପାର୍ଟମେଣ୍ଟକୁ ସଚ୍ଚି ଉଠିଯାଇ ଦେଖିଲା କମ୍ପାର୍ଟମେଣ୍ଟଟା ଭର୍ତ୍ତି ହୋଇ ନ ଥିଲେ ମଧ୍ୟ ସବୁ ବେଞ୍ଚଗୁଡ଼ିକ ଅଧିକୃତ ହୋଇ ସରିଚି । ଦୁଇଟି ବେଞ୍ଚରେ ଦୁଇଜଣ ବେଶ ଆରାମରେ ସୋଇ ଯାଇଛନ୍ତି । ବାକୀ ଦୁଇଟି ବେଞ୍ଚ ପୂର୍ଣ୍ଣ । ଉପରେ ଯେଉଁଠି ଲଗେଜ୍ ରଖାଯାଏ, ଅଧିକୃତ କରିଛନ୍ତି କେତେଜଣ ଲୋକ । ଆଜି ଏ ବିଂଶ ଶତାବ୍ଦୀରେ ମଣିଷ କଣ ଲଗେଜ ହୋଇଯାଇଚି ? ଉଚ୍ଚ ଶିକ୍ଷିତ, ସଭ୍ୟ ମଣିଷ କଣ ଲଗେଜ, ଜିନିଷପତ୍ରର ସ୍ଥାନ ପୂରଣ କରିଛି ? ସେ କେତେ ସମୟ ରେଲିଂ ଧରି ଠିଆ ହୋଇ ରହିଲା ।

 

ଟ୍ରେନ୍ ଚାଲିବା ପରେ ସଚ୍ଚି କବାଟ ବନ୍ଦକରି ଭିତରକୁ ଆସିଲା । ଝରକା ପଟେ ଥିବା ବେଞ୍ଚରେ ଯେଉଁ ଲୋକଟା ବେଶ୍ ନିଶ୍ଚିନ୍ତରେ ଶୋଇଚି, ଦେହରେ ତାର ଗୋଟାଏ ମାଟିଆ ମଇଳା ହାଫପ୍ୟାଣ୍ଟ ଆଉ ଶସ୍ତା ତୂଳା କମ୍ବଳ ଗୋଟାଏ । ଆର ପଟ ବେଞ୍ଚରେ ଯେ ଶୋଇଚି ତାକୁ ବତିଶ ବୟସ ଯାଏ ହେବ । ଦେହରେ ତାର ଗରମ ସୁଟ । ହାତରେ ରିଷ୍ଟଓ୍ୟାଚ ।

 

ଝରକା ପାଖକୁ ଶୋଇଥିବା ଲୋକଟାକୁ ସଚ୍ଚି ହଲାଇ ଦେଇ କହିଲା, ହୋ, ମହାଶୟ, ଟିକିଏ କଷ୍ଟ କରି ଉଠିବେ କି ? ହୋ ମହାଶୟ, ବାବୁ ଟିକିଏ ଉଠନ୍ତୁ ନା, ଟିକିଏ ଜାଗା–ହୋ ବାବୁ-!

 

ଲୋକଟି ହଠାତ୍ ଉଠି ବସିଲା । ସଚ୍ଚିଆଡ଼େ ଚାହିଁଲା । ଆଖିର ଚାହାଣୀ ତଳେ ସଚ୍ଚିକୁ ଧ୍ୱଂସ କରି ଦେବାର ଇଂଗିତ ଯେପରି ଲୁଚି ରହିଚି । ଲୋକଟା ଯଦି ମହାଦେବ ହୋଇଥାନ୍ତା, ହୁଏତ ବର୍ତ୍ତମାନ କପାଳରେ ତୃତୀୟ ଆଖି ବାହାର କରି ତାକୁ ଭସ୍ମ କରି ଦିଅନ୍ତା ଏକ ମୁହୂର୍ତ୍ତରେ ! ସଚ୍ଚି ରକ୍ଷା ପାଇଗଲା । ଏଇ ବିଂଶ ଶତାବ୍ଦୀରେ ପ୍ରକୃତରେ ଯଦି ସଚଳ ମହାଦେବ ଥାଆନ୍ତେ, ତେବେ କେତେ ଲୋକ ଯେ ହଠାତ୍ ଶୂନ୍ୟରେ ପରିଣତ ହୋଇ ଯାଉଥାନ୍ତେ କିଏ ତାର ହିସାବ ଦେବ ?

 

ଝରକା ବନ୍ଦ କରି ଦେଇ ସଚ୍ଚି ଚୁପ୍ ହୋଇ ବସିଲା ।

 

କାହିଁକି ମତେ ଉଠେଇଲ ?

 

ବସିବାକୁ ଜାଗା ନଥିଲା ।

 

ଲୋକଟା ସଚ୍ଚି ଆଡ଼କୁ ଅନାଇ କହିଲା, ଟିକେଟ୍ ଅଛି ତ ?

 

ଆପଣ କଣ ଟିକେଟ୍ ଚେକର ?

 

ତଥାପି ଜାଣିବାକୁ ଚାହୁଚି ।

 

ମୁଁ ସେ କଥା ଆପଣଙ୍କ ଆଗେ କହିବାକୁ ପ୍ରସ୍ତୁତ ନୁହେଁ ।

 

ଆପଣଙ୍କ ଘର ?

 

ସଚ୍ଚି ନୀରବ ରହି ଖଣ୍ଡେ ସିଗାରେଟରେ ନିଆଁ ଲଗାଇଲା । ଆଉଖଣ୍ଡେ ସିଗାରେଟ ବାହାର କରି ସେ ଲୋକକୁ ଯାଚିଲା, ମହାଶୟ କିଛି ମନେ କରିବେନି, ସିଗାରେଟ ଖଣ୍ଡେ ନିଅନ୍ତୁ ।

 

ସିଗାରେଟରେ ବିଷ ଦିଆ ହୋଇନିତ ?

 

ମୁଁ ଚୋର କିମ୍ବା ଡକାୟତ ନୁହେଁ ।

 

ଜାଣିଲି, କିନ୍ତୁ ସିଗାରେଟରେ ବିଷ ଦେବା ଆଜିକାଲିତ ବହୁତ ହେଉଚି । ମୁଁ କିପରି ଜାଣିବି ଆପଣ ଭଦ୍ରଲୋକ !

 

ବିଶ୍ୱାସ ଯଦି ନ କରନ୍ତି, ତେବେ ମୋ ଅନୁରୋଧଟା ମୁଁ ଫେରାଇ ନେଉଚି ।

 

ବିଶ୍ୱାସରେ ତ ବିଷ ଦେବା ଖୁବ ସହଜ ।

 

ସଚ୍ଚି ସିଗାରେଟଟିକୁ ଖୋଳ ଭିତରେ ପୂରାଇ ଦେଇ ପକେଟରେ ରଖିଲା । ଲୋକଟି କେତେ ସମୟ ଧରି ସଚ୍ଚିକୁ ଅନାଇଲା, ତାପରେ କହିଲା, ଆପଣ କ’ଣ ପୂର୍ବବଙ୍ଗରୁ ଆସିଚନ୍ତି ? ଜଣା ପଡ଼ୁଛନ୍ତି, ନିଶ୍ଚୟ ହୋଇଥିବେ ।

 

ସଚ୍ଚି ଖୋଲାଥିବା ଝରକା ଦିଗରେ ଚାହିଁ କହିଲା, ହଁ ।

 

ଓଃ ତାହେଲେ-ଆପଣ କଣ ଇଣ୍ଟରଭ୍ୟୁକୁ ଯାଉଚନ୍ତି ?

 

ନିଶ୍ଚୟ !

 

ସଚ୍ଚି ଚାହିଁଲା ସେ ଲୋକଟା ଆଡ଼େ । ସେ ଲୋକର ମୁହଁରେ ଗୋଟାଏ ବିକୃତ ହସ ଫୁଟି ଉଠିଚି । ଦୁଇ ହାତ ଟେକି ନମସ୍କାର କଲା ଲୋକଟା । ତାପରେ ହାତ ଦେଖାଇ ମାଗିଲା, ବର୍ତ୍ତମାନ ଦେଇପାରନ୍ତି, ସିଗାରେଟ ଖଣ୍ଡେ ଖାଇବାକୁ ପ୍ରସ୍ତୁତ ଅଛି । ସିଗାରେଟରେ ନିଆଁ ଲଗାଉ ଲଗାଉ ଲୋକଟା କହିଲା, ମୋ ନାଁ ନୃପେନ୍ଦ୍ର ମିତ୍ର । ମୋ ଘର ପୂର୍ବବଙ୍ଗରେ, ମୁଁ ଆଶ୍ରୟପ୍ରାର୍ଥୀ । ଶୀତଦିନର ଏଇ ଶୀତରାତିରେ ସିଗାରେଟ୍ ଖଣ୍ଡକର ମୂଲ୍ୟ କମ ନୁହେଁ ! ଓଃ ବାବୁ, ଆପଣଙ୍କ ନାଁଟା କଣ ?

 

ସଚ୍ଚିଦାନନ୍ଦ ବୋଷ ।

 

ସଚ୍ଚିବାବୁ, ୟାଡ଼କୁ ଟିକେ ଆସନ୍ତୁ-ଖୁବ୍ ପାଖକୁ ।

 

ସଚ୍ଚି ତାଙ୍କର ଖୁବ୍ ପାଖକୁ ଘୁଞ୍ଚିଗଲା । ନୃପେନ୍ଦ୍ର ବାବୁ କହିଲେ, ଆପଣ ବର୍ତ୍ତମାନ କେଉଠି ଅଛନ୍ତି ଜାଣିପାରେ କି ?

 

ଜଣକ ଘରେ ରହିଚି ।

 

ମୁଁ ପ୍ରଥମେ ଥିଲି ଚଉଦ୍ୱାରରେ, ଆଶ୍ରୟପ୍ରାର୍ଥୀମାନଙ୍କ ପାଇଁ ହୋଇଥିବା ସରକାରୀ ଘରେ । ପ୍ରତିଦିନ ଗଣ୍ଡାଏ ଖାଇବାକୁ ଯାହା ମିଳେ । ତାପରେ ଚାଲି ଆସିଲି ସେଠାରୁ । ପୂର୍ବବଙ୍ଗରେ ଥିଲି ବ୍ୟବସାୟୀ, ଆଉ ଏଠିକି ଗଣ୍ଡାଏ ଭାତ ଖାଇ ମୁଁ ଚୁପ୍ ରହି ପାରେ ? ଚାଲି ଆସିଲି ।

 

ସଚ୍ଚି ପାଖକୁ ଆଉ ଟିକିଏ ଘୁଞ୍ଚି ନୃପେନ୍ଦ୍ର ଆସି ପଚାରିଲା, ଟିକଟ କରିଛନ୍ତି ?

 

ସଚ୍ଚି ମୁଣ୍ଡ ହଲାଇ କହିଲା, ହଁ ।

 

ନୃପେନ ମୁଣ୍ଡ ହଲାଇ କହିଲା, ବୋକା ଆପଣ !

 

କାହିଁକି ?

 

ବୋକା ନୁହନ୍ତି ? ରାତି ତିନିଟାରେ ଗାଡ଼ିରେ କେହି ତ ଟିକେଟ ଚେକ୍ କରିବାକୁ ଆସିବନି । ଯଦି ବା ଆସେ ଆଶ୍ରୟପ୍ରାର୍ଥୀ କହିଲେ ନିଶ୍ଚୟ ଛାଡ଼ିଦେବ । ଗଭର୍ଣ୍ଣମେଣ୍ଟରୁ ମିଳିଚି ପାଞ୍ଚଟଙ୍କା । ଏତକ ଟଙ୍କାରେ କେତେଗୁଡ଼ାଏ ସିଗ୍ରେଟ ଅନ୍ତତଃ କିଣାଯାଇ ପାରିବ ।

 

ନୃପେନ୍ଦ୍ର ସିଟରୁ ଉଠି ଆରପାଖ ବେଞ୍ଚରେ ଶୋଇଥିବା ଲୋକଟିକୁ ଉଠାଇଲା । ଯୁବକଟି ବେଞ୍ଚ ଉପରେ ବସି ଉଠିଲା । ସଚ୍ଚି ଦିଗରେ ହାତ ଦେଖାଇ ନୃପେନ୍ଦ୍ର କହିଲା, ଏ ବି ପୂର୍ବ ବଙ୍ଗରୁ ଆସିଚନ୍ତି, ଇଣ୍ଟରଭ୍ୟୁରେ ଯାଉଛନ୍ତି । ଯୁବକଟି ଦୁଇହାତ ପାପୁଲିରେ ଆଖି ଦୁଇଟିକୁ ମଳି ସଚ୍ଚି ଆଡ଼େ ଚାହିଁଲା । ନୃପେନ୍ଦ୍ର କହିଲା, ୟାଙ୍କ ନାମ ହେଉଚି ସଚ୍ଚି ବୋଷ, ଆଉ ସଚିବାବୁ ୟାଙ୍କ ନାଁ ହେଉଛି ଅମରେନ୍ଦ୍ର ଗଙ୍ଗୋପାଧ୍ୟାୟ-ଅଳ୍ପରେ କହିବାକୁ ହେଲେ ଅମର ଗାଙ୍ଗୁଲି । ଏ ବି ପୂର୍ବ ବଙ୍ଗୀୟ । ଏ କଲିକତାରୁ–କୃତିତ୍ୱ ସହ ବି. ଏସ.ସି ପାଶ କରି ନୋଆଖାଲିରେ ଚାକାରୀ କରୁଥିଲେ-। ତାପରେ ଏବେ ଏକାଠି ଅଛୁ । ଏ ବି ଚାଲି ଆସିଚନ୍ତି ସରକାରୀ ସାହାଯ୍ୟ କେନ୍ଦ୍ରରୁ ।

 

ଅମର ନମସ୍କାର ହେଲା ସଚ୍ଚିକୁ ଆଉ ସଚ୍ଚି ପ୍ରତିନମସ୍କାର ଜଣାଇଲା ।

 

ନୃପେନ୍ଦ୍ର ଆସି ନିଜ ସିଟ୍ ଉପରେ ସେଇ ଶସ୍ତା କମ୍ବଳ ଖଣ୍ଡକ ଘୋଡ଼ାଘୋଡ଼ି ହୋଇ ବସିଲା । କହିଲା, ବୁଝିଲେ ସଚ୍ଚି ବାବୁ, ମୁଁ ପାଶ ମାଟ୍ରିକ୍ । ସେଥିପାଇଁ ଇଣ୍ଟରଭ୍ୟୁରୁ ଡାକରା ଆସିଚି, ନ ହେଲେ ଇଣ୍ଟରଭ୍ୟୁ କିଏ, ମୁଁ କିଏ ! ହଠାତ୍ ନୃପେନ୍ଦ୍ର କାନ୍ଦିବାକୁ ଆରମ୍ଭ କଲା । ସଚ୍ଚି ପଚାରିଲା ଅମରକୁ । ଅମର କହିଲା, ତାଙ୍କର ମନେ ପଡ଼ୁଚି ତାଙ୍କ ଝିଅ କଥା ।

 

କିଛି ସମୟ ପରେ ନୃପେନ୍ଦ୍ର କାନ୍ଦ ବନ୍ଦ କରି କହିଲା, ହଁ ମୋ ଝିଅ ଆରତୀ କଥା ମନେ ପଡ଼ିଲେ ଟିକିଏ କାନ୍ଦ ମାଡ଼େ । ବଂଶ ସାରା ଶେଷ ହୋଇ ଯାଇଥିଲେ, ବାକିଥିଲା ଆରତୀ, ତାକୁ ଆସିଲାବେଳେ କଲିକତା...ତା’ପରେ ତାପରେ...ପୁଣି କାନ୍ଦିବାକୁ ଲାଗିଲା । ତାପରେ ପୁଣି ଆରମ୍ଭ କଲା–କଲିକତାରେ ତାକୁ ବିକ୍ରୀ କରିଦେଲି ଗୋଟାଏ ପ୍ରଫେସରକୁ । ମତେ ପଚାଶଟା ଟଙ୍କା ଦେଇଥିଲା...ଦେଖିଲ ସଚ୍ଚିବାବୁ ସେ ଟଙ୍କା କଣ ଏ ଦେହକୁ ସୁନ୍ଦର କରିପାରିଲା ନା ମୋଟା କରିପାରିଲା ? ଆରତୀ ସୁନ୍ଦରୀ ଆଉ ଗୁଣବତୀ ଝିଅଟିଏ ଥିଲା । କେତେ ଗୀତ ସିଲେଇ ଶିଖିଥିଲା । ମାଇନର ପାଶ କରି ମାଟ୍ରିକ୍ ଅଧାଯାଏ ପଢ଼ିଥିଲା–ଶେଷରେ ପୁଣି ବିକା ହେଲା । ଆରତୀର ମାଂସ, ତାର ରକ୍ତ, ତାର ବୁଦ୍ଧି, ତାର ଘରକରଣା, ତାର ସୌନ୍ଦର୍ଯ୍ୟ, ତାର ଗୁଣ ସବୁ ବିକ୍ରୀ ହୋଇ ମୋଟେ ମିଳିଲା ପଚାଶଟା ଟଙ୍କା ! ଆଧୁନିକ ସ୍ୱାଧୀନ ଭାରତରେ ଗୋଟିଏ ନାଗରିକର ବିକ୍ରୀ ଲବ୍ଧ ଧନ ଆଉ ଗୋଟାକୁ ନା ମୋଟା କରିପାରିଲା-ନା ସୌନ୍ଦର୍ଯ୍ୟ ଦେଇ ପାରିଲା ?

 

ସେ ପଚାଶ ଟଙ୍କାରୁ ପୁଣି କଲିକତାରୁ ଆସିଲା ବେଳେ ଗୋଟିଏ ପକେଟମାରୁ ମାରିନେଲା ତିରିଶ୍ ଟଙ୍କା ! ଦିନ ପାଞ୍ଚଟା ଭିତରେ ଗୋଟିଏ ମଣିଷର ମୂଲ୍ୟ ଶେଷ ହୋଇଗଲା ।

 

ସଚ୍ଚି ମୁହଁ ଟେକି କହିଲା, କମ୍ ଆଶ୍ଚର୍ଯ୍ୟତ ନୁହେଁ ।

 

ସେତକ ଟଙ୍କାରେ ଯଦି ବ୍ୟବସାୟ ଆରମ୍ଭ କରି ଦେଇଥାନ୍ତି–ତାହେଲେ ଆଜି ହୁଏତ କିଛି ରୋଜଗାର ମୁଁ କରି ପାରୁଥାନ୍ତି । କିନ୍ତୁ ଉପରେ ଉପରେ ଉଡ଼ିଗଲା ସେ ଟଙ୍କା ।

 

ଅମର ପଚାରିଲା, ଆଛା, ସଚ୍ଚିବାବୁ, ଆପଣ କଣ ପାଶ୍ କରିଛନ୍ତି ?

 

ଏଇ, ଏମ୍, ଏ

 

ଏମ୍. ଏ. ?

 

ହଁ.....

 

ଆପଣ ଆଗରୁ କଣ କରୁଥିଲେ ?

 

ପ୍ରଫେସର ଥିଲି ସେଠାରେ ।

 

କି ପ୍ରଫେସର ?

 

ଇତିହାସରେ ।

 

ନୃପେନ୍ଦ୍ର ଆଖିରୁ କମ୍ବଳରେ ଲୁହ ପୋଛି କହିଲା, ପ୍ରଫେସର ? ପ୍ରଫେସର ସବୁ ଚୋର, ବଦମାସ । କଲିକତାର ସେ ପ୍ରଫେସର ଶିକ୍ଷିତ, ଧନୀ । ଦେଖିଲତ ତାକୁ ? ଆଉ ଗୋଟାଏ ପ୍ରଫେସର କଥା ଶୁଣିବ ? କଟକରେ, ତା ନା ପ୍ରଫୁଲ୍ଲ ପଟ୍ଟନାୟକ, ସେ ବି ଇତିହାସ ଅଧ୍ୟାପକ ଗୋଟାଏ । ଗଭର୍ଣ୍ଣମେଣ୍ଟ ଆଶ୍ରୟ ଜାଗାରୁ ଆସି ଷ୍ଟେସନ ପାଖରେ ହୋଇଚି, ସେ ମତେ ଦେଖିଲା । ତା ମଟରରେ ବସାଇ ଘରକୁ ନେଇ ଦୁଇଦିନ ରଖି ଖାଇବା ପିଇବାକୁ ବି ଦେଲା । ଶେଷରେ ଦିନେ କହିଲି, ମତେ ଶହେଟା ଟଙ୍କା ଦିଅନ୍ତୁ, ମୁଁ ଗୋଟିଏ ବ୍ୟବସାୟ କରିବି । କହିଲା, ତମ ଦେଇ କି ବ୍ୟବସାୟ ହେବ ଶୁଣେ ? ମାରୁଆଡ଼ି ଛୁଆତ ପୁଣି ବ୍ୟବସାୟ କରେ ।

 

କହିଲି, ହେବ ଯଦି ଗୋଟାଏ ଗେଂଜି ବ୍ୟବସାୟ କରିବି । ରାସ୍ତା କଡ଼ରେ ବସି ଗେଂଞ୍ଜି ବିକିବି । ହସିଲା, କହିଲା, ତାଠାରୁ ବରଂ ଆଉ ଗୋଟାଏ ଭଲ କଥା କହୁଚି । କର, ଭଲ ହେବ । ମୋ ଘରେ ରୋଷେଇ କର । ମୁଁ ମାସକୁ ପାଞ୍ଚଟଙ୍କା ଲେଖାଏଁ ଦେବି, ଆଉ ପିନ୍ଧିବାକୁ, ଖାଇବାକୁ ଦେବି । ନୂଆ ହୋଇ ବାହା ହୋଇଚି ନା । ତା ସ୍ତ୍ରୀର କୋମଳ ସୁନ୍ଦର ହାତ ରୋଷେଇ କଲେ କୁଆଡ଼େ ନଷ୍ଟ ହୋଇଯିବ ! ସେଇଦିନ ଭାରି ଇଚ୍ଛା ହେଉଥିଲା-ସେଇଠି ତା ବେକଟାକୁ ମୋଡ଼ି ଦେବାକୁ । ନିଶ୍ଚୟ ଦିନେନା ଦିନେ ତା ବେକ ମୋଡ଼ିବି । ତାପରେ ମୁଁ ନାହିଁ କଲାରୁ ଚାକର ହାତରେ ଧକ୍କା ଦେଇ ଦୁଆରବନ୍ଧ ଏ ପଟେ ଛାଡ଼ି ଦେଇଥିଲା । ତାପରେ ହସି ଉଠିଥିଲା ଖୁବ୍ ଜୋରରେ । ତାର ସେ ନିର୍ମମ ନିଷ୍ଠୁର ହସ ଆଜିଯାଏ ମୁଁ ବି ଭୁଲି ପାରିନି । ଦିନେ ତାକୁ ଖୁଣ କରି ମୁଁ ବି ହସିବି ସେପରି ହସ-ହାଃ-ହାଃ-ହାଃ, ଚିହ୍ନିନି ନୃପେନ୍ଦ୍ର ମିତ୍ରକୁ, ନା ?

 

ଅମର କହିଲା, ଏଇ ଡବାରେ ଯେତେକ ଅଛନ୍ତି, ସମସ୍ତେ ପୂର୍ବବଙ୍ଗର, କେବଳ ଦୁଇଜଣଙ୍କୁ ଛାଡ଼ି । ସେ ଦୁଇଜଣ ପଶ୍ଚିମ ପଞ୍ଜାବର–ସମସ୍ତେ ଚାଲିଛନ୍ତି ସେଇ ଇଣ୍ଟରଭ୍ୟୁକୁ । ଇଣ୍ଟରଭ୍ୟୁକୁ ଯାଇ ଯାଇ ଗୋଡ଼ରୁ ପାଣି ମଲାଣି । କିନ୍ତୁ ଚାକିରି କାହିଁ ?

 

ସଚ୍ଚି କହିଲା, ଆଜିକାଲି ଚାକିରି ସିନା ଖାଲି ହେଲେ ମିଳିବ । ଖାଲି ହେଉଛି କେଉଁଠି-? ପୁଣି ଏ ପ୍ରଦେଶରେ ଲୋକମାନଙ୍କୁ ତ ଚାକିରି ଦିଆଯିବ ?

 

ସଚ୍ଚି ଗୋଟାଏ ସିଗାରେଟରେ ନିଆଁ ଲଗାଇ ଗୋଟାଏ ସିଗାରେଟ୍ ନୃପେନ୍ଦ୍ରକୁ ଦେଲା । ଅମର ମନାକଲା ସିଗାରେଟ୍ ଖାଇବାକୁ । ସିଗାରେଟ୍ ଅଭ୍ୟାସ ତାର ନାହିଁ ।

 

ଅମର କହିଲା, ପଶ୍ଚିମବଙ୍ଗ ତ ପଶ୍ଚିମ ବଙ୍ଗ ଲୋକଟା ପାଇଁ, ଆସାମ ତ ଆସାମ ମାନଙ୍କ ପାଇଁ; ବିହାର ବିହାରୀମାନଙ୍କର, ଓଡ଼ିଶା ଓଡ଼ିଆମାନଙ୍କର; ମାନ୍ଦ୍ରାଜ ମାନ୍ଦ୍ରାଜୀଙ୍କର । ତେବେ କେଉଁ ପ୍ରଦେଶ ରହିଲା ଆଉ ଆମ ପାଇଁ ?

 

ନୃପେନ୍ଦ୍ର ସିଗାରେଟ ଧୂଆଁ ଛାଡ଼ୁ ଛାଡୁ କହିଲା, ସେତିକି ନୁହେଁ, ଭାରତ ସରକାର ମଧ୍ୟ ମନା କଲେଣି ଆଉ ଯଦି ଏଣିକି ଆଶ୍ରୟପ୍ରାର୍ଥୀ ପାକିସ୍ଥାନରୁ ଆସନ୍ତି ତେବେ ସେମାନଙ୍କୁ ଆଉ ସରକାର ସାହାର୍ଯ୍ୟ ଦେଇ ପାରିବେନି ।

 

ସଚ୍ଚି ଅନ୍ୟ ମନସ୍କ ଭାବରେ କହିଲା, ଆଉ କେତେ ଦିନ ପରେ ହୁଏତ ଶୁଣିବେ ଆପଣମାନେ, ଏଇ ଶରଣାର୍ଥୀମାନଙ୍କ ପାଇଁ ପୃଥିବୀରେ ଆଉ ଜାଗା ନାହିଁ ।

 

ସେତେବେଳେ ହୁଏତ ତ୍ରିଶଙ୍କୁଙ୍କ ପରି ସ୍ୱର୍ଗ ଆଉ ମର୍ତ୍ତ୍ୟ ଭିତରେ ମଝିରେ ଝୁଲିବାକିୁ ପଡ଼ିବ ଆମମାନଙ୍କୁ-ମର୍ତ୍ତ୍ୟ ତ ନାହିଁ କଲା, ଆଉ ଆମମାନଙ୍କ ଭଳି ପାପୀମାନଙ୍କ ପାଇଁ ସ୍ୱର୍ଗଦ୍ୱାର ହୁଏତ ବନ୍ଦ ! ଅମର କହିଲା ।

 

ଆର ଜନ୍ମରେ କି ଅପରାଧ କରିଥିଲେ ଆମେ ? ନୃପେନ ପଚାରିଲା ।

 

ହୁଏ ତ ହଡ଼ା ବେପାର କରିଥିଲେ ନ ହେଲେ କାହାକୁ ହଇରାଣ କରିଥିଲେ।

 

ସଚ୍ଚି ପ୍ରତିବାଦ କଲା-ନା, ବିଂଶ ଶତାବ୍ଦୀରେ ଏହାକୁ ମୁଁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ।

 

ନୃପେନ୍ଦ୍ର ସଚ୍ଚି ପାଖକୁ ଘୁଞ୍ଚି ଆସି ଚୁପଚାପ କହିଲା, ସେତେବେଳେ କାହିଁକି ସିଗାରେଟ୍ ଖାଇବାକୁ ମନା କରୁଥିଲି ଜାଣିଚ ? କାରଣ ମୋ ପାଖରେ ଅଛି ବିଷ ସିଗାରେଟ ।

 

ସଚ୍ଚି ଚମକି ଉଠି କହିଲା, ଏଁ ?

 

ଚୁପ୍ ଚୁପ୍, ପାଟି କରନି, ଶୁଣ ମୋ ପାଖରେ ଅଛି ବିଷ ସିଗାରେଟ । ଏଇ ସାଧାରଣ ସିଗାରେଟ୍ ଭିତରେ ବିଷ ଗୁଞ୍ଜି ଦିଆଯାଇଚି । ନହେଲେ ସାଧାରଣ ସିଗାରେଟ୍ ଆଉ ତା ଭିତରେ କିଛି ପ୍ରଭେଦ ନାହିଁ । ଏ ଡବାରେ ଯେତେକ ଅଛନ୍ତି ସମସ୍ତେ ଆମରି ଦଳର । ଦେଖିବ ବିଷ ସିଗାରେଟ୍ ? ପକେଟରୁ ଗୋଟାଏ ଗୋଲଡ଼ଫ୍ଳେକ୍ ସିଗାରେଟ୍ ପ୍ୟାକେଟ୍ କାଢ଼ିଲା ନୃପେନ୍ଦ୍ର । ସଚ୍ଚି ତା’ ଭିତରୁ ଦୁଇ ତିନିଟା ସିଗାରେଟ୍ ନେଇ କିଛି ସମୟ ପରୀକ୍ଷା କଲା । ତାପରେ ଫେରାଇ ଦେଲା ସିଗାରେଟ୍ ପ୍ୟାକେଟଟା । ନୃପେନ୍ଦ୍ର ଡାହାଣ ପାଖ ପ୍ୟାଣ୍ଟ ପକେଟରେ ରଖିଲା ସିଗାରେଟ ପ୍ୟାକେଟଟା । କମ୍ବଳ ଭିତରୁ ବାହାର କଲା ଗୋଟାଏ ପିସ୍ତଲ । ସଚ୍ଚି ଆତଙ୍କରେ ଚିତ୍କାର କରି ଉଠିଲା ।

 

ବନ୍ଧୁ, କ’ଣ ଅଛି ଶୀଘ୍ର ବାହାର କର !

 

ସଚ୍ଚି ଦୁଇପାଦ ପଛକୁ ଘୁଞ୍ଚିଗଲା ।

 

ନୃପେନ୍ଦ୍ର ପାଟି କଲା, ଚୁପ, ଟ୍ରେନର ଚେନକୁ ଟାଣିବାକୁ ଚେଷ୍ଟା କରନାହିଁ । ନୃପେଦ୍ର ସଚ୍ଚି ଦିଗରେ ପିସ୍ତଲଟା ଦେଖାଇଲା-କଣ ଅଛି ବାହାର କର ଶୀଘ୍ର ।

 

ସଚ୍ଚି ଛାତି ପକେଟରୁ ଛ’ଟଙ୍କାର ଟଙ୍କିକିଆ ନୋଟ ଆଉ କଡ଼ ପକେଟରୁ ରେଜା ଦଶଣାର, ସିଗାରେଟ୍ ପାକେଟ ତିନିଟା ବାହାର କରି ବେଞ୍ଚ ଉପରେ ଥୋଇଦେଲା ।

 

ନୃପେନ୍ଦ୍ର କହିଲା, ଆଉ କଣ ଅଛି ବାହାର କର ।

 

ସଚ୍ଚି ନୀରବ ରହି ମୁଣ୍ଡ ହଲାଇ ମନା କଲା ।

 

ଆଉ କଣ ଅଛି ବାହାର କର, ନ ହେଲେ–

 

ସଚ୍ଚି ଅନାଇଲା ପିସ୍ତଲର ଘୋଡ଼ା ଉପରେ ନୃପେନ୍ଦ୍ର ଆଙ୍ଗୁଠି ଦେଇଚି । ପିସ୍ତଲଟା ଟ୍ରେନ ଭିତର ଆଲୋକରେ ଜିକ୍ ଜିକ୍ କରୁଚି । ନୂଆ ପିସ୍ତଲଟା । ବନ୍ଧୁତା କରି ବେଶ ତ ବିଷ ଦିଆଯାଇପାରେ ।

 

ହଠାତ୍ ସଚ୍ଚିର ମନେ ହେଲା, ପୃଥିବୀରେ ସମସ୍ତ ଦୁଃଖ ଭିତରେ ବଞ୍ଚି ରହିବା କି ସୁଖକର ! ହାତ ଯୋଡ଼ି କହିଲା, ମତେ ଛାଡ଼ି ଦିଅ, ମାର ନାହିଁ–

ଜୀବନ ଜଳେ

 

ନୃପେନ୍ଦ୍ର ଦୃଢ଼ ଭାବରେ କହିଲା, କାହିଁକି ? ବଞ୍ଚିବାକୁ ଚାହୁଁ ?

 

ହଁ ।

 

କାହିଁକି ? ଆଶ୍ରୟପ୍ରାର୍ଥୀ ହୋଇ ଏତେ ଦୁଃଖ କଷ୍ଟରେ କାହିଁକି ବଞ୍ଚି ରହିବାକୁ ଚାହୁଁ ? କେଉଁଥିପାଇଁ ? ତାଠାରୁ ବରଂ ପିସ୍ତଲର ଏଇ ଗୁଳିରେ ମରିବା ଭଲ । ଏକ ମୁହୂର୍ତ୍ତ ମଧ୍ୟରେ ଘୁଞ୍ଚିଯିବ ସମସ୍ତ ଦୁଃଖ, ଦୁର୍ଦ୍ଦଶା, ଯନ୍ତ୍ରଣା, ଭୋକ ଶୋଷ, ସମସ୍ୟା–କ’ଣ ମରିବାକୁ ଚାହଁ ନାହିଁ ?

 

ସଚ୍ଚି ବ୍ୟାକୁଳ ଆଖିରେ, ଅନୁନୟ ଚାହାଣୀରେ ଅନେଇ ରହିଲା ନୃପେନ୍ଦ୍ର ଆଡ଼କୁ । ନୃପେନ୍ଦ୍ର ପୁଣି ପାଟି କଲା-କହ, ଶୀଘ୍ର କହ, କାହିଁକି ବଞ୍ଚିବାକୁ ଚାହଁ ?

 

ସଚ୍ଚି ଅସ୍ପଷ୍ଟ ଭାବରେ କହିଲା, ବଞ୍ଚିବାକୁ ଚାହେଁ, କିନ୍ତୁ ଜାଣେନା...ତାପରେ ପାଟିରୁ ଆଉ କଥା ବାହାରିଲାନି । ପାଟି ଭିତରୁ ଜିଭଟାକୁ କିଏ ଯେପରି ଓଟାରି ନେଲା ।

 

ଶୀଘ୍ର କହ !

 

ସଚ୍ଚି ଦେଖିଲା ସମସ୍ତ କମ୍ପାର୍ଟମେଣ୍ଟଟି ପିସ୍ତଲର ସେଇ ମୁହଁ ମଧ୍ୟରେ ଲୀନ ହୋଇ ଯାଇଚି ଯେପରି ! ସେଇ ପିସ୍ତଲର ଗହ୍ୱର ଭିତରୁ ବାହାରି ଆସିବ ଗୁଳି...ଗୋଟିଏ ମୁହୂର୍ତ୍ତରେ ଶେଷ ହୋଇଯିବ ଅଧ୍ୟାପକ ସଚ୍ଚି ବୋଷ...ଇତିହାସ ଅଧ୍ୟାପକ ସଚ୍ଚି ବୋଷ, ଗବେଷକ ସଚ୍ଚି ବୋଷ ଆଉ ଆଶ୍ରୟପ୍ରାର୍ଥୀ ସଚ୍ଚି ବୋଷ !

 

ପ୍ରତିମାର ପଶିଲା ଆଖିରୁ ଝରି ପଡ଼ୁଛି ଦୁଇଧାର ଲୁହ । ସେ କହୁଚି, ଏତେ ଦୁଃଖ ଭିତରେ ମତେ ଛାଡ଼ିଗଲ ? ସେଆଡ଼ୁ ଆସିଲା ମଣ୍ଟୁ, କାନି ଧରି ଭିଡ଼ା ହେଲା ପ୍ରତିମାର । ସ୍ୱାମୀ ମରିଗଲା ବୋଲି ଏତେ ଦୁଃଖ କାହିଁକି ? ମୁଁ ତ ଅଛି । ପ୍ରତିମା କହିଲା, ବଦମାସ, ଏ ଏତେ ସାହସ ? ମଣ୍ଟୁ ଧକ୍କା ଦେଇ ବାହାର କରିଦେଲା ଗେଟ ବାହାରକୁ । ସରୋଜକୁ ଠେଲି ଦେଲା ଚାକରଟା । ଖଣ୍ଡେ ଇଟା ବାଜି ଝୁଣ୍ଟି ପଡ଼ିଲା ସରୋଜ । ଆଣ୍ଠୁ ମୁହଁ ପେଟ ଛିଣ୍ଡି ଯାଇ ରକ୍ତ ବୋହିଲା । ପ୍ରତିମା କାଖେଇ ନେଲା ସରୋଜକୁ । ସରୋଜ ପ୍ରତିମା ଛାତିରେ ମୁହଁ ଲୁଚାଇ କାନ୍ଦିଲା । ପ୍ରତିମା ରାସ୍ତା ଉପରକୁ ଉଠିଲା । ଆଖିର ଲୁହରେ ସରୋଜର ମୁହଁ ଓଦା ହୋଇଗଲା । ପଣତ କାନିରେ ନିଜ ଆଖିରୁ ଲୁହ ପୋଛିଲା । ପ୍ରତିମା ଭାବିଲା, ଏତେ ଦୁଃଖ ପୁଣି ପଛକୁ ରହିଥିଲା ? କେଉଁ ଦିନ କୌଣସି ଅଭାବ ଅସୁବିଧାକୁ ପ୍ରତିମା ଆପତ୍ତି କରି ନାହିଁ, ନୀରବରେ ସହିଯାଇଚି, ଆଜି ଏ ଦୁଃଖକୁ ହୁଏତ ନୀରବରେ ସହିନେବ । ନା-ନା, ସେ ମରିବାକୁ ଚାହେଁ ନାହିଁ-। ସେ ବଞ୍ଚିବାକୁ ଚାହେଁ, ସେ ବଞ୍ଚିବ ଏତେ ଦୁଃଖ ଭିତରେ । ଏତେ ଯନ୍ତ୍ରଣା, ରୋଗ ଭୋକ ଭିତରେ ସେ ବଞ୍ଚିବ...ମଣିଷପରି ହୋଇ ନ ପାରେ, ପଶୁ ପରି ହୋଇ ନ ପାରେ, ସେ ବଞ୍ଚିବ ଠିକ୍ ପୃଥିବୀର ସବୁଠାରୁ ହୀନ ଛୋଟ ପ୍ରାଣୀ ପରି । କିନ୍ତୁ ସେ ମରିବାକୁ ଚାହେଁନା, ସେ ବଞ୍ଚିବ ଏଇ ପୃଥିବୀରେ, ଏଇ ଦୁଃଖ ଶୋକର ପୃଥିବୀରେ, ଏଇ ଅଭାବ ଅସୁବିଧାର ରୁଗ୍‍ଣ ପୃଥିବୀ ଉପରେ, ରୁଗ୍‍ଣ ଭାବରେ । ପାଟିରୁ ତାହାର ବାହାରିଲା, ନା, ନା ମୁଁ ମରିବାକୁ ଚାହେଁନା, ମୁଁ ବଞ୍ଚିବି, ମତେ ମାର ନାହିଁ ! ନୃପେଦ୍ର ଓ ଅମର ଦିହେଁ ହସି ଉଠିଲେ ଏକ ସଙ୍ଗରେ-ହାଃ-ହାଃ-ହାଃ । ସଚ୍ଚିର ଦେହ ଭେଦ କରି, କମ୍ପାର୍ଟମେଣ୍ଟ, ସମସ୍ତ ଟ୍ରେନ, ରାତ୍ରିର ନିସ୍ତବ୍ଧତା ଓ ବାହାରର ଘନକୃଷ୍ଣ ଅନ୍ଧକାର ଭେଦ କରି ସେ ହସ ଭାସିଗଲା ଯେପରି କେଉଁ ଦୂର ଦୂରାନ୍ତକୁ । ସମସ୍ତେ ଯେପରି ଏକ ସଙ୍ଗରେ ହସି ଉଠିଲେ-ହାଃ-ହାଃ-ହାଃ-। ଯେଉଁ ଅଧ୍ୟାପକ ସଚ୍ଚି ବୋଷ ଇତିହାସ ଗବେଷଣା ଛାଡ଼ି ଆଶ୍ରୟପ୍ରାର୍ଥୀ ହୁଏ, ପୁଣି ଯେଉଁ ଆଶ୍ରୟପ୍ରାର୍ଥୀ ସଚ୍ଚି ବୋଷ ମନୁଷ୍ୟତ୍ୱକୁ, ବନ୍ଧୁତ୍ୱକୁ ନିର୍ମମରେ ହତ୍ୟା କରିପାରେ, ସେ ସଚ୍ଚିବୋଷ ବଞ୍ଚିବାର ଦରକାର କଣ ? ନା, ସଚ୍ଚି ବୋଷ ମରିବ, ମରିବ ଆଉ ମିଶିଯିବ ଏଇ ମାଟି ସଙ୍ଗରେ ଚିରଦିନ ପାଇଁ । ଛବି ଅପା ଯେପରି ଆଗରେ ଆସି ଠିଆ ହେଲା । କହିଲା, ମତେ ତମେମାନେ ଚକ୍ରାନ୍ତ କରି ମାରିଚ, ତମେ ମରିବ ନାହିଁ । ନିଶ୍ଚୟ ମରିବ । ଯେଉଁ ସୁନ୍ଦର ଶ୍ୟାମଳ ପୃଥିବୀରେ ମତେ ବଞ୍ଚିବାକୁ ଦେଇ ନାହିଁ, ସେ ପୃଥିବୀରେ ତମେ ବଞ୍ଚି ରହି ଆନନ୍ଦ ଉପଭୋଗ କରିବ କାହିଁକି ? ତମେ ମରିବ, ଆଜି ସଚ୍ଚି ବୋଷକୁ ନିଶ୍ଚୟ ହତ୍ୟା କରାଯିବ...ଏ କାହାର ମୁହଁ ? ବୈଜ୍ଞାନିକ । ସୁଧାଂଶୁ ? ସୁଧାଂଶୁ ଗର୍ଜି ଉଠିଲା-ମୁଁ ତତେ ବନ୍ଧୁ ରୂପେ ଗ୍ରହଣ କରିଥିଲି....ଶେଷରେ ବିଶ୍ୱାସଘାତକତା କରି ମୁଁ ଶୋଇଥିବାବେଳେ ଦଶଟଙ୍କା ଚୋରାଇ ନେଇଚୁ ? ହଉ ଆଜି ତୋର ରକ୍ତ ମୁଁ ଏ ଚେଷ୍ଟଟ୍ୟୁବରେ ପରୀକ୍ଷା କରିବି, ଲୋକ କେତେ ବିଶ୍ୱାସଘାତକତା କରେ ବନ୍ଧୁତ୍ୱର ଦ୍ୱାହିରେ ତାହା ଦେଖିବି । ତେଣୁ ତୋର ମୃତ୍ୟୁ ଆଜି ଆବଶ୍ୟକ । ପ୍ରତିମାର ଲୁହ ଢଳ ଢଳ ଆଖି ଦୁଇଟି ଭାସି ଉଠିଲା, ତାପରେ ସରୋଜର ଛୋଟ ରୁଗ୍‍ଣ, ପାଂଶୁଳ ମୁହଁ । ସରୋଜ ଥରିଲା ଥରିଲା କଣ୍ଠରେ କହିଲା, ବାପା ମୋ’ ଆଠ’ଣା ନେଇଚ’ ନା ? ସଚ୍ଚି ଚିତ୍କାର କରିଉଠିଲା,ନା, ନା ମୁଁ ମରିବାକୁ ଚାହେଁ ନା-ମୁଁ ବଞ୍ଚିବି ।

 

ନୁପେନ୍ଦ୍ର ଆଉ ଥରେ ହସି ଉଠି କହିଲା, ଆଛା ତମକୁ ଛାଡ଼ି ଦିଆଗଲା ।

 

ସଚ୍ଚି ନୃପେନ୍ଦ୍ରର ଦୁଇ ହାତକୁ ମୁଠାଇ ଧରି କହିଲା, ସତେ, ଆପମମାନେ ଛାଡ଼ି ଦେଇଛନ୍ତି ?

 

ନୃପେନ୍ଦ୍ର ପିସ୍ତଲଟା କମ୍ବଳ ଭିତରେ ଲୁଚାଇ ରଖୁ ରଖୁ କହିଲା, ହଁ ଛାଡ଼ିଦେଲୁ ଆପଣଙ୍କୁ-। ଏଥର ପକେଟରେ ଟଙ୍କା ଆଉ ସିଗାରେଟ କେଶଟା ରଖି ଦିଅନ୍ତୁ ।

 

ସଚ୍ଚି ନୀରବରେ ପକେଟରେ ଭର୍ତ୍ତିକଲା ସେତକ ।

 

ଅମର କହିଲା, ଆକ୍‍ଟିଂଟା ମନ୍ଦ ନୁହେଁ ଆପଣଙ୍କର ! ମୁଁ ଯଦି ଗୋଟାଏ ସିନେମା କମ୍ପାନୀରେ ଡାଇରେକ୍‍ଟର ହୋଇଥାନ୍ତି, ସାଙ୍ଗେ ସାଙ୍ଗେ ନୂତନ ଫିଲ୍ମ ପାଇଁ ଆପଣଙ୍କ ସଙ୍ଗେ କଣ୍ଟ୍ରାକ୍‍ଟ କରି ବସନ୍ତି । କିନ୍ତୁ ଆପଣଙ୍କର ଦୁର୍ଭାଗ୍ୟ ଯେ ମୁଁ ଗୋଟାଏ ଆଶ୍ରୟପ୍ରାର୍ଥୀ, ଆଉ ସଚ୍ଚିବାବୁ ବି ଜଣେ ଶରଣାର୍ଥୀ । ବାସ୍ତବିକ ବଡ଼ ସୁନ୍ଦର ଅଭିନୟ କରି ପାରନ୍ତି ଆପଣ !

 

ସଚ୍ଚି ଅମର ମୁହଁକୁ ଚାହିଁ କହିଲା, କଣ ? ଅଭିନୟ ?

 

ଅମର ହସି ହସି କହିଲା, ଅଭିନୟ ନୁହେଁତ ଆଉ କଣ ?

 

ନୃପେନ୍ଦ୍ର କହିଲା, ଶୁଣ ସଚ୍ଚିବାବୁ, ଆଜି ଆମେ କେତେ କଣ ମିଶି ଗୋଟାଏ ଦଳ ଗଢିଚୁ, ତା ନା ହେଲା ତ୍ରିଶଙ୍କୁ ଦଳ । ଏ ଦଳର କାମ ହେଉଚି ରାତିରେ ସୁଟ୍ ପିନ୍ଧି ଟ୍ରେନରେ ଡକାଏତି କରିବା, ଆଉ ଦିନରେ ଛିଣ୍ଡା ପ୍ୟାଣ୍ଟ ମଇଳା ହାଫ୍ ପ୍ୟାଣ୍ଟ ମଇଳା ହାଫ୍ ସାଟ୍ ପିନ୍ଧି ଆଶ୍ରୟପ୍ରାର୍ଥୀ ସାଜିବା...ଆଉ ସେଥିରେ ବଞ୍ଚି ରହିବା ।

 

ସଚ୍ଚି ଅନ୍ୟମନସ୍କ ଭାବରେ ଉତ୍ତର ଦେଲା, ଚୋରି କରିବା କଣ ଠିକ୍ ?

 

ନୃପେନ୍ଦ୍ର ପାଟି କଲା, ନା, ଚୋରି କରିବାକୁ ମୁଁ ପସନ୍ଦ କରେନା, ମୋ ମତରେ ଯେ ଚୋରି କରେ ସେ ଭୀରୁ କାପୁରୁଷ, ଡକାଏତକୁ ମୁଁ ପସନ୍ଦ କରେ ।

 

ସଚ୍ଚି କହିଲା, ଜୀବନର ଆଉ କିଛି ଦିଗ କଣ ନାହିଁ ?

 

ଅମର କହିଲା, ମଣିଷକୁ ଯଦି ତାର ବଳିଷ୍ଠ ଭାବରେ ବଞ୍ଚିବାର ଅଧିକାରରୁ ବଞ୍ଚିତ କରାଯାଏ, ତେବେ ସେ ଯେପରି ହେଲେ ଚାହିଁବ ବଳିଷ୍ଠ ଆଉ ସୁନ୍ଦର ଭାବରେ ଏଇ ଶ୍ୟାମଳ ପୃଥିବୀର ଅସରନ୍ତି ସୌନ୍ଦର୍ଯ୍ୟ ଭିତରେ ବଞ୍ଚିବାକୁ । ଆଉ ତାର ପରିଣତ ସ୍ୱରୂପ ଆମେ କେତେ ଜଣ ହୋଇ ଉଠିଚୁ ଡକାଏତ....

 

ନୃପେନ୍ଦ୍ର କହିଲା, କଣ ଆମ ଦଳରେ ଯୋଗ ଦେବ ନା ଏମିତି ଛତରା ହୋଇ ବୁଲୁଥିବ-? ପିଲା ମାଇପ କାହାର ଗୋଲାମି କରୁଥିବେ କାହା ବାରଣ୍ଡାରେ କୁକୁର ପରି ଶୋଉଥିବ, ଆଉ ପିନ୍ଧିଥିବ ଛିଣ୍ଡା କାମିଜ, ମଇଳା ଚିରା ଲୁଗା ?

 

ଅମର କହିଲା, ନା ସେ ଏମ. ଏ. ପଢ଼ିଛନ୍ତି । ଅଧ୍ୟାପକ ହୋଇଥିଲେ । ହୁଏତ ତାଙ୍କର ଆହୁରି କେତେ ଉଚ୍ଚ ଅଭିଳାଷ ଥିବ–

 

ପକେଟରୁ ସଚ୍ଚି ଖଣ୍ଡେ ସିଗାରେଟ କାଢ଼ି ନିଆ ଲଗାଇଲା । ଅମର ବେଞ୍ଚ ତଳକୁ ନଇଁପଡ଼ି ପାଟିକଲା-ଏ, ଏ ରେଣୁ ! ଉଠ୍ ଉଠ୍ ।

 

ବାର ତେର ବର୍ଷର ଗୋଟିଏ ଝିଅ ବାହାରି ଆସିଲା ବେଞ୍ଚ ତଳୁ ଆଖି ମଳି ମଳି । ସଚ୍ଚି କହିଲା, ମୁଁ ଦେଖି ନ ଥିଲି, ବେଞ୍ଚ ତଳେ ଶୋଇ ଥିଲା ନା ?

 

ଅମର କହିଲା, ଏ ମୋର ଭଉଣୀ ରେଣୁ । କୌଣସି ବେଞ୍ଚରେ ଜାଗା ନ ଥିଲା, ଆଉ ରାତିରେ ଯଦି ବାହାରେ ଶୁଏ କୌଣସି ଭଦ୍ର ଶିକ୍ଷିତ ବ୍ୟକ୍ତିଙ୍କର ଯଦି ଏୟା ଉପରେ ଦୃଷ୍ଟି ପଡ଼େ ହୁଏତ ମୋଠାରୁ ଅଲଗା କରି ନେବେ । ବଡ଼ ଭଉଣୀ ଯାଇଛି ଭାଇ ଯାଇଚି, ସମସ୍ତେ ଯାଇଛନ୍ତି, ଆଉ ରହିଚି ଏଇଟି । ସେଥିପାଇଁ ଭାରି ନଜରରେ ରଖିଥାଏ ମୁଁ ତାକୁ । ସ୍ୱାଧୀନ ହିନ୍ଦୁସ୍ଥାନର ପ୍ରତି ଅଂଶରେ ପ୍ରତି ନଗରରେ ପ୍ରତି ପଲ୍ଲିରେ, ଶିକ୍ଷିତ ସଭ୍ୟ ସମାଜରେ ଲୁଚି ରହୁଚନ୍ତି ପାକିସ୍ଥାନୀ ଗୁଣ୍ଡାମାନଙ୍କଠାରୁ ଆହୁରି ଭୀଷଣ, ଆହୁରି ହିଂସ୍ର ଗୁଣ୍ଡା ! ପାକିସ୍ଥାନୀ ଗୁଣ୍ଡାମାନେ ବଳର ଜୋରରେ ଅପରହରଣ କରିଛନ୍ତି କେତେ ନାରୀଙ୍କୁ । କିନ୍ତୁ ଏମାନେ ! ଏମାନେ କେବଳ ବଳ ନୁହେଁ, ନିଜର ବିଦ୍ୟା ବୃଦ୍ଧି, ଅଧିକାର, ସମ୍ମାନ, ଆଉ ପ୍ରତିପତ୍ତି ଓ ଧନର ଜୋର ଶକ୍ତି, ଆଉ ତା’ରି ବଳରେ ଧରି ନିଅନ୍ତି ଅସଂଖ୍ୟ ନାରୀଙ୍କୁ ଯୁବତୀଙ୍କୁ, ତରୁଣୀଙ୍କୁ । ୟାଙ୍କର କାମ ପ୍ରବୃତ୍ତି ଆଦିମ ଅଶିକ୍ଷିତ, ଅସଭ୍ୟ ବର୍ବର ଲୋକମାନଙ୍କ ଠାରୁ ଶହେ ଗୁଣରେ ଅଧିକ ।

 

ନୃପେନ୍ଦ୍ର କହିଲା, ରେଣୁ ଏ ବାବୁଙ୍କୁ ନମସ୍କାର ହୁଅ ।

 

ରେଣୁ ନମସ୍କାର ହେଲା । ସଚ୍ଚି ଚାହିଁଲା ରେଣୁକୁ । ରେଣୁର ଦେହରେ ଆଦ୍ୟ ଯୌବନର ଶ୍ରୀ ଫୁଟି ଉଠିଛି ଅତି ସ୍ୱାଭାବିକ ଭାବରେ । ଯୌବନର ମଦିର ମଧୁର ପରଶରେ ଦେହର ପ୍ରତି ଅଂଶରେ ଫୁଟି ଉଠିଚି ଯେଉଁ ରୂପଶ୍ରୀ, ତାହା ଯେପରି ମାନିବାକୁ ଚାହେଁନା ପୃଥିବୀର ନିୟମତାନ୍ତ୍ରିକ ଶାସନ । ସେ ବହିଯିବାକୁ ଚାହେଁ, ଫୁଲର ଗନ୍ଧ ପରି ଚାରି ଦିଗରେ ନିଜର ସ୍ୱାଭାବିକ ଛନ୍ଦରେ, ଦିଗ ବିଦିଗରେ ସୌନ୍ଦର୍ଯ୍ୟ ଫୁଟାଇ ଫୁଟାଇ । ରେଣୁର ଦେହରେ ଯୌବନର ଯେଉଁ ଆଦ୍ୟ ଶ୍ରୀ ଫୁଟିଉଠିଚି, ସେ ଯେପରି ମାନିବାକୁ ଚାହେଁନା ଯେ ସେ ଗୋଟାଏ ଆଶ୍ରୟପ୍ରାର୍ଥୀ ବାଳିକାଠାରେ ଆତ୍ମପ୍ରକାଶ କରିଚି ।

 

ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ମୂଲ୍ୟ କିଏ ଦେବ ? ସେ ସୌନ୍ଦର୍ଯ୍ୟ ହୁଏତ ମରିବ ଜୀବନ ସଂଗ୍ରାମର କୋଳାହଳ ଭିତରେ, ରୁଟି ଆଉ ଭାତର ଅନ୍ୱେଷଣ ଭିତରେ । ତରୁଣୀ ରେଣୁ ଆଉ କେତେ ବର୍ଷ ପରେ ପାଲଟି ଯିବ ବୃଦ୍ଧା ପ୍ରତିମା...ଯୌବନର ସମୟ ସ୍ୱାଧୀନ ଭାରତର ନିମ୍ନ ସ୍ତରରେ ଖୁବ୍ କମ୍ ।

 

ଅମର କହିଲା, ରେଣୁକୁ ବର୍ତ୍ତମାନ ଛାଡ଼ିଛି ଗୋଟାଏ ଥିଏଟର ପାର୍ଟିରେ । କାରଣ ମୁଁ ତ ସବୁ ସମୟରେ ବସାରେ ରହିପାରୁନି, ଏ ବୟସରେ ପ୍ରଲୋଭନ ତ କମ ନୁହେଁ । ମୁଁ ତାକୁ ପ୍ରଲୋଭନରେ ପଡ଼ି ନିଜର ଜୀବନକୁ ନଷ୍ଟ କରିବାକୁ ଦେବିନାହିଁ । ତେଣୁ ଛାଡ଼ି ଦେଇଚି ଗୋଟାଏ ଥିଏଟର ପାର୍ଟିରେ । କାର୍ଯ୍ୟବ୍ୟସ୍ତ ରହିଲେ ପ୍ରଲୋଭନ ହୁଏତ ଆସି ପାରିବିନି ସହଜରେ । ତାପରେ ଅଭିନୟ କଲେ ମନୁଷ୍ୟ ଅନେକ ସମୟରେ ଭୁଲିଯାଏ ବାସ୍ତବକୁ । ଭାବେ ବାସ୍ତବ ବି ଅଭିନୟ ପରି ଖାଲି ମିଛ । ରେଣୁ ସେ ପାର୍ଟଟା ଟିକିଏ ଅଭିନୟ କଲୁ ।

 

ରେଣୁ ପଚାରିଲା, କୋଉ ପାର୍ଟଟା ?

 

ସେଇ ପାର୍ଟଟା–ଛାୟାର ଭୂମିକାଟା କଲୁ ଦେଖି ।

 

ରେଣୁ ସଚ୍ଚିକୁ ଚାହିଁଲା । ଅମର କହିଲା ,ବେଶତ୍, ସଚ୍ଚିକୁ ଚାହିଁ କର ।

 

ରେଣୁ କିଛି ସମୟ ସଚ୍ଚିର ମୁହଁକୁ ଚାହିଁଲା, ତାପରେ ଆରମ୍ଭ କଲା,…ତମେ ମତେ ଅବିଶ୍ୱାସ କରୁଚ ? ତମେ ଭାବୁଚ ମୁଁ ଛଳନା କରୁଚି ? ନା, ନା, ମୁଁ ତମକୁ ପ୍ରକୃତରେ ଭଲପାଏ ପ୍ରିୟ । ମୁଁ ତମକୁ କେତେ ଭଲପାଏ ! ଗଭୀର ରାତିରେ ମୁଁ ଝରକା ପାଖେ ଆସି ଠିଆ ହୁଏ । ଆଖିରେ ମୋର ନିଦ ନଥାଏ । ବାହାରକୁ ଚାହେଁ, ବାହାରେ ପଡ଼ିଥାଏ ଜ୍ୟୋତ୍ସ୍ନା, କି ସୁନ୍ଦର ! ଦୂରରୁ ମଳୟ କେଉଁ ଏକ ମଧୁର ଫୁଲର ମଦିର ଗନ୍ଧ ବାହି ଆଣୁଥାଏ । ଦୂରରୁ ଭାସି ଆସୁଥାଏ ବଂଶୀରେ ଗୋଟାଏ କରୁଣ ସ୍ୱର । ମୁଁ ଭାବେ ତମେ ଯେପରି ଜ୍ୟୋତ୍ସ୍ନାର ଏଇ ଝର ଭିତରେ ଆସିଚ ! ଆସିଚ ମତେ ନେବା ପାଇଁ । ତମେ ଯେପରି କହୁଚ, ଛାୟା ! ଆମେ ଦୁହେଁ ଚାଲିଯିବା ଏଇ ଜ୍ୟୋତ୍ସ୍ନାକୁ ଦେଇ ବହୁତ ଦୂରକୁ, ଯେଉଁଠାରେ ନ ଥିବ ପୃଥିବୀର ଏଇ ଭାତ ପାଇଁ କୋଳାହଳ-। ସେଠାରେ ଖାଇବାର ଚିନ୍ତା କିଛି ନ ଥିବ, ସେଇ ନିର୍ଜନ ଭୂଇଁରେ ଗୋଟିଏ କୁଡ଼ିଆ ତୋଲିବା । ତମେ ହେବ ସେଥିରେ ରାଣୀ ଆଉ ମୁଁ ରାଜା...ନା, ନା, ତମେ ଭୁଲିଯିବାକୁ କହୁଚ ମତେ ? କିପରି ଭୁଲିବି ଏଇ ବିରାଟ ଅତୀତକୁ ? ମନେ ରଖିବ ଯେତେ ସହଜ, ଭୁଲିବା ସେତେ ସହଜ ନୁହେଁ । କିନ୍ତୁ ମୁଁ ତମକୁ ଭଲ ପାଏ । ମୋର ପ୍ରାଣ, ମୋର ଦେହ, ମୋର ମନ ତମକୁ ଭଲପାଏ....ଯିବ ? ଚାଲିଯିବ ? ଯାଅ, ଦୁଃଖ ନାହିଁ । ଜୀବନର ଅବଶିଷ୍ଟାଂଶ କଟାଇ ଦେବି ତମର ସ୍ମୃତିରେ...ନା, ଭାଇ ଆଉ ମନେ ପଡ଼ୁନି । ନୂଆ ହୋଇ ନାଟକଟା ହୋଇଚି କିନା....

 

ସଚ୍ଚି ଆଡ଼ୁ ମୁହଁ ଫେରାଇ ଅମର ଆଡ଼େ ରେଣୁ ଚାହିଁଲା । ସଚ୍ଚିର ମନେ ହେଉଥିଲା । ସତେ ଯେପରି ରେଣୁ ତାର ପ୍ରେମର ପଡ଼ି ଯାଇଚି । ବେଶତ୍ ସୁନ୍ଦର ଅଭିନୟ କରିପାରେ ରେଣୁ । ରେଣୁର ଯଦି କମଳର ପାର୍ଟଟା ଦେଇଥାନ୍ତା, କି ସୁନ୍ଦର କରିଥାନ୍ତା ସତେ ! ହୁଏତ ସଚ୍ଚି ଆଉ ପ୍ରତିମାକୁ ବାହା ହୋଇ ନ ଥାନ୍ତା !

 

ଅମର ପଚାରିଲା, କେମିତି ଲାଗିଲା ପାର୍ଟଟା ?

 

ଚମତ୍କାର ! ଏଡ଼େ ସୁନ୍ଦର ଅଭିନୟ କରିପାରେ ! ଜଣାପଡ଼ୁଚି ଯେମିତି ସତରେ ସେ କହୁଚି ।

 

ବେଶ୍ ସେତିକି ଯଥେଷ୍ଟ ।

 

ସଚ୍ଚି ଅମରକୁ ଥରେ ଆଉ ରେଣୁକୁ ଥରେ ଚାହିଁ କହିଲା, କିନ୍ତୁ ମୋର କାହିଁକି ମନେ ହୁଏ ଆପଣ ଏ ଯେଉଁ ଏକ୍ସପେରିମେଣ୍ଟ ରେଣୁକୁ ନେଇ କରିଚନ୍ତି ହୁଏତ ଆପଣ ବିଫଳ ହୋଇପାରନ୍ତି ।

 

ଅମର ହସିଲା, ବିଫଳ ହେଉ ବା ସଫଳ ହେଉ, ବିଫଳ ହେଲେ ପୁଣି ନୂଆ ପାତ୍ର ପାଇବିନି ତ ଆଉ ଏକ୍ସପେରିମେଣ୍ଟ କରିବା ପାଇଁ । ଯଦି ବିଫଳ ହୁଏ ମନରେ କିନ୍ତୁ ଗୋଟାଏ ଖୁବ୍ ବଡ଼ ଧରଣର ଆଘାତ ଲାଗିବ–

 

ସଚ୍ଚି କହିଲା, ତେବେ ଏଡ଼େ ବଡ଼ ଏକ୍ସପେରିମେଣ୍ଟ ମୋଟରୁ କାହିଁକି କରିବାକୁ ଗଲେ-?

 

ରିସ୍‍କ ନେଇଚି, ଦେଖାଯାଉ । ଯାହାହେଉ ପିଲାଟା ଆମ କାମକୁ ବେଶ ଆସିବ । ଏହାରି ସାହାଯ୍ୟ ପାଇଲେ ଆମ କାର୍ଯ୍ୟ ଖୁବ ସୁବିଧାରେ ଆଉ ସହଜରେ ହୋଇ ପାରିବ ।

 

ନୃପେନ୍ଦ୍ର କହିଲା, ଯା ରେଣୁ, ରାତି ଅନିଦ୍ରା, ହୁଅନା, ଶୋଇପଡ଼ । ରେଣୁ ପୁଣି ବେଞ୍ଚ ତଳକୁ ଶୋଇ ପଡ଼ିଲା ।

 

ଅମର କହିଲା, ଆଉ କିଛିଦିନ ପରେ ଭାବିଛି ଏ ଲାଇନରେ ତାକୁ ଟ୍ରେନିଂ ଦେଇଦେବି-। ତାପରେ ଉପଯୁକ୍ତ ଭାଇର ବେଶ୍ ଉପଯୁକ୍ତ ଭଉଣୀ ହୋଇ ଉଠିବ ସେ । ତ୍ରିଶଙ୍କୁ ସଂଘ ବି ବେଶ୍ ଚାଲିବ । ତ୍ରିଶଙ୍କୁ ସଂଘର ନିୟମାବଳୀ ସବୁ କଣ ଜାଣନ୍ତି ? ଶୁଣନ୍ତୁ, ତ୍ରିଶଙ୍କୁ ସଙ୍ଘରେ ନିୟମ ରହିଚି ଯିଏ ତ୍ରିଶଙ୍କୁ ସଂଘରେ ମେମ୍ବର ହେବାପାଇଁ ଇଚ୍ଛା କରିବ, ସେ ଦିନକୁ ୩୦ ଗଜ ସୂତା କାଟି ପାରୁଥିବା ଦରକାର । ନିଜ ହାତରେ ପାଇଖାନା ସଫା କରୁଥିବା ଦରକାର। ଆଉ ସତ୍ୟ, ଅହିଂସାରେ ଚଳୁଥିବା ଦରକାର । ଆଉ ଗାନ୍ଧିଙ୍କ ପବିତ୍ର ସ୍ମୃତି ପାଣ୍ଠି ପାଇଁ ପ୍ରତିଦିନ ପାଞ୍ଚଟଙ୍କା ଅତି କମରେ ଆଦାୟ କରି ପାରୁଥିବା ଦରକାର। ଏସବୁ ଯେ କରିପାରିବ ସେ ସଂଘର ମେମ୍ବର ହୋଇ ପାରିବ । ତ୍ରିଶଙ୍କୁ ସଂଘର ନିୟମକାନୁନ ଛପା ହୋଇଛି । ଆର ବର୍ଷ ଏହି ସଂଘ ଉଦଘାଟନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲୁ । ମାନ୍ୟବର ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରି ପ୍ରଥମେ ଦେଇଥିଲେ ପାଞ୍ଚଶହ ଟଙ୍କା । ତା ପରେ ଦୁଇକିସ୍ତିରେ ବାକୀ ପାଞ୍ଚଶହ ଟଙ୍କା ଦେବେ ବୋଲି କହିଥିଲେ ଓ ଦେଇ ସାରିଲେଣି ମଧ୍ୟ । ନିକଟରେ ଏ ସଂଘକୁ ମାସିକ ସରକାରୀ ସାହାଯ୍ୟ କିଛି ମିଳିବ । ଏଥିରେ ଆମର ଡଲ ସିଜନରେ ଥୋଡ଼ାଏ ଲୋକ ତ ଅନ୍ତତଃ ପୋଷା ହୋଇ ପାରିବେ ।

 

ସଚ୍ଚି ହସିଲା । କହିଲା, ବେଶ୍‍ତ ! ଏଥିରୁ ରକ୍ଷା ପାଇବା ପାଇଁ ବେଶ୍ କବରଟାଏ ତ ତିଆରି କରିଚ !

 

ନୃପେନ୍ଦ୍ର କହିଲା, ଆମ ସଂଘ ଆଡ଼େ, କଟକ ଗଲେ ଥରେ ଅନ୍ତତଃ ବୁଲିଯିବାକୁ ଭୁଲିବେ ନାହିଁ । ଏଥର ଗାନ୍ଧୀ ଜୟନ୍ତୀକୁ ମାନ୍ୟବର ଲାଟଙ୍କୁ ଡ଼ାକୁଚୁ । ଅମର ବେଞ୍ଚ ଉପରେ ଶୋଇ ପଡ଼ିଲା । ନୃପେଦ୍ର ବେଞ୍ଚରେ ଅଧକରେ ଶୋଇପଡ଼ି, କହିଲା, ରାତିଶେଷ ହେବ ବୋଧହୁଏ-। ଟିକିଏ ନ ଶୋଇଲେ, ଇଣ୍ଟରଭ୍ୟୁକୁ ଯିବା କିମିତି ? ସରକାରୀ ଚିଠିଟାମିଳିବ ବୋଲି ଯିବା କଥା-। ନ ହେଲେ ଏଭଳି ହଜାରଟା ଚାକିରିକୁ ବର୍ତ୍ତମାନ ଆମେ ଗୋଡ଼ରେ ଠେଲି ଦେଇ ପାରିବୁ ! ଆଛା ଆପଣଙ୍କୁ ତ ଶୀତ ହେଉଥିବ, ଗୋଟାଏ ଗରମ କୋଟ ଦେଉଚି ନିଅନ୍ତୁ । ଉଠି ସୁଟକେଶରୁ ଗୋଟାଏ ଲଙ୍ଗ୍ ଗରମ କୋଟ କାଢ଼ି ଦେଲା । ସଚ୍ଚି ବିନା ଆପତ୍ତିରେ ସେ ଗରମ କୋଟଟି ନେଇ ପିନ୍ଧିଲା । ନୃପେନ୍ଦ୍ର ବେଞ୍ଚ ଉପରେ ଶୋଇ ପଡ଼ିଲା ।

 

କିଛି ସମୟ ପରେ କଂପାର୍ଟମେଣ୍ଟଟି ନୀରବ ହୋଇ ଗଲା ।

 

ଗୋଟାଏ କେଉଁ ଷ୍ଟେସନରେ ଗାଡ଼ି ରହିଲା । କପାର୍ଟମେଣ୍ଟ ଭିତରକୁ ପଶି ଆସିଲେ ଦୁଇଜଣ ଲୋକ । ଗୋଳମାଳ ଶୁଣି ନୃପେନ୍ଦ୍ର ବେଞ୍ଚ ଉପରକୁ ଉଠି ପାଟିକଲା, ବାହାରିଯାଅ ରିଜର୍ଭ-! ଲୋକ ଦୁଇଟା ଭିତରକୁ ପୁଣି ପଶିବାକୁ ଚେଷ୍ଟା କଲେ । ନୃପେନ୍ଦ୍ର ସିଟରୁ ଉଠି ହାତରେ ସେମାନଙ୍କୁ ବାହାରକୁ ଠେଲି ଦେଇ ଭିତରୁ ଦ୍ୱାର ବନ୍ଦ କରି ଦେଲା ।

 

ଟ୍ରେନ୍ ଷ୍ଟେସନର ପ୍ଳାଟଫର୍ମ ଡେଇଁ ଚାଲିଲା ।

 

ଝରକାକୁ ଖୋଲିଦେଲା ସଚ୍ଚି । ପୂର୍ବଦିଗରେ ଶୁକ୍ରତାରକା ଜକ୍ ଜକ୍ କରୁଚି । ଆଉ ଟିକିଏ ଗଲେ ସକାଳ ହେବ । ଓଠ ଓ ପାଟି ପୋଡ଼ୁଚି । ଅନେକ ଦିନ ଧରି ସିଗାରେଟ୍ ଖାଇବାର ଅଭ୍ୟାସ ନଥିଲା । ଆଜି ଏକାବେଳକେ ଏତେଗୁଡ଼ାଏ ସିଗାରେଟ୍ ଟାଣି ଦେବାରୁ ଏମିତି ଲାଗୁଚି । ନାକରୁ ପାଣି ଗଡ଼ିବା ଆରମ୍ଭ ହୋଇଚି । ଶୀତରେ, କାକରରେ ଏତେ ବାଟ ଆସିବା ଦ୍ୱାରା ଥଣ୍ଡା ଧରିଛି । କାହିଁ ଆଗରୁ ସେ ସେତେବେଳେ ଗଛ ମୂଳେ ରହୁଥିଲା କାକରରେ ଶୀତରେ, ସେତେବେଳେ ତ ହେଉ ନ ଥିଲା ଶର୍ଦ୍ଦି ?

 

ଛାତିର କେଉଁ ଅଂଶରେ ଯେମିତି ସେତେବେଳେକାର ଭୟାତୁର ଭାବଟା ରହି ଯାଇଚି-। ବାପରେ ! କି ଭୟଙ୍କର ? ନୃପେନ୍ଦ୍ର ଆଗରୁ କହିକରି ଯଦି ସେପରି କରିଥାନ୍ତା ! ଛାତିରେ ଚମକ ରହିଯାଇଛି । ମୁଣ୍ଡ, ଦେହ, ହାତ ସେତିକିବେଳୁ ଥରୁଛି । ଥରା ଏତେବେଳଯାଏ ବି ସଂପୂର୍ଣ୍ଣ ରୂପେ ବନ୍ଦ ହୋଇନାହିଁ ।

 

ସଚ୍ଚି ବାହାରକୁ ଆଉ ଥରେ ଚାହିଁଲା । ବାହାରେ ଅନ୍ଧକାର । ଅନ୍ଧକାର ଭିତରେ କିଛି ଦେଖାଯାଉ ନାହିଁ । ଟ୍ରେନ ଛୁଟିଛି କ୍ଷିପ୍ରଗତିରେ ।

 

ତ୍ରିଶଙ୍କୁ ସଂଘରେ ସେ ଯୋଗ ଦେବ ? ଦିନବେଳା ସୂତାକାଟି, ଗାନ୍ଧିସ୍ମୃତି ପାଣ୍ଠି ପାଇଁ ପଇସା ଆଦାୟ କରି, ରାତିରେ ଡକାୟତି କରିବ ?

 

ପୂର୍ବଦିଗର ସେ ଶୁକ୍ରତାରାଟା ଜକ୍ ଜକ୍ କରୁଚି। କେତେ ସହସ୍ର, କେତେ କୋଟି ବର୍ଷତଳେ ହୁଏତ ଶୁକ୍ରତାରା ନିକଟରେ ଆହୁରି ଅନେକ ବଡ଼ ବଡ଼ ତାରା ଥିଲେ, କିନ୍ତୁ ନିଜର ଆଧିପତ୍ୟ ବିସ୍ତାର କରିବାପାଇଁ ଶୁକ୍ରତାରା ସେମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଚି । ସୁଦୂର ଆକାଶର ସେଇ ପ୍ରାନ୍ତରେ ଛୋଟ ଛୋଟ ତାରାଙ୍କର ହୁଏତ ଗୁପ୍ତ ଆନ୍ଦୋଳନ ଚାଲିଚି, ଶୁକ୍ରତାରା ବିରୁଦ୍ଧରେ । ତାର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଆନ୍ଦୋଳନ । ହୁଏତ ପରମର୍ଶ ଚାଲିଚି, ମୂଷାପରି ତଳେ ତଳେ ସୁଡ଼ଙ୍ଗ କାଟି କେଉଁଠି ପରାମର୍ଶଦାତା କମିଟିର ବୈଠକ ବସିବ ।

 

ତ୍ରିଶଙ୍କୁ ସଂଘରେ ଯୋଗ ଦେବ ?

 

ମନ୍ଦ କ’ଣ ? ସେତେବେଳେ ରିକ୍ସାରେ ବସି ଯେଉଁ ମୋଟା ଲୋକଟା ଯାଉଥିଲା, ସେ ରିକ୍ସାରେ ଯାଇପାରିଲା କିପରି ? ଅଧ୍ୟାପକ ପ୍ରଫୁଲ୍ଲ ପଟ୍ଟନାୟକ ମଟର କିଣିଲା କିପରି ? ପାରାସାଇଟ୍ ପରି ଅନ୍ୟର ରକ୍ତ ଶୋଷଣ କରି ନିଜର ଦୁର୍ବଳତାକୁ, ନିଜର ଦୋଷକୁ ଗଣତନ୍ତ୍ରର ଆଖିରୁ ଲୁଚାଇବା ପାଇଁ ସେମାନେ କିଛି ନା କିଛି ପ୍ରୁଫ୍ ବା ସାଞ୍ଜୁ ତିଆରି କରି ନେଉଛନ୍ତି । ଆଉ ତ୍ରିଶଙ୍କୁ ସଂଘ ଯଦି ସୂତା କଟାକୁ ପ୍ରୁଫ୍ କରେ, ତେବେ କ୍ଷତି କଣ ?

 

ଆକାଶର ପୂର୍ବଦିଗରେ ଶୁକ୍ରତାରା ବେଶ ଉଜ୍ଜ୍ୱଳ ଦେଖାଯାଉଚି । ଶୁକ୍ରଟା ଗୋଟାଏ ତାରା କିପରି ହେଲା ? ଶୁକ୍ର ଗ୍ରହ । ଶୁକ୍ର ଗ୍ରହଟା ବେଶ୍ ଉଜ୍ଜ୍ୱଳ ଦେଖାଯାଉଚି । ସେ ହୁଏତ ତାର ପ୍ରତିପତ୍ତି ବିସ୍ତାର କରି ପାରିଚି ବୋଲି ଖୁସି ହୋଇଚି । କିନ୍ତୁ ତା ବିରୁଦ୍ଧରେ ଯେଉଁ ଷଡ଼ଯନ୍ତ୍ର ଚାଲିଚି, ସେ ତାର କଣ ସନ୍ଧାନ ପାଇଚି ?

 

ତ୍ରିଶଙ୍କୁ ସଙ୍ଘ ।

 

ସୂତା କାଟିବା ଯାହାର ନିୟମ, ଡକାଏତି କରିବା ଯାହାର ଧର୍ମ ।

 

ଅଧ୍ୟାପକ ଗବେଷକ ସଚ୍ଚିଦାନନ୍ଦ ବୋଷ ଆଜି ଯାହା ଇତିହାସ ଗବେଷଣା ଛାଡ଼ି ଡକାୟତି କରେ, ତେବେ କ୍ଷତି କଣ ? ଅଧ୍ୟାପକର କାମ ଗବେଷଣା କରିବା–ଏଇଟା ନିହାତି ପୁରୁଣା କଥା । ଅଧ୍ୟାପକ ଯଦି ଡକାୟତି କରେ ତେବେ କଣ ତାହା ଅତି ଆଧୁନିକ ହେବ ନାହିଁ ?

 

ଓଃ ! ସେ କି ପରିଶ୍ରମ ! ବିଶ୍ୱବିଦ୍ୟାଳୟରେ ସ୍ଥାନ ଅଧିକାର କରିବା ପାଇଁ ଦିନ ରାତି କି ପରିଶ୍ରମ ! ସେତକ ପରିଶ୍ରମ ଯଦି ଖଟାଯାଇଥାନ୍ତା ଗୋଟାଏ ରାଜନୀତି ଦଳ ପଛରେ ତେବେ ସେ ରାଜନୀତି ଦଳଟା ନିଶ୍ଚୟ ଏୟା ଭିତରେ ଖୁବ୍ ନାଆଁ କରି ସାରନ୍ତାଣି । କିନ୍ତୁ ଏତେ ପରିଶ୍ରମ, ଏତେ ଅଧ୍ୟବସାୟର ଶେଷ ପରିଣତି ହେଲା କଣ ? ଗୋଟାଏ ସାର୍ଟିଫିକେଟ୍ ମିଳିଥିଲା । ଏତେ ଅଧ୍ୟବସାୟ ଆଉ ପରିଶ୍ରମର ମୂଲ୍ୟ କଣ ଖଣ୍ଡେ ଦୁଇ ପଇସିକିଆ କାଗଜ ? ଯେଉଁ ପରିଶ୍ରମଟେ ହୁଏତ ଗୋଟାଏ ନୂତନ ସୁନ୍ଦର ପୃଥିବୀ ମୁଣ୍ଡ ଟେକି ପାରିଥାନ୍ତା, ସେ ପରିଶ୍ରମର ପୁରସ୍କାର କଣ କେତେଟା ଦସ୍ତଖତ ଆଉ କେତେଟା ଛାପା ଅକ୍ଷର ? ମଣିଷର ପରିଶ୍ରମର ଛାପା କ’ଣ ଏତେ ସଂକ୍ଷିପ୍ତ ?

 

ଦୁନିଆର ସବୁ ସୌନ୍ଦର୍ଯ୍ୟ ଭୁଲି, ଜୀବନର ସବୁ ମାଧୁର୍ଯ୍ୟ ଫିଙ୍ଗିଦେଇ ସେ ପରିଶ୍ରମ କରିଥିଲା ଦିନରାତି ପାଠପଢ଼ାରେ । ସେଥିପାଇଁ କମଳକୁ ସେ ହରେଇଛି । ସେଥିପାଇଁ ସେ ହରାଇଛି ଆଦରର ଭଉଣୀ ଛବି ଅପାକୁ ।

 

ଏତେ ସବୁ ଜିନିଷର ପ୍ରତିଦାନ ସ୍ୱରୂପ ମିଳିଥିଲା ଯେଉଁ କାଗଜ ଖଣ୍ଡିକ, ସେ ଗଲା କୁଆଡ଼େ ? ଗୋଟାଏ ମୁହୂର୍ତ୍ତରେ ହୁଏତ ଶୂନ୍ୟରେ ପରିଣତ ହୋଇ ଯାଇଛି ?

 

ଅଧ୍ୟାପକ ସଚ୍ଚିବୋଷ, ଅତୀତର ସେ ମୂଲ୍ୟବାନ ସମୟ ଏତେ ପାଠପଢ଼ାରେ ନଷ୍ଟ ନକରି ଯଦି ଅନ୍ତତଃ ଘାସ କାଟିଥାନ୍ତେ, କିମ୍ବା ଜଙ୍ଗଲରେ କାଠ ସଂଗ୍ରହ କରିଥାନ୍ତେ, ତେବେ ହୁଏତ ଭାରତରେ ବର୍ତ୍ତମାନ ଦୁଧ ଆଉ ଅନ୍ୟ କୌଣସି ଏକ ଜିନିଷର ଉତ୍ପାଦନ ସାମାନ୍ୟ ପରିମାଣରେ ବଢ଼ିଥାନ୍ତା । ଇତିହାସ । ଭବିଷ୍ୟତର ଇତିହାସ କଣ ଲେଖା ହୋଇ ପାରେନା ? ଧର ଏଇପରି, ଶୁକ୍ରଗ୍ରହର ମୃତ୍ୟୁ ହେବ, ତାର ସ୍ଥାନ ନେବ ‘କ’ ଗ୍ରହ ।

 

ତ୍ରିଶଙ୍କୁ ସଂଘ !

 

ଶୁକ୍ରତାରାଟା ଲିଭି ଆସିଲା, ଏଇ ଲିଭିଗଲା । ତାକୁ ହତ୍ୟାକରି ଦେଲେ ଷଡ଼ଯନ୍ତ୍ରକାରୀଗଣ ।

 

ସକାଳ ହୋଇ ଆସିଚି ।

Image

 

(ପାଞ୍ଚ)

 

ସଚ୍ଚି ପହଞ୍ଚିଲା ବେଳକୁ ସୁଧାଂଶୁ ବାବୁ ପଛପଟ ବଗିଚାରେ ଥିଲେ । ସଚ୍ଚି ଗଲା ବଗିଚାକୁ ।

 

ସୁଧାଂଶୁ ବାବୁ ସଚ୍ଚିକୁ ଦେଖି କହିଲେ ଦେଖି କହିଲେ, କାଲି କୁଆଡ଼େ ଯାଇଥିଲେ କି ?

 

ସଚ୍ଚି ଉତ୍ତର ଦେଲା, ଇଣ୍ଟରଭ୍ୟୁରେ ଯାଇଥିଲି ବରହମପୁର, ଆଜି ସକାଳେ ତ ଆସି ପହଞ୍ଚିଲି ।

 

ସୁଧାଂଶୁ ବାବୁ ହସି ହସି କହିଲେ, ହଁ, ଇଣ୍ଟରଭ୍ୟୁକୁ ଦଉଡ଼ି ଦଉଡ଼ି ତ ତମର ଦିନ ଯିବ-! ତାଠାରୁ ବରଂ ଘାସ ଚାଷ କର । ଘାସ ଚାଷର ପ୍ରସପେକଟସ୍ ଭବିଷ୍ୟତରେ ବହୁତ୍ ରହିଚି-। ଏଇ ଦେଖ, ମୁଁ କିପରି ଗବେଷଣା କାମ ଛାଡ଼ି ଆରମ୍ଭ କରିଚି ଏଇ ଫୁଲ ଚାଷ !

 

ସଚ୍ଚି ଆଶ୍ଚର୍ଯ୍ୟ ହୋଇ କହିଲା, ତାହେଲେ ଆପଣ କଣ ସେ ଗ୍ୟାସର ଗବେଷଣା ଛାଡ଼ିଦେଲେ ?

 

ସୁଧାଂଶୁ ବାବୁ କହିଲେ, ନାଇଁ ସଂପୂର୍ଣ୍ଣ ରୂପେ ଅବଶ୍ୟ ଛାଡ଼ିନାହିଁ । କିନ୍ତୁ ମୋର ସମୟର ବେଶିଭାଗ ଆଜିକାଲି ଲଗାଉଛି ଫୁଲ ଚାଷରେ ବାକି, ସମୟ ଯଦି ମିଳେ, ତେବେ ସେ ଗ୍ୟାସ ଗବେଷଣାଟା ଦେଖେ ନହେଲେ ନାହିଁ ।

 

ଏତେ ଶୀଘ୍ର କାହିଁକି ଛାଡ଼ି ଦେଲେ ଗବେଷଣାଟା ?

 

ଶୀଘ୍ର କଣ, ଉଛୁର କଣ ? ଗ୍ୟାସ୍ ଗବେଷଣା କରି କି ମୂଲ୍ୟ ଅଛି ? ତାଠାରୁ ବରଂ ଏଇ ଜାନୁଆରୀରେ ଯେଉଁ ଗୋ ଓ କୃଷି ପ୍ରଦର୍ଶନୀ ହେବ, ସେଠାକୁ ଯଦି କେତେଟା ସୁନ୍ଦର, ଟିକିଏ ନେଇପାରେ, ତେବେ କେତେଟା ପୁରସ୍କାର ଅନ୍ତତଃ ମିଳିବ । ଗବେଷଣା କଲେ ହୁଏତ ଶେଷରେ ଉପାସ ଶୋଇବାକୁ ପଡ଼ିବ ।

 

ସୁଧାଂଶୁ ବାବୁ ତାସରେ ଖାତକରି ଫୁଲମଞ୍ଜି କେତେଟା ପୋତିବାକୁ ଆରମ୍ଭ କଲେ । ସଚ୍ଚି ଠିଆହୋଇ ଅନାଇଲା ବଗିଚାଟା ଆଡ଼େ । ସୁଧାଂଶୁ ବାବୁଙ୍କ ଘର ପଛପଟେ ଯେ ସୁନ୍ଦର ବଗିଚାଟାଏ ଅଛି ସେକଥା ସେ ଜାଣିନଥିଲା । ବଗିଚାର ଠିକ୍ ମଝିରେ ରହିଚି ଛୋଟ ପୋଖରୀଟାଏ । ସୁଧାଂଶୁ ବାବୁ ମଞ୍ଜି ପୋତି ସାରି ଠିଆହେଲେ । କହିଲେ, ଆସନ୍ତୁ ମୋ ସଙ୍ଗେ ଟିକିଏ ବଗିଚାଟା ଦେଖିଯିବେ । ସଚ୍ଚି ଚାଲିଲା ପଛେ ପଛେ । ପୋଖରୀରେ ହାତ ଧୋଉ ଧୋଉ ସୁଧାଂଶୁ ବାବୁ କହିଲେ, ବୁଝିଲେ, ୟା ନାଁ ଦେଇଚି ମିନତି ଲେକ୍ । ମିନତି ମୋର..ମାନେ ସଙ୍ଗିନୀ...ଠିକ୍ କାଲକାଟାର ଛୋଟ ଛୋଟ ପୋଖରୀ ଯେଉଁମାନଙ୍କ ନାମ ବି ଲେକ୍, ଏଇଟା ଠିକ୍ ସେଭଳି ହୋଇନି ? ମିନତି ଏହାର ନାଁ ଦେଇଥିଲେ ସୁଧାଂଶୁ ପୁଲ...ହାଃ..ହାଃ...ସେ ରହିଛନ୍ତି କାହିଁ କେଉଁ ସିକସଟିନଥ ସେନଚୁରୀରେ,-ଆଜି ବିଂଶ ଶତାବ୍ଦୀରେ ଆମକୁ ହେବାକୁ ପଡ଼ିବ ବିଶାଳ, ଆମର ହୃଦୟ ହେବ ବିଶାଳ, ଆମର ଚିନ୍ତା , ଆମର ଭାବ, ଆମର ପୋଖରୀ, ଆମର ଘର ସବୁ ବିଶାଳ ହେବା ଦରକାର । ଛୋଟ ପୋଖରୀ ପଛେ ହେଉ ତାର ନାମ ଦେବ ଲେକ୍ । ଏଥିରେ କି ମହତ୍, ବିଶାଳତ୍ୱର ପରିଚୟ ମିଳୁଚି । ଆଉ ପୁଲ୍, ସିକସଟିନଥ ସେନଚୁରୀ ଆଇଡ଼ିଆ । ମିନତି ଯେ ଏତେ ଶତାବ୍ଦୀ ପଛରେ ପଡ଼ିଛନ୍ତି ମୁଁ ସେଦିନ ଯାଏ ଜାଣିନଥିଲି ! ଦୁହେଁ ଏୟା ଭିତରେ ଲେକ୍ ପୋଖରୀର ପାହାଚ–ବଗିଚାର ଯେଉଁ ଅଂଶରେ ସିଜନ୍ ଫ୍ଳାଓ୍ୟାର୍ ଲଗାଯାଇଚି,–ଆସି ସାରିଥିଲେ-

 

ଭାଇ, ଭାଇ !

 

ସୁଧାଂଶୁ ବାବୁ ଆଉ ସଚ୍ଚି ଚାହିଁଲେ । ଅତି ଆଧୁନିକା ତରୁଣୀଟିଏ ପଶିଆସୁଚି । ସୁଧାଂଶୁ ବାବୁ କହିଲେ, ସେ ମୋର ଭଉଣୀ ସଙ୍ଘମିତ୍ରା, କଲେଜରେ ପଢ଼ୁଚି ହିଷ୍ଟ୍ରି ଅନର୍ସ । ମିତ୍ରା, ଏ ବାବୁଙ୍କୁ ନମସ୍କାର ହୁଅ ।

 

ମିତ୍ରା ସଚ୍ଚି ବାବୁଙ୍କ ହାତଟା ନିଜ ହାତରେ ଚାପି ଦେଇ କହିଲା, ଶୁଭଦିନ ମି: ଅପରିଚିତ ! ଭାଇ, ନମସ୍କାର କରିବାଟା ଆଜିକାଲି ପରିଣତ ହୋଇ ଯାଇଚି ଅତୀତରେ । ବର୍ତ୍ତମାନତ ନମସ୍କାର ଆଉ ଚଳିବନି-

 

ସୁଧାଂଶୁ ବାବୁ ହସି ହସି କହିଲେ ତୁ ଯେତେଶୀଘ୍ର ଆଗେଇ ଚାଲିଚୁ, ମୋର ମନେ ହେଉଚି ଦିନେ ତୁ କହିବୁ, ଭାଇ ମୁଁ କେମିତି ଅତୀତରେ ପରିଣତ ହୋଇଯାଇଚି । ମତେ ବର୍ତ୍ତମାନ କର, ମତେ ନୂତନ କର । ସମୟକୁ ପଛରେ ପକେଇ ଆଗରେ ଧାଇଁବାର ଚେଷ୍ଟା କଣ କମ ସାହାସ ?

 

ସଚ୍ଚି ଏମାନଙ୍କର କଥାବାର୍ତ୍ତା ଶୁଣି ମନେ ମନେ ହସିଲା । ମିତ୍ରାର ଅତି ଆଧୁନିକତାରେ ସେ ବିସ୍ମିତ ହେଲା । ଦୁନିଆ ଆଗେଇ ଚାଲିଚି ପ୍ରତି ମୁହୂର୍ତ୍ତରେ, ଆଉ ସେ ହୁଏତ ପଡ଼ିଯାଇଚି ପଛରେ ।

 

ମିତ୍ରା ଗୋଟାଏ ମୋଟା ବହି ଖୋଲି ସୁଧାଂଶୁ ବାବୁଙ୍କୁ ଦେଖାଇ କହିଲା, ଆଚ୍ଛା, ଭାଇ କହିଲ ମିଃ ଥମ୍ପସନଙ୍କର ଏଇ ଲାଇନଟା ଜଗନ୍ନାଥ ଦେଉଳ ବିଷୟରେ–

 

ସୁଧାଂଶୁ ବାବୁ ଟିକିଏ ବିରକ୍ତ ହେଲାପରି କହିଲେ, ସେ ଦିନ କହିଥିଲି ମିତ୍ରା, ସବୁ ବିଷୟରେ ସ୍ଥାନ ଓ ସମୟ ଜ୍ଞାନ ଟିକିଏ ଥିବା ଦରକାର । ବଗିଚାରେ ଏଇ ଚାରିଟାବେଳେ ଇତିହାସ ଚର୍ଚ୍ଚା ? ମୁଁ ଦେଖୁଚି ହୁଏତ ତୁ ତୋର କାର୍ଯ୍ୟରେ ଆଗେଇ ଚାଲିଥିଲେ ମଧ୍ୟ, ଭାବଧାରାରେ ହୁଏତ ଊନବିଂଶ ଶତାବ୍ଦୀରେ ରହିଯାଇଛି ! ତା ପରେ ସେଦିନ ପରା କହିଥିଲି, ଆଉ ତୁ କଣ ଜାଣିନୁ ? ମୁଁ ଇତିହାସ ଛାତ୍ର ନୁହେଁ ଆଉ ମୁଁ ବରଂ ଇତିହାସକୁ ଘୃଣା କରେ ।

 

ସଚ୍ଚି ହଠାତ୍ ପଚାରିଲା, କାହିଁକି ?

 

ମୁଁ ଚାହେଁ ପ୍ରଗତି, ପାଶ୍ଚାତ୍ୟର ଅନୁକରଣରେ ନୁହେଁ, ନିଜ ମନର ନିର୍ଦ୍ଦେଶରେ । ଜାଣୁ ମିତ୍ରା, ଏ ହେଉଛନ୍ତି ଜଣେ ଇତିହାସ ଅଧ୍ୟାପକ । ୟାଙ୍କ ସଙ୍ଗେ ହୁଏତ ଖୁବ ସୁବିଧାରେ ଇତିହାସ ଚର୍ଚ୍ଚା କରିପାରିବୁ ।

 

ମିତ୍ରା ବେଣୀର ଗୋଟାଏ ଫଳକ ହାତରେ ହଲାଉ ହଲାଉ କହିଲା, ତମେ ଯୋଉ କହିଲ, ମୁଁ ଇତିହାସକୁ ଘୃଣା କରେ, ଏ ବିଷୟରେ ସର୍ଚ କଲେ ହୁଏତ ଏକ ସପ୍ତାହ ଲାଗିଯିବ ।

 

ସଚ୍ଚି ଚାହିଁଲା ମିତ୍ରାକୁ, ମିତ୍ରା ଦେହରେ ଲାଗିଚି ଯୌବନ ପରଶ । କିନ୍ତୁ ଯୌବନର ସେ ସ୍ୱର୍ଗୀୟ ଧାରାକୁ ମିତ୍ରା ପରିଣତ କରି ଦେଇଚି ଅତି ଆଧୁନିକ ଫାଜିଲାମି ଆଉ ପ୍ରଗଳଭତାର ସ୍ରୋତରେ । ଯୌବନର କମନୀୟ ଆଭା ଅତିରିକ୍ତ ବିଦେଶୀୟ ବିଳାସିତାରେ ନଷ୍ଟ ହୋଇ ଆସୁଚି-। ମିତ୍ରା ସଚ୍ଚିର ହାତ ଧରିପକାଇ କହିଲା, ଆସନ୍ତୁନା ବିଲିଆର୍ଡ଼ ଖେଳିବା–ଭାଇ ମୋ ସାଙ୍ଗରେ ଖେଳିଲେ ବରାବର ହାରନ୍ତି, ସେଥିପାଇଁ ଆଜିକାଲି ଡାକିଲେ ମୋଟେ ଖେଳିବାକୁ ଆସନ୍ତି ନାହିଁ । ମିତ୍ରା ମୁଗ୍ଧ ଆଉ ଚପଳ ଦୃଷ୍ଟିରେ ଅନାଇଲା ସଚ୍ଚିକୁ । ସଚ୍ଚି ସେତେବେଳେକୁ ପାଦରେ ଭୂଇଁରେ ଗାର କାଟୁଥିଲା ।

 

ସୁଧାଂଶୁ ବାବୁ କହିଲେ, ବୁଝିଲେ ସଚ୍ଚି ବାବୁ, ଏ ଭିନ୍‍କା ଫୁଲଟା ମତେ ଭାରି ଭଲ ଲାଗେ ଏହାର ସରଳତା ପାଇଁ ! ମୁଁ ନିଜ ହାତରେ ପ୍ରତିଦିନ ପାଣି ଦିଏ

 

ମିତ୍ରା ସଚ୍ଚିର ହାତ ଧରି ଭିଡ଼ି ନେଉ ନେଉ କହିଲା, ସଚ୍ଚିବାବୁ ଆସନ୍ତୁନା ବିଲିଆର୍ଡ଼ ଖେଳିବା l ଭାଇ ଲାଗିଥାନ୍ତୁ ତାଙ୍କୁ ଭିନକା ଗଛରେ ! ଭିନକା ତାଙ୍କୁ ସ୍ୱର୍ଗକୁ ନେବ ।

 

ସୁଧାଂଶୁ ବାବୁ ହସି ଉଠିଲେ ଜୋରରେ । ମିତ୍ରା, ତତେ ମୁଁ ଅନେକ ଥର କହିଚି ନା ତୁ ସିକସଟେନିଥ ସେନଚ୍ୟୁରୀରେ ! ସ୍ୱର୍ଗ ଏ ବିଂଶ ଶତାବ୍ଦୀରେ କଣ ଖୁବ ବଡ଼ ଜିନିଷ ? ବିଂଶ ଶତାବ୍ଦୀ ପ୍ରମାଣ କରିଚି ତାର ବିଜ୍ଞାନ ସାହାର୍ଯ୍ୟରେ ସ୍ୱର୍ଗ ଦେବତାମାନଙ୍କର ନୁହଁ, ସ୍ୱର୍ଗ ଏକା ମର୍ତ୍ତ୍ୟର ମଣିଷମାନଙ୍କ ପାଇଁ । ସେମାନେ ଉଡ଼ାଜାହାଜ ସାହାର୍ଯ୍ୟରେ ସ୍ୱର୍ଗରେ ବିଚରଣ କରିବେ ଆଉ ସ୍ୱର୍ଗର ଗ୍ରହମାନଙ୍କ ବିଷୟରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ଆବିଷ୍କାର କରିବେ ! ସ୍ୱର୍ଗତ ବର୍ତ୍ତମାନ ମଣିଷମାନଙ୍କ ପାଇଁ କିଛି ନୂଆ ନୁହେଁ ! କଳ୍ପିତ ସ୍ୱର୍ଗର ସୌନ୍ଦର୍ଯ୍ୟଠାରୁ ମର୍ତ୍ତରେ ଆହୁରି ଭଲ ଆହୁରି ଉଚ୍ଚଧରଣର ସୌନ୍ଦର୍ଯ୍ୟ ତିଆରି ହୋଇଚି, ମନେକର ଏଇ ଭନକା...

 

ମିତ୍ରା ବାଧା ଦେଇ କହିଲା, ସଚ୍ଚି ବାବୁ, ଆସନ୍ତୁ । ମିତ୍ରା ଏଥର ଜୋରରେ ଭିଡ଼ିନେଲା ସଚ୍ଚିର ହାତକୁ । ସଚ୍ଚି ବାଧ୍ୟ ହୋଇ ମିତ୍ରାର ଅନୁସରଣ କଲା । ମିତ୍ରା ଯାଇ ପହଞ୍ଚିଲା ଡାହାଣ ପଟକୁ ଥିବା ଗୋଟିଏ ଘରେ । ସେ ଘରେ ଗୋଟାଏ କୁସନ୍ ଉପରେ ସଚ୍ଚିକୁ ବସାଇ ଦେଇ, ଆଉ ଗୋଟାଏ କୁସନ୍ ଉପରେ ନିଜେ ବସିଯାଇ କଲିଂବେଲଟାକୁ ଦୁଇ ଥର ବଜାଇଲା । ଗୋଟିଏ ଆଠ ଦଶ ବର୍ଷ ବୟସର ପିଲା ଆସି ସଲାମ କଲା । ମିତ୍ରା ରାଗିଲା ସ୍ଵରରେ କହିଲା, ଏତେଥର ତତେ ଶିଖେଇଲି ସଲାମ କରିବା, କିନ୍ତୁ ଆଜିଯାଏ ଆସିଲାନି-ହେତ, ହୋପଲେସ୍ । ଯା ଚା ଦି’କପ୍ ପୂଝାରୀକୁ କହି ନେଇ ଆସିବୁ ।

 

ପିଲାଟି ମୁଣ୍ଡ ହଲାଇ ନୀରବରେ ଚାଲିଗଲା । ମିତ୍ରା କହିଲା, ମୁଁ ଏହାକୁ କେତେଦିନ ହେଲା ବୟ ରୂପେ ଆପଏଣ୍ଟ କରିଚି । ବର୍ତ୍ତମାନ ବିଲିଆର୍ଡ ଖେଳ ଆରମ୍ଭ ହେଉ । ବିଲିଆର୍ଡ଼ ଟେବୁଲ ପାଖକୁ ମିତ୍ରା ଘୁଞ୍ଚି ଯାଇ କହିଲା, ଆସନ୍ତୁ ।

 

ସଚ୍ଚି କହିଲା, କ୍ଷମା କରିବେ ମିତ୍ରା ଦେବି, ମତେ ବିଲିଆର୍ଡ଼ ଆସେନା ।

 

ମିତ୍ରା ହସିଲା । କହିଲା ଏ ବିଂଶ ଶତାବ୍ଦୀର ଯୁବକ ହୋଇ ଏଡ଼େ ସୁନ୍ଦର ଖେଳ ବିଲିଆର୍ଡ଼ ଶିଖିନାହାନ୍ତିନା ? ଭାଇଙ୍କୁ ଭଲ ଆସେନି । ଭାଉଜ’ଉ ନିହାତି ହୋପଲେସ୍ । ଏ ଶତାବ୍ଦୀରେ ପୁଣି ଘରେ ଲୁଚିକରି ରହନ୍ତି । ଭାଇଙ୍କ ସଙ୍ଗେ ଟି ପାର୍ଟିରେ ଯୋଗ ଦେବାକୁ ମୁଁ ଯାଏ, ଆଉ ପରିଚୟ ଦେବାକୁ ପଡ଼େ ମିସେସ୍ ସୁଧାଂଶୁ ପଟ୍ଟନାୟକ ରୂପେ । କଣ କରିବି ? ଅନେକ ଜାଗାରେ ଅପମାନବି ପାଇଲିଣି, ଏଥର ଆଉ ମିସେସ୍ ସାଜିବାର ଉପାୟ ନାହିଁ । କିଛି ସମୟ ଚୁପି ରହି ଚାହିଁଲା ସଚ୍ଚି ଆଡ଼େ । ସଚ୍ଚି କାନ୍ଥରେ ଡକଟର ଜେନରଙ୍କ ଛବିକୁ ଟାହିଁଚି ନିବିଷ୍ଟ ହୋଇ-। ମିତ୍ରା କହିଲା, ସଚ୍ଚି ବାବୁ, ମୁଁ ତ କହିବାରେ ଲାଗିଚି, ଆପଣ ଚୁପ୍ ରହିଛନ୍ତି ! ତା ହେଲେ ଏ ଟେବୁଲ, ଚେଆର ଆଉ କାନ୍ଥବାଡ଼ଠାରୁ ଆପଣ ଆଉ ଅଧିକା କିପରି ? ସଚ୍ଚି ଜେନର ଆଡ଼ୁ ମିତ୍ରାଆଡ଼େ ମୁହଁ ଫେରାଇ ଚାହିଁଲା । ମିତ୍ରାମୁହଁରେ କିପରି ଗୋଟାଏ ଦୁଷ୍ଟ ହସ ଫୁଟି ଉଠିଚି । ସଚ୍ଚି ପୁଣି ଜେନର୍ ଆଡ଼େ ଚାହିଁ କହିଲା, କଣ ଆଉ କହିବାର ଅଛି ?

 

ଚାକରଟା ଚା ଦେଇ ଗଲା । ସଚ୍ଚି ଗୋଟାଏ କପ୍ ଟ୍ରେରୁ ଉଠାଇ ନେଇ ପିଇବା ଆରମ୍ଭ କରିଦେଲା । ମିତ୍ରା ସଚ୍ଚିର ହାତରୁ କପଟା ଛଡ଼ାଇ ଆଣି ଚିନି ଦେଇ ଗୋଳାଉ ଗୋଲଉ କହିଲା, ଚା’ରେ ଚିନି ନ ଦେଇ ଖାଉଚନ୍ତି କିପରି ?

 

ଓଃ, ଅନ୍ୟମନସ୍କ ଥିଲି !

 

ଚା’କପଟା ସରି ଆସିଲା । ଖାଲି କପଟା ଟ୍ରେରେ ଥୋଇଦେଲା ସଚ୍ଚି । ଟେବୁଲ ଡ଼୍ରରୁ ସିଗାରେଟ୍ କେସଟାଏ ଆଉ ସିଗାରେଟ୍ ଲାଇଟର ବଢ଼ାଇ ଦେଲା ମିତ୍ରା । ସଚ୍ଚି ସିଗାରେଟ୍ ଖଣ୍ଡେ ଟାଣି ନେଇ ନିଆଁ ଲଗାଇଲା ।

 

ଆକାଶର ଫାଳେ ଝରକା ଫାଙ୍କାରେ ଦେଖାଯାଉଚି । ସୂର୍ଯ୍ୟ ଅସ୍ତ ହୋଇ ଆସୁଚି । ସେପଟେ ଦେଖାଯାଉଥିବା ଦୁଇମହଲା କୋଠା ଉପରେ ଗୋଟାଏ ପିଲା କସରତ କରୁଚି । ବସୁଚି, ଉଠୁଚି, ଉଠୁଚି ବସୁଚି...କସରତ, ଦେହର ବଳହେବ । ତାଠାରୁ ଆଉ ଟିକିଏ ଦୂରରେ ଦୁଇଟା ଗୁଡ଼ି ଉଡ଼ୁଚି କାଳିଆ, ନାଲିଆ-କାଳିଆ ଗୁଡ଼ିଟା କଟିଗଲା ପବନରେ ଭାସିଯାଉଚି ।

 

ସନ୍ଧ୍ୟା ହୋଇ ଆସୁଚି । ଆକାଶରେ ଉଠିଚି ଦ୍ୱିତୀୟାର ବଙ୍କିମଚନ୍ଦ୍ର । ପ୍ରାସାଦର ଚୂଡ଼ାରେ ଦ୍ୱିତୀୟାର ବଙ୍କିମଚନ୍ଦ୍ର । ବର୍ତ୍ତମାନ ପ୍ରାସାଦ ହୁଏତ ପରିଣତ ହୋଇଚି ଅତୀତର ମହାଦେବରେ ।

ଘର ଭିତରଟା ଅନ୍ଧାର ହୋଇ ଆସିଚି । ମିତ୍ରା ଆସି ବସିଲା ସଚ୍ଚି ବସିଥିବା କୁସନ୍ ଚେଆର ବାହୁ ଉପରେ । ଆଜି ଆପଣ କାହିଁକି ବହୁତ ଅନ୍ୟମନସ୍କ ରହୁଛନ୍ତି । ଆଛା ବର୍ତ୍ତମାନ ବ୍ରେବାଜିଟାଏ ଖେଳିଲେ ମନ୍ଦ କଣ ହୁଅନ୍ତା ?

ସଚ୍ଚି ଚାହିଁଲା ଆର ପଟ ଝରକା ଆଡ଼େ । ଝରକା ପାଖରେ ଟଙ୍ଗା ହୋଇଥିବା ମହାତ୍ମାଗାନ୍ଧୀଙ୍କ ଛବିଟା ସନ୍ଧ୍ୟାରେ ମଳିନ ଆଲୋକରେ ଅସ୍ପଷ୍ଟ ହୋଇ ଆସିଚି । ଝରକାର ରେଲିଂ ଦେଇ ଚାହିଁଲେ ଦୃଷ୍ଟିରେ ପଡ଼େ ସହରର ରାଜପଥ । ରାଜପଥ ଉପରେ ଛୁଟିଚି ଜୀବନର ସ୍ରୋତ ପ୍ରତି ମୁହୂର୍ତ୍ତରେ । ଅସଂଖ୍ୟ କାର୍, ରିକ୍ସା, ମଣିଷ...ସମସ୍ତେ ଗତିବାନ୍ କିନ୍ତୁ ସେ ? ରାସ୍ତା ପାଖରେ ଥିବା ଇଲେକଟ୍ରିକ୍ ପୋଷ୍ଟରେ ଗୋଟାଏ କଣ ବିଜ୍ଞାପନ ମରା ଯାଇଛି । ଏତେ ଦୂରରୁ କଣ ଲେଖାଯାଇଚି ଜଣାପଡ଼ୁନି । ଇଲେକଟ୍ରିକ୍ ଲାଇନରେ ଛୁଟିଥିବ କ୍ଷିପ୍ର ଗତିରେ ବୈଦ୍ୟୁତିକ ଶକ୍ତି । କିନ୍ତୁ ଇଲେକଟ୍ରି ପୋଷ୍ଟ-ଯିଏ ବୈଦ୍ୟୁତିକ ଶକ୍ତିର କ୍ଷିପ୍ର ଗତି ପାଇଁ ସାହାର୍ଯ୍ୟ କରୁଚି, ସେ ସ୍ଥାଣୁ ଅଚଳ । ସେ ନିଜେ ବି ହୁଏତ ସେଇ ଇଲେକଟ୍ରିକ୍ ପୋଷ୍ଟ ପରି ହୋଇ ଯାଇଚି ଅଚଳ ସ୍ଥାଣୁ ଗତିହୀନ ।

ମିତ୍ରା ହଠାତ୍ ସଚ୍ଚି ଉପରେ ପଡ଼ିଗଲା । ତାର ଗୋଡ଼ ଖସିଗଲା ବୋଧହୁଏ । ସଚ୍ଚି ଦୁଇ ହାତରେ ମିତ୍ରାକୁ ଧରି ଠିଆ କରିଦେଲା । ବୟ ଆଣି ଥୋଇ ଦେଇଗଲା ଲଣ୍ଠନଟାଏ । କହିଲା, ନିକୁଞ୍ଜ ବାବୁ ଖୋଜୁଚନ୍ତି ।

ମିତ୍ରା ଦୁଇହାତ ପାପୁଲିରେ ମୁହଁକୁ ଟିକିଏ ଘଷିଦେଇ କହିଲା, ଆଛା ସଚ୍ଚିବାବୁ, ଯାଆନ୍ତୁ । କାଲି ଯେପରି ସକାଳୁ ଆସନ୍ତି । ଏଠି ଟା ଖିଆଟା ହେବ, ଆଛା ବିଦାୟ-ଗୁଡ଼ନାଇଟ୍, ଚାଲିଗଲି ବୋଲି କିଛି ମନେ କରିବେନି-। ସଚ୍ଚି ଉଠି ଚାଲି ଆସୁଥିଲା । ମିତ୍ରା ପଛକୁ ଫେରି କହିଲା, ଚାଲନ୍ତୁ ଗେଟ୍ ପାଖରେ ଛାଡ଼ି ଦେଇ ଆସିବି । ଗେଟ୍ ପାଖରେ ମିତ୍ରା ଗୋଟିଏ ଫୁଲ ସଚ୍ଚି ହାତରେ ଦେଲା । ସଚ୍ଚି କିଛି ପଚାରିବା ପୂର୍ବରୁ ମିତ୍ରା କହିଲା, ୟା ନାଁ ହେଉଛି ଫରଗେଟ୍-ମି-ନଟ୍ ଫ୍ଳାଓ୍ୟାର-ଗୁଡ଼୍-ନାଇଟ୍ । ସେ ଚାଲିଗଲା ।

 

ମିତ୍ରାଙ୍କ ଘର ଚାକର ସଙ୍ଗେ ବାଟରେ ଦେଖା ହେଲା । କହିଲା, ବାବୁ ! ଘର ପରା ଖୋଜୁଥିଲେ ? ତେଲେଙ୍ଗାବଜାର ପୋଷ୍ଟ ଅଫିସ ପାଖରେ ଗୋଟିଏ ଘର ଖାଲି ଅଛି । ସେଠିକି ଯାଇ ବୁଝନ୍ତୁ ।

 

ସରୋଜ କାନ୍ଦୁଚି ଆଉ ପ୍ରତିମା ତାକୁ କୋଳରେ ଧରି ବସିଚି । ସଚ୍ଚି ପଚାରିଲା, କାହିଁକି କାନ୍ଦୁଚି ? ପ୍ରତିମା କହିଲା, କୁଆଡ଼େ ମା’ଙ୍କୁ ବିସ୍କୁଟ ଟାଏ ମାଗିଲା, ମା’ ଖାଉଥିଲେ । ସେ ନଦେବାରୁ କୁଆଡ଼େ ତାଙ୍କ ଘରୁ ନେଇ ଆସିଲା । ମା’ ଦେଖିଲେ । ଆଉ ତା ଫଳରେ ମାଡ଼ ହେଲା–ପ୍ରତିମା କାନ୍ଦିବାକୁ ଆରମ୍ଭ କଲା ।

 

ପରି ! ଘର ବୁଝିଚି, କାଲି ସକାଳୁ ଚାଲି ଯିବା–ଆଉ ଏଠି ନୁହେଁ ।

 

ରାତି ଗୋଟାଏ । ସରୋଜ ଓ ପ୍ରତିମା ଶୋଇ ପଡ଼ିଲାଣି କେତେବେଳୁ । ସେଦିନ ଟ୍ରେନରୁ ଆଣିଥିବା ଗରମ କୋଟଟା ସେ ନିଜେ ପିନ୍ଧିଚି । ସରୋଜ ଆଉ ପ୍ରତିମା ଘୋଡ଼ି ହୋଇଛନ୍ତି ଶସ୍ତା ତୁଳା କମଳ ଗୋଟିଏ । ଭଙ୍ଗା ଝରକାରେ ଦିଆ ହୋଇଥିଲା ଅଖା ଖଣ୍ଡେ । ଅଖାଟି ଛିଣ୍ଡି ଗଲାଣି । ତେଣୁ ତାରି ଫାଙ୍କ ଦେଇ ପବନ ଆସୁଚି ।

 

ମଣ୍ଟୁବାବୁଙ୍କ ସ୍ତ୍ରୀ ସୁମିତ୍ରା ସରୋଜକୁ ମାରିଲେ ଗୋଟାଏ ବିସ୍କୁଟ ପାଇଁ । ଆଉ କୁଆଡ଼େ କହିଲେ ଚୋରଣୀ ବୋଲି, ମାଗିଖିଆର ଝିଅ ବୋଲି । ମଣ୍ଟୁବାବୁ ସେତେବେଳେ ନିଜ ଷ୍ଟଡ଼ି ରୁମରେ ବସିଥିଲେ । ସେ ପାଟି ଫିଟାଇ ନାହାନ୍ତି । ସ୍ତ୍ରୀ ସୁମିତ୍ରାଙ୍କ ଭୟରେ ହୁଏତ । ଅଧ୍ୟାପକ ସଚ୍ଚି ବୋଷର ଝିଅକୁ କିଏ କହିପାରେ ଚୋରଣୀ ବୋଲି ? ମାଗିଖିଆର ଝିଅ ବୋଲି ? ଅଧ୍ୟାପକ ସଚ୍ଚବୋଷ କ’ଣ ମାଗିଖିଆ ? ନା, ନିଶ୍ଚୟ ଏହାର ପ୍ରତିଶୋଧ ନେବାକୁ ପଡ଼ିବ । ସନ୍ଧ୍ୟାବେଳେ ମନେ ହେଉଥିଲା ସଙ୍ଗେ ସଙ୍ଗେ ଉପରକୁ ଯାଇ ସୁମିତ୍ରାକୁ ଆଉ ମଣ୍ଟୁକୁ ଭିଡ଼ିଆଣି ବେକ ଚିପି ଦେବାକୁ । ହାତ ପାପୁଲି ସେ ହିଂସ୍ର କାର୍ଯ୍ୟ ପାଇଁ ଫୁଲି ଫୁଲି ଉଠୁଥିଲା । କିନ୍ତୁ ବର୍ତ୍ତମାନ ? ହାତ ତଳେ ସେତେବେଳେ ଯେଉଁ ଉଷ୍ଣ ରକ୍ତର କ୍ଷିପ୍ର ସ୍ରୋତ ବହୁଥିଲା ତାହା ଶୀତଳ ହୋଇ ଯାଇଚି । ଅଧ୍ୟାପକ ପ୍ରଫୁଲ୍ଲ ପଟ୍ଟନାୟକର ଆଶ୍ରୟପ୍ରାର୍ଥୀ, କାଙ୍ଗାଳ ସଚ୍ଚିବୋଷ କ’ଣ କରିପାରେ ? ବରଂ ସେ ଯଦି ଏତକ ସାହାଯ୍ୟ ଦେଇ ନଥାନ୍ତେ ତେବେ ହୁଏତ ୟା ମଧ୍ୟରେ ସ୍ୱର୍ଗପୁର କିମ୍ବା ପ୍ରେତପୁର ଦେଖିବାକୁ ପଡ଼ିଥାଆନ୍ତା !

 

ପ୍ରତିଶୋଧ ? ଛବି ଅପା ପ୍ରତିଶୋଧ ନେଲା ? ଛବି ଅପା ନୀରବରେ ସହି ନେଇଚି । ଆଉ ଏଇ ସହିନେବା ଭିତରେ ହୁଏ ତ ତା’ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେଇ ସାରିଚି ।

 

ପାଞ୍ଚ ବର୍ଷର ସରୋଜକୁ ମାରିପାରେ ସୁମିତ୍ରା ?

 

ସରୋଜ ? ସରୋଜ କିଏ ? ପ୍ରତି ମୁହୂର୍ତ୍ତରେ ପୃଥିବୀର ପ୍ରତିକୋଣ ପୂରି ଉଠୁଚି କେତେ ସରୋଜରେ । ଯଦି ଗୋଟିଏ ସରୋଜ ମରେ, ତେବେ ଦୁନିଆର କିଛି କ୍ଷତି ହେବନି । ତା ସ୍ଥାନରେ ସେତେବେଳକୁ କୋଟି କୋଟି ସରୋଜ ଜନ୍ମ ହୋଇ ସାରିଥିବେ । ଦୁନିଆର ସେ କୋଟି କୋଟି ପିଲାଙ୍କ ଭିତରେ କଣ ସରୋଜର ଆତ୍ମା ରହିବ ନାହିଁ ? ନିଶ୍ଚୟ ରହିବ ।

 

ଘର ଭିତରେ ଅନ୍ଧାର ।

 

ଅନ୍ଧାର ଭିତରୁ ଚାଲି ଆସିଲା ଯେପରି ମିତ୍ରା । ମିତ୍ରା ହାତରେ ଗୋଟିଏ ଫୁଲ । ତା ହାତରେ ଧରାଇ ଦେଇ କହିଲା, ଏ ଫୁଲର ନାଁ କ’ଣ ଜାଣନ୍ତି ? ଫରଗେଟ ମି ନଟ୍-ମତେ ଭୁଲି ଯାଅନା–ମିତ୍ରା ଓଠରେ ଦୁଷ୍ଟ ଚପଳ ହସ !

 

ସଚ୍ଚି ବୋଷ, ଆଶ୍ରୟପ୍ରାର୍ଥୀ, ଗରିବ, କାଙ୍ଗାଳ ସଚ୍ଚିବୋଷ, ଆଉ ଧନୀ, ମାନୀ, ପ୍ରତିପତ୍ତିଶାଳୀ ସୁଧାଂଶୁ ପଟ୍ଟନାୟକଙ୍କର ଭଉଣୀ ଅତି ଆଧୁନିକା, ଉଚ୍ଚ ଶିକ୍ଷିତା ଶ୍ରୀ ସଙ୍ଘମିତ୍ରା ପଟ୍ଟନାୟକ-। ସେ ଶିଶୁର ରବର ଖେଳନାଟା ଧରି କହେ, ତୁ ମୋ ପୁଅ । ଆଉ ରବର ଖେଳନାର ଯଦି ଜୀବନ ଥାଆନ୍ତା, ସେ ହୁଏତ ଭାବନ୍ତା ଆଉ ମନେ ମନେ କହନ୍ତା, ହଁ ମୁଁ ପୁଅ ତମର, ତମର-। ଦୁଇଦିନ ପରେ ଯେତେବେଳେ ପୁରୁଣା ଭଙ୍ଗା ହୋଇଯାଏ ସେତେବେଳେ ସେ ଖେଳନାଟା ଶିଶୁର ହୋଇଯାଏ ଅଦରକାରୀ । ସେ ତାକୁ ଫିଙ୍ଗି ଦେଇ ନୂଆଟାଏ ଆଣେ ଆଉ ନୂଆକୁ ଠିକ ପୂର୍ବ ରାତିରେ କହେ, ତୁ ମୋ ପୁଅ ।

 

ଚାରିଆଡ଼ ନିଃଶବ୍ଦ ।

 

ଆଖି ପତାରେ ନିଦ ଲାଗି ଆସୁଚି । ଠିକ୍ ନିଦ ହେଉନାହି କିନ୍ତୁ । ସଚ୍ଚିବୋଷ, ମିତ୍ରା, ସୁମିତ୍ରା...ପ୍ରତିମା, ସରୋଜ...ନୃପେନ୍ଦ୍ର...ତ୍ରିଶଙ୍କୁ ସଂଘ, ନିୟମାବଳୀ କଣ ଟି ? ଦିନବେଳା ସୂତା-ସୂତା ତିରିଶଗଜ, ଗାନ୍ଧି ସ୍ମୃତି ପାଣ୍ଠି ପାଇଁ ଚାନ୍ଦା ଅସୁଲ । ସତ୍ୟ-ସେବା ଅହିଂସା-ଅହିଂସା ଆଉ ରୀତିରେ ଡକାଏତି–ବୁଦ୍ଧିମତୀ, ଶିକ୍ଷିତା, ଧନୀ ସୁମିତ୍ରା, ମାରିଲା ଗୋଟାଏ ଆଶ୍ରୟହୀନ, କାଙ୍ଗାଳ, ଅଶିକ୍ଷିତ ପାଞ୍ଚ ବର୍ଷର ଛୁଆକୁ ?

 

ରାତ୍ରି ଚାଲିଚି କୁଆଡ଼େ ?

Image

 

(ଛଅ)

 

ସରୋଜକୁ ଜର ହେବାର ଆଜିକୁ ତିନି ଦିନ ହେଲା । ସରୋଜ ଆଉ କଥା କହି ପାରୁ ନାହିଁ, ଖାଲି ଜୁଳୁ ଜୁଳୁ କରି ଚାହୁଁଚି । ଏ ଜର ଦେହରେ ତାକୁ ଭାତ ଖାଇବାକୁ ପଡ଼ୁଚି । ଦୁଧ କେଉଁଠୁ ପାଇବ ? ମଣ୍ଟୁ ବାବୁଙ୍କୁ ଏତେ କହି କହି ଦୁଧ ଟୋପାଏ ବି ଦେଲେ ନାହିଁ-ଔଷଧ ତ ଦୂରର କଥା । ସରୋଜ ଭଲ ହେବ କିପରି ? ବିଛଣାରେ ତା ଦେହ ମିଶି ଯାଇଚି । କର ଲେଉଟାବାକୁ ବି ତା ଦେହରେ ବଳ ନାହିଁ । ଆଉ କେତେ ଦିନ ପରେ ହୁଏତ ସରୋଜ ଏ ସୁନ୍ଦର ପୃଥିବୀ ଛାଡ଼ି ଚାଲିଯିବ । ଛି, ଛି, କଣ ଭାବୁଚି ସେ ? ସରୋଜ ମରିଯିବ ? ନା, ନା, ସରୋଜ ମରି ନ ପାରେ, ସରୋଜର ମୃତ୍ୟୁ ନାହିଁ ।

 

ମୁଣ୍ଡ ପାଖକୁ ବସିଚି ପରି । ଦୁଇ ଆଖି ଲୁହରେ ଢଳ ଢଳ । ହୃଦୟରେ ଅସୀମ ବେଦନା । ମା, ନିଜର ରକ୍ତ ଦେଇଚି । ତିନି ଦିନ ହେଲା ସେ ବି ଖାଇ ନାହିଁ ।

 

ସଚ୍ଚି କହିଲା, ପରି କେତେ ଦିନ ଆଉ ଏପରି ଉପାସ ଶୋଇବ ?

 

ପରି କେମିତି ଅନ୍ୟମନସ୍କ ଭାବରେ କହିଲା କେତେ ଦିନ ।

 

ପରି ଯାଅ ଖାଇ ନିଅ, ଖାଇଲେ ସିନା ସରଜୁର ସେବା କରିବ, ନ ଖାଇଲେ ଦିନ ରାତି ବସି ଏମିତି କାନ୍ଦିଲେ, ତାର ସେବା କରିବ କେମିତ ? ଯାଅ, ସୁନାଟି ପରା ।

 

ପ୍ରତିମା ଖୁବ୍ ଜୋରରେ କାନ୍ଦି ଉଠିଲା ।

 

ସଚ୍ଚି କହିଲା, ପରି, ଛି, ତମେ ଏମିତି ବାୟାଣୀଙ୍କ ପରି ହେଲେ ଚଳିବ ?

 

ପ୍ରତିମା ତଥାପି କାନ୍ଦିବାରେ ଲାଗିଥାଏ । ସଚ୍ଚି ତା ପାଖକୁ ଉଠି ଯାଇ ଲୁଗାରେ ଲୁହ ପୋଛି ଦେଲା । କହିଲା, ଆଜିଠୁ ତ ତମେ ଏମିତି ହେଲଣି ! ଆହୁରି ଦୁଃଖ ଆସୁଚି, ଆହୁରି କଷ୍ଟ ଆସୁଚି, ଆହୁରି ଯନ୍ତ୍ରଣା ଆସୁଚି । ତାକୁ ପୁଣି ସହିବ କିପରି ? ତମେ ମା, ତଥାପି ତମେ ଯେ ଆଶ୍ରୟପ୍ରାର୍ଥୀ ଏକତା ଭୁଲି ଯାଉଚି ଯେ ! ହୃଦୟକୁ ପଥର କର, ହୃଦୟକୁ ପାଷାଣ କର ଦେଉଳର ଦେବତା ପରି, ତା ହେଲେ ଯାଇ ଦୁଃଖ ସହି ପାରିବ, ଯନ୍ତ୍ରଣା ସହି ପାରିବ । କେଉଁ ଅଶୁଭ ମୁହୂର୍ତ୍ତରେ ଆମର ଜନ୍ମ ହୋଇ ଥିଲା କେଜାଣି, ଦିନେ ହସିବା ଆମ ଭାଗ୍ୟରେ ଜୁଟିଲା ନାହିଁ । ଲୁହରେ ଆମ ଜୀବନ ଲେଖା ହୋଇଚି ଯେପରି ।

 

ସଚ୍ଚି ଯାଇ ଝରକା ପାଖରେ ଠିଆ ହେଲା । ରାସ୍ତା ଉପରେ ଅସଂଖ୍ୟ ଯାନବାହାନ ଛୁଟିଚି । ଏଇ ମଟର ମାଡ଼ିଗଲା ଗୋଟାଏ କୁକୁର ଉପରେ । ମୁହୂର୍ତ୍ତକ ପାଇଁ କରୁଣ ଚିତ୍କାର କରି ଉଠିଲା । ତାପରେ ମଟର ଚାଲି ଯାଇଛି । କୁକୁର ଶେଷ ହୋଇ ଯାଇଚି । ତାର ଉଷ୍ଣ ରକ୍ତ ସ୍ରୋତରେ ରାସ୍ତାର ଏକାଂଶ ଲାଲ ହୋଇ ଉଠିଲା । ଏୟା ଭିତରେ ତିନିଟା କାର ଚାଲି ଗଲାଣି । ରାସ୍ତା ଧାରରେ ଲୋକେ ଚାଲିଛନ୍ତି । କାହାରି ତା ପ୍ରତି ଭ୍ରୂକ୍ଷେପ ନାହିଁ ।

 

ପ୍ରତିମା ତିନି ଦିନ ହେଲା ଖାଇ ନାହିଁ । ତିନି ଦିନ ସବୁବେଳେ କାନ୍ଦୁଚି । କିନ୍ତୁ ସେ ? ସରଜୁ କଣ ତା ଝିଅ ନୁହେଁ, ସେ କଣ ରକ୍ତ ଦେଇ ନାହିଁ ? ଦିନେ ସୁଦ୍ଧା ତା ଦୁଃଖରେ ସେ ଉପାସ ରହି ନାହିଁ; ମୁହୂର୍ତ୍ତେ ସୁଦ୍ଧା ତ ତା ପାଇଁ କାନ୍ଦ ନାହିଁ । ସେ ବାପ, ଆଉ ପ୍ରତିମା ମା !

 

ଜନନୀ ରୂପେ ନାରୀ କି ମହନୀୟା । କିନ୍ତୁ ଛଳନାମୟୀ ନାରୀ ରୂପେ, କି ବୀଭତ୍ସ ! ସଚ୍ଚି ମନେ ମନେ ପୃଥିବୀର ସେଇ ଜନନୀକୁ ନମସ୍କାର କଲା ।

 

ଅଳ୍ପ ଦୂରର ସେ ପ୍ରାନ୍ତରରେ ସବୁଜ ଘାସର ଆସ୍ତରଣ । କେତେଟା ଗଛରୁ ପତ୍ର ଝରିବାକୁ ଆରମ୍ଭ କଲାଣି । ଏତେ ସୁନ୍ଦର ପ୍ରକୃତି ମଧ୍ୟରେ କାହିଁ ସେ ଜୀବନ ? ଏ ଘାସର,ଏ ଗଛର ସୌନ୍ଦର୍ଯ୍ୟ ଥାଇପାରେ; କିନ୍ତୁ ଜୀବନ ନାହିଁ । ପ୍ରାଚୁର୍ଯ୍ୟ ଅଛି, କିନ୍ତୁ ପ୍ରାଣ ନାହିଁ । ଚତୁର୍ଦ୍ଦିଗରେ କିପରି ଗୋଟାଏ ଶାନ୍ତ ଉଦାସ ଭାବ ଖେଳି ଯାଇଛି ଯେପରି । ମୌନାବତୀ ପ୍ରକୃତିର ଅଙ୍ଗନରେ ନାହିଁ ସେଇ ଜୀବନ ଯାହା ମନୁଷ୍ୟକୁ ଅନ୍ତତଃ ବଞ୍ଚିବା ପାଇଁ ଉତ୍ସାହ ଦେବ । କେଉଁ ଅଶରୀରୀ ପ୍ରକୃତିରୁ ନେଇ ଯାଇଚି ସେ ଐଶ୍ୱର୍ଯ୍ୟ, ସେ ପ୍ରାଣ ପ୍ରଚୁର୍ଯ୍ୟ !

 

ସଚ୍ଚି ! ସଚ୍ଚି !

 

ସଚ୍ଚି ଝରକା ଆଡ଼ୁ ମୁହଁ ଫେରାଇଲା । ଦୁଆର ମୁହଁରେ ଠିଆ ହୋଇଛନ୍ତି ମଣ୍ଟୁ, ‘ବାବୁ’-। ଦୁଆର ପାଖକୁ ଆସି କହିଲା, କାହିଁକି ଡ଼ାକୁଛନ୍ତି ?

 

ଆଜି କଣ ମୁଁ କଲେଜ ଯିବିନି ?

 

ମୁଁ ତ ନାହିଁ କରୁନାହିଁ କଲେଜ ଯିବାକୁ ?

 

ନାହିଁ କରୁନା ଯେ, କେମିତି ଯିବି ? ଚୁଲିତ ଲାଗି ନାହିଁ ଏତେବେଳ ଯାଏ ।

 

ଓଃ, ପରି, ଯାଅତ ରୋଷେଇ କରିବ, ନା, ନା ସେ କିପରି ଯିବ ? ଛୁଆଟା ଜରରେ-

 

ଜର ଆଉ କାହାକୁ ହୋଇଚି କି ? ଦୁଇଦିନ ହେଲା ରୋଷେଇ ନାହିଁ । କାଲି ରାତିରେ ମୁଁ ନିଜେ ରୋଷେଇ କରିଥିଲି, ସୁମିକି ସର୍ଦ୍ଦି ଧରିଚି । କାଲି ପରିବା କାଟୁ କାଟୁ ଆଙ୍ଗୁଳି କାଟି ହୋଇଗଲା । କେତେ ଦିନ ଆଉ ଏପରି ଖାଇବି ?

 

ସଚ୍ଚି ପରି ପାଖକୁ ଯାଇ କହିଲା, ପରି ଯାଅତ ରୋଷେଇ କରିବ–

 

ପରି ଉଠିଗଲା ରୋଷେଇ ଘରକୁ ।

 

ଆଖି ବନ୍ଦ କରି ସରଜୁ ଶୋଇଚି । ସଚ୍ଚି କେତେ ସମୟ ସରଜୁର ମୁହଁକୁ ଚାହିଁଲା । ତା ପରେ ବାହାରକୁ ଆସିଲା । ସୁମିତ୍ରା ଉପରୁ ପାଟି କରୁଛନ୍ତି, ଏ ଡ଼୍ରାଇଭର, ଶୀଘ୍ର କାର ବାହାରକର, ଡାକ୍ତରବାବୁ ବାହାରକୁ ଚାଲିଯିବେ, ବାହାର କଲ ?

 

ମଟର ଗ୍ୟାରେଜରୁ ଡ୍ରାଇଭର ବାହାର କଲା କାର୍ । ସୁମିତ୍ରା ଓହ୍ଳାଇ ଆସିଲେ । ଦେହରେ ଜର୍ଜେଟ ଶାଢ଼ୀ, କାନରେ ହୀରାବସା ଇୟାରିଂ, ଗୋଡ଼ରେ ହାଇହିଲ ସୁ, ଆଖିରେ ଅପୂର୍ବ କଟାକ୍ଷ । ସୁମିତ୍ରା ଯାଇ ଆଗସିଟରେ ଡ୍ରାଇଭର ପାଖରେ ବସିଲେ । ଇଭିନିଂ ଇନ୍ ପାରିସର ମନହରା ଗନ୍ଧ ଭାସି ଆସୁଛି । ବେଶର ଐଶ୍ୱର୍ଯ୍ୟ ଆଖି ଝଲସାଇ ଦେଉଚି । କାର୍ କ୍ଷିପ୍ରଗତିରେ ଫାଟକ ପାର ହୋଇଗଲା । ଇଭିନିଂ-ଇନ୍-ପ୍ୟାରିସର ଗନ୍ଧ ତଥାପି ପବନରେ ମିଶି ରହୁଚି ।

 

ପନ୍ଦର ଷୋଳ ବର୍ଷର ଝିଅ । ଦୈନ୍ୟକୁ ଉପହାସ କରି ସାରା ଦେହରେ ଫୁଟି ଉଠିଚି ଯୌବନ । ଶତଚ୍ଛିନ୍ନ ଶାଢ଼ୀ । ମୁଣ୍ଡରେ ଅନେକ ଦିନ ଧରି ତେଲ ଲଗାଯାଇ ନାହିଁ । ଦେହଯାକ ମଇଳା କେମିତି ଗୋଟାଏ ଗନ୍ଧ ବାହାରୁଚି । ତଥାପି ଦୈନ୍ୟର ସେ ଆବରଣ ତଳୁ ଫୁଟି ଉଠୁଚି ଯେପରି ସ୍ୱର୍ଗୀୟ ସୁଷମା !

 

ଗୀତ ବୋଲି ସାରି ବାଳିକାଟି ହାତ ପତାଇ ମାଗିଲା, ବାବୁ !

 

କଣ ଲୋ ଝିଅ !

 

ବାବୁ, ଦୁଇଦିନ ହେଲା ଖାଇନାହିଁ–

 

ମୋ ପାଖରେ କିଛି ନାହିଁ ଲୋ ଝିଅ-ମୁଁ....

 

ଦବନି ବାବୁ, ଭାରି ଭୋକ–

 

ସାଙ୍ଗ ଘର ଭିତରକୁ ଗଲା । ଦୁଇ ପଇସା ସରଜୁ ମୁଣ୍ଡ ତଳେ ଅଛି । ପ୍ରତିମା ରଖିଚି ସରଜୁ ପାଇଁ ବିସ୍କୁଟ କିଣିବ ବୋଲି । ସରଜୁର ଦେହରେ ମୃତ୍ୟୁର କଳା ଗଭୀର ଛାୟା ଖେଳି ଆସୁଚି ଯେପରି । ନା, ନା, ଫେରିଯାଉ ସେ ବାଳିକା । ସଚ୍ଚି ଦୁଆର ମୁହଁ ପାଖକୁ ଆସିଲା । ବାଳିକାଟି ଗୀତ ବୋଲିବାରେ ଲାଗିଛି- ଦୀନବନ୍ଧୁ ହେ, ଲବେ ଦୟା ନାହିଁକି, ଦୀନବନ୍ଧୁ ହେ...ସଚ୍ଚିକୁ ଦେଖି ଗୀତ ବନ୍ଦ କରି ବାଳିକାଟି କହିଲା, ବାବୁ ଦିଅ, ଭିକାରୀ ଲୋକ କେତେ ଆଡ଼କୁ ଯିବାକୁ ହେବ । ସଚ୍ଚି କହିଆସୁଥିଲା, ନାହିଁ, କିନ୍ତୁ କିଏ ଯେପରି ତାର ତଣ୍ଟି ଚିପି ଧରିଲା । ନାହିଁ ? ମିଥ୍ୟାବାଦୀ ! ସରଜୁ, ସରଜୁ ପାଇଁ ବିସ୍କୁଟ କିଣାଯିବ ? ଦୁଇପଇସା କାହାର ବେଶୀ ଦରକାର ? ସେ ଝିଅଟିର, ନା ସରଜୁର ? ସଚ୍ଚି ସରଜୁର ବିଛଣା ପାଖକୁ ଫେରିଗଲା । ସରଜୁର ମୁଣ୍ଡ ତଳୁ ଦୁଇପଇସା ବାହାର କଲା । ସରଜୁ ଆଖି ମେଲାକଲା । କି କରୁଣ, କି ମର୍ମଦୁନ୍ତ ସେ ଚାହାଁଣୀ ! ଦେହ, ମନ ପ୍ରାଣ ସବୁକୁ ଆଘାତ କରୁଚି ଯେପରି ! ସରଜୁ ଧୀରେ ଧୀରେ ଡାକିଲା, ବାପା ! ତାପରେ ଆଖି ପୁଣି ବନ୍ଦ କରି ଦେଲା । ନା, ଏ ଦିପଇସା ସରଜୁର ବେଶୀ ଦରକାର । ବାଳିକାଟି ଡାକ ପକାଇଲା, ବାବୁ ଦିଅମ ଶୀଘ୍ର !

 

ସଚ୍ଚି ବାଳିକାଟି ହାତରେ ଦୁଇପଇସା ଦେଲା ।

 

ଭାରି ସୁନ୍ଦର ଗାଉଚିତ ଝିଅଟି ! ତୋ ନାଁ କଣ ଲୋ ଝିଅ ?

 

ଅପସରା–

 

ମଣ୍ଟୁ ବାବୁ ଆସିଛନ୍ତି ।

 

ମଣ୍ଟୁବାବୁ କହିଲେ, ଅପସରା ! ସୁନ୍ଦର ନାଁଟିଏ ତ ।

 

ଅପସରା ତଳକୁ ମୁହଁପୋତି ଠିଆହେଲା ।

 

ଆ ଉପରକୁ ଗୀତ ବୋଲିବୁ–

 

ଅପସରା କହିଲା, ନାଇଁ ବାବୁ ଦୁଃଖୀ ଲୋକ, ବାରଆଡ଼କୁ ଯିବି–

 

ଚାଲ , ଟଙ୍କା ଦେବି ।

 

ଆସନ୍ତୁନା ସଚ୍ଚିବାବୁ ଗୀତ ଶୁଣିବା । ଭଲ ସୁନ୍ଦର କଣ୍ଠ ଅଛି ।

 

ଗୀତ ଶୁଣିବାରେ ମୋର ଭାରି ଆଗ୍ରହ ।

 

ସଚ୍ଚି କେମିତି ଅନ୍ୟମନସ୍କ ଭାବରେ କହିଲା, ନା....

 

ମଣ୍ଟୁବାବୁ ଚାଲିଲେ ଆଗରେ, ତାଙ୍କ ପଛେ ପଛେ ଅପସରା । ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସି ଯାଉଛି l ହୁଏତ ଆଜି ବର୍ଷା ହୋଇପାରେ । ଥଣ୍ଡାପବନ ବହୁଚି । ଦେହ ଥରି ଉଠୁଚି ଶୀତରେ । ତଥାପି ଆଜି ଟିକିଏ ଶୀତ କମ୍ ଅଛି । ଆକାଶର ମେଘମାଳା କୁଆଡ଼େ ଚାଲିଛନ୍ତି ? ଜୀବନ ପଥରେ, ନା ମୃତ୍ୟୁ ପଥରେ ? ଜୀବନ ମୃତ୍ୟୁ, ମୃତ୍ୟୁ ଆଉ ଜୀବନ । ଜୀବନ ପରେ ମୃତ୍ୟୁ ଆସେ, ଆଉ ମୃତ୍ୟୁ ପରେ ଆସେ ଜୀବନ ! କି ବିଚିତ୍ର ଏଇ ଜନ୍ମ ଆଉ ମୃତ୍ୟୁ !

 

ପ୍ରତିମା ଦଉଡ଼ି ଆସି କହିଲା, ଦେଖିଲାଣି !

 

କ’ଣ ?

 

ଏଇ ମଣ୍ଟୁ ବାବୁ–

 

କ’ଣ ହେଲା ?

 

ଛି, ଛି, ଏତେ ଖରାପ...କୁଆଡ଼ୁ ଗୋଟାଏ ମାଗିଖାଇକୁ ଆଣି–

 

ତମର କ’ଣ ଅଛି ? ଯାଅ ତମ କାମ କର–

 

ସରଜୁ !

 

ମୁଁ ଅଛି ।

 

ପ୍ରତିମା ଚାଲିଗଲା । ତାର କିଛି ସମୟ ପରେ ଆସିଲା ସେଇ ଭିକାରୁଣୀ ଝିଅଟି । ଅପସରା ଗୋଟାଏ ନୂଆଚାଦର ଘୋଡ଼ି ହୋଇଚି । ମୁହଁ ତଳକୁ ପୋତି ପୋତି ଆସୁଥାଏ ।

 

ସଚ୍ଚି ଡ଼ାକିଲା, ଏ ଝିଅ ଶୁଣତ ।

 

ଅପସରା ପାଖକୁ ଆସି କହିଲା, କ’ଣ ?

 

କେତେ ପାଇଲ ?

 

ଦି’ ଟଙ୍କା !

 

ଅପସରା ତଳକୁ ମୁହଁପୋତି ଠିଆ ହୋଇଥାଏ । ସିଧା ଭାବରେ ଚାହିଁ ବାବୁ ହୁଏତ ଆଉ ସାହସ ନାହିଁ । ଅପସରା ନିଛକ ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲା ବୋଧହୁଏ ।

 

କିଛି ସମୟରେ ଅପସରା ଚାଲିଗଲା । ମର୍ତ୍ତ୍ୟର ଅପସରା । ମର୍ତ୍ତ୍ୟର ଏଇ ଅପସରା ଗୁଡ଼ାକ କି ସୁଲଭ ।

 

ଏ ବିସ୍କୁଟବାଲା ଦେଇଯାଆତ-ହେ ବିସ୍କୁଟ–

 

ବିସ୍କୁଟବାଲା ଆସି ପହଞ୍ଚିଲା, କେତେକର ଦେବି ?

 

ଦେ ଦି ପଇସାର ।

 

ଗୋଟାଏ ବିସ୍କୁଟ ବଢ଼ାଇ ଦେଲା ହାତକୁ । କିଛି ସମୟ ପରେ ପ୍ରତିମା ଫେରିଆସି କହିଲା, ତକିଆ ତଳେ ଦୋପଇସିଟିଏ ରଖିଥିଲି କଣ ହେଲା ?

 

ମୁଁ ଖର୍ଚ୍ଚ କରିଚି ।

 

ଆଗରୁ କହିଲ ନାହିଁ, ବିସ୍କୁଟ କିଣିଲି ଯେ–

 

ସଚ୍ଚି ପ୍ରତିମା ହାତରୁ ବିସ୍କୁଟଟା ଛଡ଼େଇ ନେଇ ବିସ୍କୁଟବାଲାକୁ ଦେଇ କହିଲା, ଯାଅ ।

 

ଛୁଆଟା ପାଇଁ ବିସ୍କୁଟ କିଣିବି ବୋଲି ଦିଟା ପଇସା ରଖିଥିଲି- ଖର୍ଚ୍ଚ କରିଦେଲ ? ବାପ ହୋଇ କୋଉଦିନ ଗୋଟାଏ ପଇସା ଦେଇଚ ଭଲା ?

 

ପରି ?

 

ପଇସାଟିଏତ ରୋଜଗାର କରିବାର ସଖ୍ୟ ନାହି; ସେଥିରେ ପୁଣି ଖର୍ଚ୍ଚ ଚାଲିଚି ।

 

ପରି ?

 

ମଣ୍ଟୁବାବୁଙ୍କୁ ଦେଖି ପରି ଭିତରକୁ ପଶିଗଲା ।

 

ଏପରି ଖାଇବାଠାରୁ ଉପାସ ରହିବା ଭଲ ।

 

ସଚ୍ଚି ପଚାରିଲା, କ’ଣ ହୋଇଚି କି ?

 

କଣ ହୋଇଚି ? ଛତୁ ହୋଇଚି । ଡାଲି ପୋଡ଼ି ଯାଇଚି, ଭାତ ପେଜୁଆ ତରକାରୀ ଲୁଣିଆ-ଆଉ କଣ ହୋଇଥାନ୍ତା ? ୟାକୁ କଣ ମଣିଷ ଖାଆନ୍ତି ? କୁକୁରବି ଛୁଇଁବନି-ଆଚ୍ଛା ହଇରାଣ ହେଲା ମଣିଷ । ମଣ୍ଟିବାବୁ ରାଗରେ ତମ ତମ ହୋଇ ଚାଲିଗଲେ ।

 

ସରଜୁ ଖାଇବ, କଣ ଖାଇବ ?

 

ସଚ୍ଚି କହିଲା, ଆଚ୍ଛା ମୋ ରିଷ୍ଟଓ୍ୟାଚଟା ଥିଲା, ଦିଅନା ଦେଖେ-ପରି ରିଷ୍ଟଓ୍ୟାଚଟା ବାହାର କରି ଦେଲା । ଗୋଟାଏ ଭଙ୍ଗା ବୋତଲ ଦେଇ କହିଲା, ଯଦି କିରାସିନ ମିଳେ ତେବେ ଆଣିବ ବୋତଲେ । ରାତିରେ ଜାଳିବାକୁ ହଇରାଣ–

 

ଗୋଟାଏ ଘଣ୍ଟା ଦୋକାନକୁ ଉଠି ସଚ୍ଚି ପଚାରିଲା, ଘଣ୍ଟା ନେବେ ? ବିକ୍ରୀ ହେବ ।

 

ଦୋକାନୀ ଘଣ୍ଟାକୁ ଏପଟ ସେପଟ କରି ଦେଖି କହିଲା, କେଉଁଠୁ ଆଣିଲ ? ଚୋରି ମାଲ ନୁହଁତ ? ଦବତ ଦିଅ, ଦଶଟା ଟଙ୍କା ଦେଉଚି ।

 

ସଚ୍ଚି ଆଖି ଖୋସି ହୋଇଗଲା । ଦଶଟଙ୍କା ! ସାଲମା ରୋଲଡ଼ ଗୋଲଡ଼ ଘଣ୍ଟା ଅତି କମରେ ଶହେରୁ କମ ହେବ ନାହିଁ ।

 

ସବୁ ଦୋକାନ ବୁଲି ବୁଲି ଚାରିଟା ବାଜିଲା, ସମସ୍ତଙ୍କର ସେଇ ଏକା କଥା । ଶେଷରେ ଗୋଟାଏ ଦୋକାନରେ ଦେଲ କୋଡ଼ିଏ ଟଙ୍କା ଆଣିଲା । ସରୁଜୁ ପାଇଁ ବିସ୍କୁଟ କିଛି କିଣି ଗୋଟାଏ ଦୋକାନକୁ ପଶିଗଲା କିରାସିନି ଆଣିବାକୁ ।

 

କାର୍ଡ଼ ଅଛି ?

 

ନାହିଁ ।

 

ତେବେ ବୋତଲ ଟଙ୍କାଏ ପଡ଼ିବ–

 

ଏତେ ବେଶୀ ?

 

କଣ ବେଶୀ ହୋଇଗଲା

 

ଚଉଦ ପଇସା ଜାଗାରେ–ଟଙ୍କାଏ !

 

ଦୋକାନୀ ହସି ଉଠିଲା ଖୁବ୍ ଜୋରରେ, ବେଶୀ ହୋଇଗଲା ନା ? କିଳାପୋତା ବଜାରରେ ଟଙ୍କାଏ କଣ ବେଶୀ ? ଏଇ ହାତ ପୁଣି ବୋତଲ ଦୁଇଟଙ୍କା କରି ବିକିଚି-ଇଚ୍ଛା ପାଉଚି ତ ନିଅ ନ ହେଲେ ନାହିଁ । ଶଶୁରଙ୍କଠାରୁ ତ ଲାଞ୍ଚ ନେଇଚି, କିଳାପୋତା ଦେଇଚି । ଆଉ ତମକୁ ଛାଡ଼ିଦେବି...

 

ବର୍ଷା ଆରମ୍ଭ ହୋଇଗଲା ।

 

ବସାରେ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ଓଦା ।

 

ସନ୍ଧ୍ୟା ହୋଇ ଯାଇଚି । ଘର ଅନ୍ଧାର । ଘର ଭିତରୁ ପରି କହିଲା, କଣ ? ସଚ୍ଚି ଘର ଭିତରକୁ ପଶିଯାଇ ରେଜା ପଇସା, ତେଲ ବୋତଲ, ବିସ୍କୁଟ ଡବାଟା ତଳେ ଥୋଇଲା ।

 

ମଣ୍ଟୁବାବୁ ପାଟି କରି କରି ଆସିଲେ, ଏ ଓଳି ରୋଷେଇ ହେବନି ନା କଣ ?

 

ପରି କହିଲା, କହିବଟି, ମୋ ଦେହ କେମିତି ଖରାପ ଲାଗୁଚି–

 

ଦେହ ଖରାପ ଲାଗୁଚି ! ଆଉ କାହା ଦିହ ଭଲ କି ?

 

ସଚ୍ଚି କହିଲା, ଏ ଓଳିଟା ଯାଉ, ପୁଣି ସକାଳୁ ରୋଷେଇ କରିବ ଯେ !

 

ଏ ଓଳି ଆରଓଳି ହୋଇ ତିନିଦିନ ଉପାସ ପଡ଼ିଲାଣି । ଆଉ କେତେଦିନ ?

 

ମଣିଷ ତ ଆମେ, ଛୁଆଟାକୁ ଜର, ତା ଦେହ ଖରାପ–

 

ଯୋଉ ମଣିଷ-ହଠାତ୍ ଘର ଭିତରକୁ ଟର୍ଚ୍ଚ ପକାଇଲେ ମଣ୍ଟୁ ବାବୁ ।

 

ଓଃ, ହାତରେ ପଇସା ହୋଇ ଗଲାଣି ନା, ଟଙ୍କା କେଉଁଠୁ ଆଣିଲ ?

 

ଘଣ୍ଟା ବିକ୍ରୀ କରି ।

 

ମୋ ଘଣ୍ଟା ନା, ଦି’ଦିନ ହେଲା ମୁଁ ଖୋଜୁଚି ।

 

ନା ମୋ ଘଣ୍ଟା–

 

ଏ ଘରଟାବିତ ତମର...ଛି ଛି ଆଛା ଚୋରକୁ ଆଣି ଘରେ ପୂରାଇଲି–

 

ପରି ବିଛଣାରୁ ଉଠି କହିଲା, ମୁଁ ଯାଉଛି ରୋଷେଇ କରିବି–

 

ମଣ୍ଟୁ ପାଟିକଲା, ନାଇଁ ଆମର ରୋଷେଇ ଦରକାର ନାହିଁ, ତମେ ବର୍ତ୍ତମାନ ଏଠୁ ଗଲ–

 

ପରି ଦୁଆରବନ୍ଧ ପାଖରେ ଚୁପ୍ ହୋଇ ଠିଆହୋଇ ରହିଲା ।

 

ମଣ୍ଟୁବାବୁ ଘର ଭିତରକୁ ଯାଇ ତେଲ ବୋତଲକୁ ବାହାରକୁ ପକାଇ ଦେଲେ, କେତେଟା ଛିଣ୍ଡାଅଖା ଦୂଆରକୁ ପକାଇ ଦେଲେ, ଟଙ୍କାକୁ ଗୋଡ଼ରେ ଘରଯାକ ବିଞ୍ଚିଦେଲେ ।

 

ଯାଅ ବର୍ତ୍ତମାନ ଯାଅ ମୋର ଦରକାର ନାହିଁ, ନ ହେଲେ ପୁଲିସକୁ ଡାକି–

 

ପରି କହିଲା, ଛୁଆଟାକୁ ଜର–ବର୍ଷା ହେଉଚି–

 

ଛୁଆଟାକୁ ଜର ! ଯୋଉତ ଜର ! ବାହାର, ନ ହେଲେ ପୁଲିସ୍.....

 

ସଚ୍ଚି କହିଲା, ମଣ୍ଟୁବାବୁ ପୁଲିସକୁ ଡାକିବାକୁ ପଡ଼ିବ ନାହିଁ, ଆମେ ଯାଉଚୁ ।

 

ପରିକୁ କହିଲା, ପରି, ସରଜୁକୁ କାଖା–

 

ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଟଙ୍କା ଗୋଟାଇଲା ସଚ୍ଚି । ଛିଣ୍ଡା ବିଛଣା ଗୋଟେଇ ଧରିଲା, ପରି କାଖେଇଲା ସରଜୁକୁ । ଦୁହେଁ ଫାଟକ ଡେଇଁ ବାହାରକୁ ଆସିଲେ । ବର୍ଷା ଖୁବ ଜୋରରେ ହେଉଚି ।

 

ପରି କାନ୍ଦ କାନ୍ଦ ହୋଇ କହିଲା, ଛୁଆଟାକୁ ଜର, ଏ ବର୍ଷାରେ ସେ ଆଉ ବଞ୍ଚିବ ?

 

ରାସ୍ତାରେ ଚାଲୁ ଚାଲୁ ସଚ୍ଚି ଉତ୍ତର ଦେଲା, ବଞ୍ଚିକରି ମରିବାକୁ ଯେ ଆମର ଜନ୍ମ ହୋଇଚି ପରି !

 

କାରଟା ମାଡ଼ିଯାଇଥାନ୍ତା, ପରି ବିକଳରେ ରାସ୍ତାର କଡ଼କୁ ଆଡ଼େଇ ହୋଇଗଲା । ନାଲିପାଣି ପଡ଼ି ପରି ଦେହଟା ନାଲିଆ ହୋଇଗଲା ।

Image

 

(ସାତ)

 

ଆଜ୍ଞା ଯୋତା ବ୍ରସ କରିବେ ? ଦୁଇଟି ପିଲା ହିନ୍ଦୀରେ ପଚାରିଲେ । ସଚ୍ଚି ସକାଳୁ ବାରଣ୍ଡାରେ ବସି ଦାନ୍ତ ଘଷୁଥିଲା । ମନାକଲା, ନାହିଁ । ପିଲା ଦୁଇଟି ପାଖକୁ ଆସି କହିଲେ, ବାବୁ ଆମେ ଶରଣାର୍ଥୀ, ପଞ୍ଜାବରୁ ଆସିଚୁ । ଯୋତା ସଫା କରଦେବୁ । ନାହିଁ କାହିଁକି କରୁଛନ୍ତି ? ସଚ୍ଚି ଅଣ୍ଟାରୁ ଅଣାଏ ବାହାର କରି ତାଙ୍କ ଆଗକୁ ଫୋପାଡ଼ି ଦେଲା । ପିଲା ଭିତରୁ ଗୋଟିଏ ସେ ଅଣିଟା ଫେରାଇ ଦେଇ କହିଲା; ବାବୁ ଆମେ ସିନା ଶରଣାର୍ଥୀ, ପଳେଇ ଆସିଚୁ କିନ୍ତୁ ଭିକ ମାଗୁନୁ । ଆମେ କଣ ମୋଚିପିଲା ? ଆମେ କୃଷକ । ଆପଣତ ଯୋତା ସଫା କଲେନି, ଆଉ ଅଣାଟେ କାହିଁକି ଦେଉଛନ୍ତି ? ଆମେ ମାଗିବାକୁ ଆସିନାହୁଁ । ସଚ୍ଚି ସେମାନଙ୍କ ମୁହଁକୁ ଅନାଇଲା । ପିଲାର ଓଠଟା ଥରୁଚି, ସେ ଯେପରି ରାଗିଯାଇଚି । ପିଲାଟି କହିଲା କଣ ଯୋତା ଦେବେ ନାହିଁ ? ସଚ୍ଚି ମୁଣ୍ଡ ହଲାଇ କହିଲା, ଯୋତା ମୋଟେ ନାହିଁରେ । ପିଲା ଦୁଇଟି ଚାଲିଗଲେ । ସଚ୍ଚି ଟିଣ ମଗରୁ ପାଣି ଢାଳି ମୁହଁ ଧୋଇଲା ।

 

କାମିଜଟା ଗଳାଇ ତା ଉପରେ କୋଟଟା ପିନ୍ଧି ବାହାରକୁ ବାହାରିଚି, ପ୍ରତିମା କହିଲା-ଆଜି ଚାଉଳ ନାହିଁ । ଡାଲି ବି ନାହିଁ । କାଠ ସରିଗଲାଣି !

 

ସଚ୍ଚି ବିରକ୍ତ ହୋଇ କହିଲା, କହିଲ ନାହିଁ ଲୁଣ ନାହିଁ, ତେଲ ନାହିଁ, କିଛି ନାହିଁ ?

 

ପ୍ରତିମା କହିଲା, ମୁଁ କଣ ମିଛ କହୁଚି ? ହାଣ୍ଡିଶାଳ ଦେଖୁନ ?

 

ସଚ୍ଚି ଚୁପ୍ ରହି ରାସ୍ତାକୁ ପାଦ ପକେଇଲା । ସରୋଜ ଦଉଡ଼ି ଆସି କୋଟଟା ପଛଆଡ଼ୁ ଭିଡ଼ିଦେଇ କହିଲା, ବାପା, ବିସ୍କୁଟ ଆଣିବ । ସଚ୍ଚି ବୁଲିପଡ଼ି ଚଟକଣାଟାଏ ପକାଇଲା, କହିଲା, ଛତୁ ଆଣିବି । ସରୋଜ କାନ୍ଦି କାନ୍ଦି ଘର ଭିତରକୁ ଚାଲିଗଲା ।

 

ସଚ୍ଚି ଛକ ପାଖକୁ ଆସି ଖଣ୍ଡେ ସିଗାରେଟ୍ କିଣି ଲଗାଇଲା ।

 

ଅମର ଘରେ ପହଞ୍ଚିଲା ସଚ୍ଚି । ଦାଣ୍ଡ ଦୁଆର ପାଖକୁ ଶୁଣାଯାଉଚି ରେଣୁର ସ୍ୱର । ରେଣୁ ତା ପାର୍ଟ ଆବୃତ୍ତି କରୁଚି ହୁଏତ ।

 

ସଚ୍ଚି ଡ଼ାକିଲା–ରେଣୁ ରେଣୁ !

 

ରେଣୁ ଆସି କବାଟ ଫିଟାଇଲା, କହିଲା, ଭାଇ କି ଦାଦି କେହି ନାହାନ୍ତି । କାଲି ସଞ୍ଜ ବେଳୁ ଗଲେଣି ଏତେ ବେଳଯାଏ ଫେରି ନାହାନ୍ତି ।

 

ସଚ୍ଚି କହିଲା, ତତେ ଏକୁଟିଆ ଛାଡ଼ିଦେଇ ଚାଲି ଯାଇଛନ୍ତି ନା ? ରେଣୁ କିଛି କହିଲାନି-। ରେଣୁ ଗୋଟାଏ ଚେୟାର ଆଣି ପକେଇ ଦେଲା ବାରଣ୍ଡାରେ । କହିଲା, ସଚ୍ଚି ଭାଇ ! ଭାଇ କହିଥେଲେ ତୁମକୁ କୁଆଡ଼େ ଗୋଟାଏ ପାର୍ଟ ଲେଖିଦେବାକୁ ? ମୁଁ ମୁଖସ୍ଥ କରିବି ଦିଅ ।

 

ପାର୍ଟ ମୁଖସ୍ଥରୁ କଣ ପାଉଚୁରେ ? ତା ଅପେକ୍ଷା ବରଂ ଗୋଟାଏ ଗୀତ ଶିଖ ।

 

ଗୀତ ତ ଶିଖିବାକୁ ଇଚ୍ଛା, କିଏ ଶିଖେଇଦେବ ? ଥିଏଟର ପାର୍ଟିତ କେଉଁ ଦିନଠୁ ଛାଡ଼ିଲେଣି । ଭାଇ ନେଇଆସିଲେ । ଖାଲି ସେଇଦିନ ଟ୍ରେନରେ ସେ ଯେଉଁ ପାର୍ଟଟା କହୁଥିଲେ ସେଇ ପାର୍ଟଟା କହୁଛନ୍ତି ସବୁବେଳେ ମୁଖସ୍ଥ କରିବାକୁ । ମୋତେ ଭଲ ଲାଗୁନି । ଗୋଟାଏ ଗୀତ ଶିଖେଇ ଦିଅ ।

 

କି ଗୀତ ଶିଖିବୁ ?

 

ବାଃ ରେ ମୁଁ କଣ ଜାଣେ ? ତମେ ଯାହା କହିବ ନା ।

 

ସଚ୍ଚି ବୋଲିଲା–

 

ଯଦି ଦୁଆରେ ଆସିଲ କମନୀୟ

 

ଆଖି ଲୋତକ ଗଲା ଯେ ଛୁଇଁ ।

 

ଆଜି ଭିତରେ ବାହାରେ ମୋର,

 

ଭୋକ, ତମରେ ପାଇଚି ମୁହଁ ।

 

ରେଣୁ କହିଲା, ଏଟା ଗୋଟିଏ କି ଗୀତ, ଆଉ ଗୋଟିଏ ଭଲ ଗୀତ ଶିଖାଇ ଦିଅନା । ଭାଇ କହୁଥିଲେ ତମକୁ କୁଆଡ଼େ ଭଲ ଗୀତ ଆସେ ।

 

ଟଂ ଟଂ ହୋଇ ନଅଟା ବାଜିଲା । ପ୍ରତିମା କହୁଥିଲା, ଆଜି ଚାଉଳ ନାହିଁ, ଡାଲି ନାହିଁ, କାଠ ନାହିଁ...କାଲି ରାତିରେ ସକାଳର ପଖାଳ ତାଟିଆଏ ଥିଲା, ତାକୁ ସମସ୍ତେ ବାଣ୍ଟି ଖାଇଥିଲେ । ଭୋକ ଆରମ୍ଭ ହୋଇ ଗଲାଣି । ମଣ୍ଟୁ ଘରେ ଥିଲାବେଳେ ଖାଇବା ଚିନ୍ତା ନଥିଲା । କାହିଁକି ଚାଲିଆସିଲା ମଣ୍ଟୁ ଘରୁ ? ଘରବାଲା ଆଜି ସକାଳେ ଆସିଥିବ ଘର ଭଡ଼ା ପାଇଁ । ଯେ ଚାହୁଁଚି ଆଗତୁରା ଭଡ଼ା । ତା ହେଲେ ସେ ବାହାର କରିଦେବ । କାଲି ମାଗୁଥିଲା, କହିଥିଲା ଆ ଦେବ ବୋଲି । ଘରବାଲା ଫେରି ଯାଇଥିବ, ତା ଉପରେ ହୁଏ ରାଗିଥିବ ।

 

ରେଣୁ କହିଲା, ଗୋଟାଏ ଭଲ ଗୀତ ଶିଖାଇ ଦିଅନା ।

 

ସଚ୍ଚି କହିଲା, ନା ମତେ ଆଉ ଗୀତ ଆସେନି ।

 

ନୃପେନ୍ଦ୍ର ଆସିଲା । ଦେହରେ କଳା ଓଭର କୋଟ । ମୁହଁ ଦାଢ଼ୀ । ଏଁ, ନୃପେନ୍ଦ୍ର କଣ ଏ ନୁହେଁ ? ନୃପେନ୍ଦ୍ର ମୁହଁରୁ ଦାଢ଼ି କାଢ଼ି ଦେଲା, କହିଲା, ଚମକୁଚ କି ? ଫଲସ ଦାଢ଼ୀ ! ରାତ୍ରି ଅଭିସାରରେ ଯାଇଥିଲି ନା ! ଦେଖିବ କାଲି ରାତ୍ରି ଅଭିସାରରୁ କଣ ମିଳିଚି ? ରେଣୁ ଗଲୁ ଚା ଦି କପ୍ ଶୀଘ୍ର ନେଇ ଆସିବୁ । ତାପରେ ପକେଟରୁ ବାହାର କଲା ତିନିଟା ବଡ଼ ସୁନାହାର, ଶହେଟଙ୍କିଆ ନୋଟ୍ ପଚିଶ ଖଣ୍ଡ । ତାପରେ ସଚ୍ଚି ହାତକୁ ଗୋଟିଏ ଫଟୋ ବଢ଼ାଇ ଦେଲା । ଗୋଟାଏ ନଗ୍ନ ନାରିମୂର୍ତ୍ତି ! ନୃପେନ୍ଦ୍ର ଖେଁ ଖେଁ ହୋଇ ହସି ଉଠିଲା ! କମ ତ ସଉକ ନୁହେଁ ? ଫାଷ୍ଟ କ୍ଳାସରେ ସାହେବ ସୁଟ ପିନ୍ଧି ଯାଉଚନ୍ତି ଅତି ଭଦ୍ର ବେଶରେ, କିନ୍ତୁ ପକେଟରେ ଏଇ ଛବି ! ତମେ ଆମ ସଂଘରେ ଯୋଗ ଦେବା କଥା କଣ କଲା ? ନା, ଚାକିରୀ କେଉଁଠୁ ପାଇଲଣି ?

 

ରେଣୁ ଚା ଦୁଇ କପ ନେଇ ଆସିଲା । ସଚ୍ଚି ଓ ନୃପେନ୍ଦ୍ର ତା ହାତରୁ ଦୁଇ କପ ଚା ନେଇ ପିଇବାକୁ ଲାଗିଲେ । ରେଣୁ କହିଲା, ଦେଖିଲ ଦାଦି, ତାଙ୍କୁ କହିଲି ଯେ ଗୋଟେ ଗୀତ ଶିଖେଇ ଦବାକୁ ନାହିଁ କରୁଛନ୍ତି । କହୁଚନ୍ତି କୁଆଡେ ଗୀତ ଆସନି–ହଁ, ସଚ୍ଚି ଭାଇ କୁଆଡେ ନୂଆ ବୋଉଙ୍କୁ ଆମ ବସାକୁ ଆଣୁଥିଲ ପରା ? କୋଉଦିନ ଆଣିବ ?
 

ସଚ୍ଚି ଚା କପଟା ରେଣୁ ହାତକୁ ବଢ଼ାଇ ଦେଇ କହିଲା, ଟିକିଏ କାମ ଅଛି, ଯାଉଚି ।

 

ସୁଧାଂଶୁ ବାବୁ ବଗିଚାରେ ଥିଲେ । ସୁଧାଂଶୁ ବାବୁ କହିଲେ, ବୁଝିଲେ ସଚ୍ଚି ବାବୁ, ଏ ଫୁଲ ଗଛ ନା କଣ କହିପାରିବେ ? ଦେଖନ୍ତୁ ମୁଁ ଚିହ୍ନେଇ ଦେଉଚି, ଏୟା ନାଁ ହେଉଚି ପପି, ୟା ନା ଲିନମ, ୟେ ରପୋମ, ବ୍ଲୁ ଭେରାଇଟି, ମତେ ବ୍ଲୁ ରଙ୍ଗଟା କେମିତି ଭଲ ଲାଗେ; ତେଣୁ ରେଡ୍ ଭେରଇଟିଟା ଆଣିଲି ନାହିଁ । ଏଇଟା କୋଚିଆ, ଆଉ ସେ ମଲ୍ଲୀବୁଦା ପାଖକୁ ଯୋଉଟା ଲାଗିଚି ଟା ନାଁ ହେଉଚି, ଜରବେରା ମିତ୍ରା ଦଉଡି ଆସିଲା । ଭାଇ ଟେଲିର କଣ ହୋଇଯାଉଚି । ବୋବଉଚି, ତଳେ ଗଡ଼ୁଚି । କଣ ହେଲା କିଛି ବୁଝି ବୁଝି ପାରୁନି–ଡାକ୍ତରକୁ ଟିକିଏ ଡକାଇ ପଠାଇଲେ ।

 

ସୁଧାଂଶୁ ବାବୁ ନିଜ କାମରେ ବ୍ୟସ୍ତ ରହି କହିଲେ, ବର୍ତ୍ତମାନ ମୁଁ ଗାର୍ଡ଼େନ ୱ୍ୟାର୍କ ଛାଡ଼ି କୁଆଡ଼େ ଯାଇ ପାରିବିନି । ଜାଣୁ, ଏ ଗାର୍ଡ଼ନରେ ଏ ବର୍ଷ ଛ’ଶ ଟଙ୍କା ଖର୍ଚ୍ଚ କଲିଣି, ଆଜି ପୁଣି ମଗାଇଚି ଶହେ ଟଙ୍କାର ମଂଜି, ଦାଣ୍ଡପଟେ ବି କରିବି ଗୋଟାଏ ଫୁଲ ବଗିଚା ଲଣ୍ଡନ ଫୁଲ...ତୋ ଟେଲି କଥା ତୁ ବୁଝ ।

 

ମିତ୍ରା କହିଲା, ଜାଣନ୍ତି ଟେଲିକି କେତେ ମୁଁ ଭଲ ପାଏ ! ସେ କିନ୍ତୁ, ତାର ଜୀବନ ଅଛି, ଆଉ ଏ ଫୁଲ ଗୁଡ଼ାକଙ୍କର କଣ ଜୀବନ ଅଛି ?

 

ସୁଧାଂଶୁ ବାବୁ ହସି ହସି କହିଲେ, ତୋର କମନ ସେନସ ଏତେ କମ ନା ? ସାର୍ ଜଗଦିଶ ଚନ୍ଦ୍ର ବୋଷ କଣ ଆବିଷ୍କାର କରିଛନ୍ତି ? ଫୁଲ ଗଛର ଜୀବନ ନାହିଁ ? ହାଃ-ହାଃ-ହାଃ–

 

ମିତ୍ରା ତାଙ୍କ ହାତ ଧରି ଭିଡ଼ି ନେଲା, ଭାଇ, ଏତେବେଳେ ଆଉ ହଇରାଣ କରନି । ଆସ, ଟେଲି ଯଦି ମରିଯାଏ । ମିତ୍ରାର ଆଖି ଛଳ ଛଳ ହୋଇ ଆସିଲା । ସୁଧାଂଶୁ ବାବୁ ଚାଲିଗଲେ।

 

ଡାକ୍ତର ଆସିଲା ବେଳକୁ ଟେଲି ଛୁଆଟାଏ ଜନ୍ମ କରି ସାରିଥିଲା । ପଶୁ ଡାକ୍ତର ବାବୁ ଫିସଟା ନେଇ ଚାଲିଗଲେ ।

 

ମିତ୍ରା ଚା ପିଉ ପିଉ କହିଲା, ମୁଁ ଭାବିଚି ଦଳେ ଭଲ କୁକୁର ରଖିବା–କମିତି ?

 

ସୁଧାଂଶୁ ବାବୁ କହିଲେ, ଅବଶ୍ୟ ମୋର ପୁନର୍ଗଠନ ଯୋଜନାରେ ସେତକ ଅଛି, ସେତେବେଳେ ଦେଖିବୁ । ସୁଧାଂଶୁ ଖାଲି ଯୋଜନା କରି ଯୋଜନରେ ପର୍ଯ୍ୟବେଶିତ କରେ ନାହିଁ, ତାକୁ କାର୍ଯ୍ୟକାରୀ ବି କରେ ।

 

ମିତ୍ରା କହିଲା, ଏ ଗାଈଗୁଡ଼ା ବିକ୍ରି କରିଦେଲେ ଭଲ ହୁଅନ୍ତା । ଦୁଧ ତ କିଣିବାକୁ ମିଳିବ-। ଗାଈର ଗୋବରଗୁଡ଼ାକ କି ଗଂଧ । ଗାଈ ଚାରିଆଡ଼େ ଅପରିଷ୍କାର କରୁଛନ୍ତି ।

 

ଚାକର ଗୋଟିଏ ଟିଣ ପାତ୍ରରେ କିଛି ମାଂସ ଆଣି ଥୋଇ ଦେଲା କୁକୁର ଆଗରେ ।

 

ମିତ୍ରା ପଚାରିଲା, ସକାଳେ ଟେଲିକି ସାବୁନ ଲଗାଇ ଗାଧୋଇ ଦେଇଥିଲନା ?

 

ହଁ ମା ।

 

ହୋପଲେଶ୍, ହଁ ମା କଣ ? ତତେ କେତେଥର ମନା କରିଚି ମା ବୋଲି କହିବୁନି ବୋଲି ।

 

ଚାକର ଚାଲିଗଲା ।

 

ପ୍ରତିମା ଯଦି ଏଇ କୁକୁର ଟେଲି ହୋଇଥାଆନ୍ତା । ସରୋଜ ଯଦି ହୋଇଥାନ୍ତା । ସୁଧାଂଶୁ ବାବୁଙ୍କ ବଗିଚାର ଗୋଟିଏ ଫୁଲ ଗଛ । ମଲାବେଳକୁ ନିଶ୍ଚୟ ଡାକିବ ସେ, ହେ ପ୍ରଭୁ, ପୁନର୍ଜନ୍ମ ଯଦି ଥାଏ, ତେବେ ଆରଜନ୍ମରେ ବଡ଼ଲୋକଙ୍କ ବଗିଚାରେ ଯେମିତି ମତେ ମୋତେ ଗୋଟିଏ ଫୁଲଗଛ କର । ମଣିଷ ଜୀବନ ନ ଦିଅ ଯେମିତି ପ୍ରଭୁ ! ମଣିଷ ଜୀବନଠୁ ଢେର ଭଲ ଏଇ ଫୁଲ ଗଛର ଜୀବନ ।

 

ୱାଲ୍‍ କ୍ଲକ୍‍ରେ ବାଜିଲା ଏଗାରଟା । ପ୍ରତିମା କହିଥିଲା, ଚାଉଳ ନାହି–ଡାଲି ନାହିଁ–କାଠ ନାହିଁ–ଜୀବନଟା କଣ ଖାଲି ନାହିଁ ରେ ନାହିଁରେ କଟିବ ?

 

ପେଟ ଭିତର ଭୋକରେ କଣ ହୋଇ ଯାଉଚି । ଦେହ ହାତ ପାଦ ମୁହଁ ସବୁ ଭୋକର ଅତ୍ୟାଚାରରେ କାନ୍ଦି ଉଠୁଚି ଯେପରି !

 

ଭଗବାନ କାହିଁକି ଦେଲ ଏ ଜୀବନ ? କାହିଁକି ?

 

ତ୍ରିଶଙ୍କୁ ସଂଘ, ମନ୍ଦ କଣ ? ଯଦି ତ୍ରିଶଙ୍କୁ ସଂଘରେ ଯୋଗ ଦେଇଥାନ୍ତା ସେଦିନୁ, ତା ହେଲେ ଏ ଅସୁବିଧା କଣ ଥାଆନ୍ତା ?

 

ଘରବାଲା ଆସିଥିବ, ଫେରିଯାଇଥିବ । ପୁଣି ଆସିବ, ପୁଣି ହୁଏ ତ ଫେରିଯିବ । ଘରୁ ବାହାର କରିଦେବ । ଆଶ୍ରୟ ? ଗମ୍ଭୀର ପ୍ରଶାନ୍ତ ପ୍ରଶସ୍ତ ଆକାଶ ତଳେ ପ୍ରଶସ୍ତ ପ୍ରାନ୍ତର ! ଚଳର ଫାଙ୍କାରେ ଝଡ଼ୁଚି କାକର, କିନ୍ତୁ ଆକାଶରେ ଫାଙ୍କ ନାହିଁ ।

 

ଟେଲି ମାଂସଗୁଡ଼ାକ ଖାଇ ଚାଲିଚି ଆଉ ବେଳେ ବେଳେ ଛୁଆକୁ ଚାଟୁଛି ।

 

ସୁଧାଂଶୁବାବୁ କହିଲେ, ଅଫିସ ସମୟ ହୋଇଗଲାଣି ଗାଧୋଇ ଯାଉଚି ।

 

ସୁଧାଂଶୁବାବୁ ଚାଲିଗଲେ ।

 

ମିତ୍ରା କହିଲା, ସେଦିନ ଫରଗେଟ୍‍ ମି ନଟ୍‍ ଫୁଲଟାଏ ଦେଇଥିଲି, ମନେ ଅଛି ନା ?

 

ସଚ୍ଚି କହିଲା, ହଁ ମନେ ଅଛି ।

 

ତାର ହାତ ଧରି ପକାଇ ମିତ୍ରା କହିଲା, ଆପଣ କୁଆଡ଼େ ଜଣେ ବଡ଼ ଐତିହାସିକ । ଆଚ୍ଛା ଲେଖନ୍ତୁନା ଏ ଫରଗେଟ୍‍ ମି ନଟ୍‍ ବିଷୟରେ ଏକ ଇତିହାସ ।

 

ସଚ୍ଚି ଟେଲିକୁ ଚାହିଁଥାଏ । ମାଂସ ଶେଷ ହୋଇ ଆସିଲାଣି । ଯଦି ଏଠି କେହି ନଥାନ୍ତେ, ତେବେ ଏଇ ମୁହୂର୍ତ୍ତରେ ଟେଲିଠୁ ସେ ଖଣ୍ଡକ ଆଣି ନିଶ୍ଚୟ ଖାଇ ଦିଅନ୍ତା !

 

ମିତ୍ରା କହିଲା, କଣ ଲେଖିବେ ?

 

ଫୁଲ ବିଷୟରେ କଣ ଇତିହାସ ଲେଖିହବ ?

 

ମୁଁ ଯଦି ଐତିହାସିକ ହୋଇଥାନ୍ତି, ତେବେ ନିଶ୍ଚୟ ଗୋଟାଏ ବଡ଼ ଇତିହାସ ଲେଖିଥାନ୍ତି ଏଇ ଫରଗେଟ୍‍ ମି ନଟ୍‍ ଫୁଲ ବିଷୟରେ ।

 

ସଚ୍ଚି ଚୁପ୍‍ ରହିଲା । ପ୍ରତିମା ଚାହିଁ ବସିଥିବ, ଚାଉଳ ଡାଲି କାଠ ନେଇଗଲେ ରୋଷେଇ ହେବ । ପକେଟରେ ଥିଲା ଅଣାଏ, ସିଗାରେଟର ଧୂଆଁରେ କୁଣ୍ଡଳୀ ଖାଇ ଆକାଶରେ ମିଶିଯାଇଛି । ଖାଲି ପକେଟରେ ପଡ଼ିଚି ଗୋଟାଏ ଖାଲି ଡିଆସିଲି ଖୋଳ । ଆଉ ପକେଟରେ ଗୋଟାଏ ପିନ୍‍କଣ୍ଟା ।

 

ମିତ୍ରା କହିଲା, ଆପଣ ସତେ ଭାରି ସରଳ ।

 

ସତେ ନା କଣ !

 

ମୁଁ–ମୁଁ–ଆପଣଙ୍କୁ ଭଲପାଏ–

 

ସଚ୍ଚି ଚୁପ ରହିଲା । ମିତ୍ରା ସଚ୍ଚିର ହାତ ହଲାଇ ଦେଇ କହିଲା, ଐତିହାସିକ ଅଥଚ ଜାଣିପାରିଲେନି ମୋ ହୃଦୟରେ ରହିଚି ଭଲପାଇବା ? ସେ ଦିନ ସେ ଫୁଲଟାରୁ କଣ ଅନୁମାନ କରି ପାରିଲେନି ? ଆଉ ମଫସଲି ଝିଅ ପରି କଣ ଲେଖିଥାନ୍ତି–

 

ଆକାଶେ ଚନ୍ଦ୍ରମା ଜଳରେ କଇଁ

 

ମନେ ରଖିଥିବ ଭୁଲିବ ନାଇଁ !

 

ସଚ୍ଚି କହିଲା, କିଛି ଆପତ୍ତି ନଥିଲା, କିନ୍ତୁ ଅସୁବିଧା ହେଉଚି ଯେ ମୁଁ ବିବାହ କରିସାରିଚି-

 

ମିତ୍ରା ଖୁବ ଜୋରରେ ହସିଉଠିଲା । କହିଲା, ମୁଁ ତ କହୁନାହି ବାହାହେବାକୁ । ମୁଁ କହୁଚି, ମୁଁ ଆପଣଙ୍କୁ ଭଲପାଏ । ବିବାହ ନ କଲେ କଣ ପ୍ରଣୟ କରାଯାଇପାରେ ନା ? ଧରନ୍ତୁ ଏଇ ଟେଲି, ଟେଲିକି ତ କେହି ବାହା ହୋଇ ନାହାନ୍ତି, କିନ୍ତୁ ସମସ୍ତେ ତା ସଙ୍ଗେ ହୁଏତ ପ୍ରଣୟ କରୁଚନ୍ତି, ପ୍ରେମ କରୁଚନ୍ତି....

 

ସରୋଜ କହିଥିଲା ବିସ୍କୁଟ ଆଣିବାକୁ । ସିଗାରେଟ ବେଶି ଦରକାରୀ ନା ବିସ୍କୁଟ ? ପାଞ୍ଚ ବର୍ଷର ସରୋଜ କଣ ଜାଣେ ଏ କଥା ?

 

ପ୍ରତିମା ଅପେକ୍ଷା କରିଥିବ ଆଉ ଆଶା କରୁଥିବ ଡାଲି, ଚାଉଳ, କାଠ-ଅପେକ୍ଷା ଅପେକ୍ଷାରେ ହିଁ ଶେଷ ହେବ ।

 

ସଚ୍ଚି ଉଠିଲା । କହିଲା, ମୁଁ ଯାଉଚି ମିତ୍ରା ଦେବୀ ।

 

ମିତ୍ରା କହିଲା, ଯାଇପାରନ୍ତି, କିନ୍ତୁ ପାଞ୍ଚଟା ବେଳକୁ ଯେପରି ଫେରି ଆସନ୍ତି, ବିଲିଅର୍ଡ଼ ଖେଳଟା ଆଜି ଆପଣଙ୍କୁ ନିଶ୍ଚୟ ଶିଖାଇ ଦେବି ।

 

ବାଟରେ ଦେଖାହେଲା ଘରବାଲା । କହିଲା, ବେଶ ଭଦ୍ରଲୋକତ । ମତେ କହିଥିଲେ ନା ଘରେ ସକାଳେ ଥିବେ ବୋଲି ? ଫାଙ୍କିଲେ ଚଳିବନି । ଆଉ ଗୋଟାଏ ଲୋକ ସାଙ୍ଗେ ସାଙ୍ଗେ ଟଙ୍କା ଯାଚୁଥିଲା, ତମକୁ କଥା ଦେଇଥିଲି ବୋଲି ତାକୁ ନାହିଁ କରିଦେଲି । ଯଦି ଆଜି ନ ଦେଇପାରିବ, ତେବେ ସଞ୍ଜବେଳକୁ ଘର ଖାଲି କରିଦେବ ।

 

ନୃପେନ୍ଦ୍ର ପାଖକୁ ଗଲେ ଧାର ମିଳନ୍ତା ।

 

ନୃପେନ୍ଦ୍ର ଘରେ ନ ଥିଲା । ରେଣୁ ରୋଷେଇ କରୁଥିଲା । ସଚ୍ଚିକୁ ଦେଖି ରୋଷେଇ ଘରୁ ବାହାରକୁ ଆସିଲ ।

 

କଣ ଆଜି ଦିଥର ଆସିଲଣି ? ଆମର ଭାଗ୍ୟ ।

 

ରେଣୁ କଣ ଟଙ୍କା କେତେଟା ଧାର ଦେବନି ? କାଲି ଠାରୁ ଉପାସ । ଘରବାଲା ଟଙ୍କାପାଇଁ ଜିଦ୍ ଧରିଚି । ନା, ରେଣୁକୁ ମାଗିବା ଠିକ୍ ହେବନି ।

 

ରେଣୁ କହିଲା, ବସ, ଦାଦା ଆସିବେ ଯେ ।

 

ସଚ୍ଚି ଚାଲିଆସିଲା ।

 

ପ୍ରଶସ୍ତ ରାଜପଥ । କାର, ରିକସା, ଘୋଡ଼ାଗାଡ଼ି ଛୁଟିଚି । ଏ ରାସ୍ତା କଣ ମନେ ରଖିବ ଦିନେ ଅଧ୍ୟାପକ-ନା-ଆଶ୍ରୟପ୍ରାର୍ଥୀ, ନା-ନା-ତାଠାରୁ ଭଲହେବ-କାଙ୍ଗାଳ ସଚ୍ଚି ବୋଷ ଯାଇଥିଲା ଉପାସରେ, ଭୋକରେ ତା ଉପରେ ?

 

ଅତୀତର କେଉଁ ମୁହୂର୍ତ୍ତରେ ଆଲାଉଦ୍ଦିନ କୁଆଡ଼େ ଗୋଟାଏ ମ୍ୟାଜିକ୍ ଦୀପ ସାହାଯ୍ୟରେ କେତେ କଥା କରିପାରୁଥିଲା । ଗୋଟାଏ ରାତିରେ ପ୍ରକାଣ୍ଡ ପ୍ରାସାଦ ତୋଳା ହୋଇଥିଲା ସେଇ ଦୀପ ସାହାଯ୍ୟରେ । ଆଉ ଗୋଟାଏ ଲୋକ କୁଆଡ଼େ ଧୂଳି ଫୁଙ୍କି ଦେଲେ ଧୂଳି ଟଙ୍କ ହୋଇ ଯାଉଥିଲା । ଆଜି ତାକୁ ଯଦି କିଏ ଶିଖାଇ ଦିଅନ୍ତା ସେ ମ୍ୟାଜିକ୍ ।

 

ପାଖ କୋଠାଘରୁ ଭାସି ଆସୁଚି ରେଡ଼ିଓର ସ୍ୱର । ଅଲଇଣ୍ଡିଆ ରେଡ଼ିଓର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଗଲାଣି । ସ୍ୱାସ୍ଥ୍ୟରକ୍ଷା ବିଷୟରେ କିଏ ଜାଣେ ବକ୍ତୃତା ଦେଉଛନ୍ତି..ଘରଠାରୁ ଟିକିଏ ଛାଡ଼ିକରି ପାଇଖାନା କରିବ, ଗୁହାଳ ଶୋଇଲା ଘରଠାରୁ ଦୂରରେ ହେବା ଦରକାର । ଖାଇବା ଜିନିଷରେ ମାଛି ବସାଇ ଦେବ ନାହିଁ-ଅଧଘଣ୍ଟାଏ ପୂର୍ବରୁ ବା ପରେ ପାଣି ପିଇବା ଉଚିତ–ସକାଳୁ ବ୍ୟାୟାମ କଲେ ଦେହ ଭଲ ରହେ। କାଙ୍ଗାଳ ସଚ୍ଚି ବୋଷ ଏଥିରୁ କେଉଁଟି ମାନିବ ତାର ସ୍ୱାସ୍ଥ୍ୟରକ୍ଷା ପାଇଁ ? ତାର କଣ ଦେହ ଅଛି ? ଅଛି ଖାଲି ହାଡ଼, ଶିରା, ଅଭାବ, ଅନାଟନ, ଖାଦ୍ୟଚିନ୍ତା-ମୃତ୍ୟୁ ଚିନ୍ତା । ସେ କଣ ମଣିଷ ? ସେ କାଙ୍ଗାଳ, ଆଶ୍ରୟପ୍ରାର୍ଥୀ, ଭିକାରୀ ।

 

ଗୋଟାଏ ଛୋଟା ଭିକାରୀ ଚାଲିଗଲା । ପିଲାମାନେ ତାକୁ ଟେକା ପକାଉଛନ୍ତି ଆଉ କହୁଛନ୍ତି, ଲେଙ୍ଗଡ଼ାଟାଏରେ ଛୋଟାଟାଏ-ଧାନ କୁଟୁଛି...ଧାନ କୁଟୁଛି-ହାଃ-ହାଃ-ହାଃ-

 

ନିକଟରେ ଥିବା ପାଣିକଳରୁ ପେଟଭରି ପାଣି ପିଇଲା ।

 

ଛବି ଅପା ହୁଏତ ଚାଲିଚି ତ ପଛେ ପଛେ । ତା କାନରେ କହୁଚି ମତେ ତମେ ସବୁ ମାରିଥିଲନା ? ପାଅ ଫଳ । ଓଃ କି ଯନ୍ତ୍ରଣା ! ପାଣି ପିଇ ଦେବାରୁ ପେଟ ବେଶି ବ୍ୟଥା କରୁଚି । ଖରାରେ ଚାଲି ଚାଲି ମୁଣ୍ଡ ବୁଲାଇବା ଆରମ୍ଭ ହୋଇ ଗଲାଣି । ଛବି ଅପା ମୁହଁରେ ଫୁଟି ଉଠିଚି ହସ-ଭଲ ହୋଇଚି–ଭଲ ହୋଇଚି–ମତେ ମାରିଥିଲ, ତମେ ସବୁ ମରିବନି ? ମରିବ–ସବୁ ମରିବ–ନିଶ୍ଚୟ ମରିବ ।

 

ସରୋଜ ଖନେଇ ଖନେଇ କହୁଚି, ବାପା ବିସ୍କୁଟ ।

 

ମିତ୍ରା ହସି ହସି କହିଲା, ବୋକା, ବୋଲି ଆଉ କାଙ୍ଗାଳ ବୋଲି ତାକୁ ଭଲପାଏ । ସଚ୍ଚି ପଛକୁ ଚାହିଁଲା, ପଛରୁ କାରଟାଏ ଆସୁଚି ।

 

ଘର ଆଗରେ ପୋଲିସ ଦେଖି ସଚ୍ଚି ଡରିଗଲା । ସେ ପଟକୁ ଠିଆ ହୋଇଚନ୍ତି ମଣ୍ଟୁବାବୁ, ଆର ପାଖକୁ ପୋଲିସ ଇନିସପେକ୍ଟର । ଆଉ କେତେ ଗୁଡ଼ାଏ ଲୋକ ।

 

ମଣ୍ଟୁବାବୁ ହାତଠାରି କହିଲେ, ଏଇ ଅଧ୍ୟାପକ ସଚ୍ଚି ବୋଷ ।

 

ଇନସପେକ୍ଟର ହସି ହସି ସଚ୍ଚି ପାଖକୁ ଆସି କହିଲେ, ଆପଣ ?

 

ସଚ୍ଚି କହିଲା, ନା, ନା, ମୁଁ ଅଧ୍ୟାପକ ସଚ୍ଚି ବୋଷ ନୁହେଁ, କାଙ୍ଗାଳ ସଚ୍ଚି ବୋଷ ।

 

ମଣ୍ଟୁବାବୁ ହସି ଉଠି କହିଲେ, ଭୁଲ କହିଲେ, କାଙ୍ଗାଳ ସଚ୍ଚି ବୋଷ ନୁହେଁ, ଡକାଏତ ସଚ୍ଚି ବୋଷ ।

 

ସଚ୍ଚି ମଣ୍ଟୁବାବୁ ମୁହଁକୁ ଚାହିଁଲା । ମଣ୍ଟୁବାବୁଙ୍କ ଓଠରେ ଖେଲି ଉଠିଚି ହସ ।

 

ପୋଲିସ ଗୋଟାଏ ହାତକଡ଼ା ଆଣି ପକାଇଲା । ସଚ୍ଚି ପଚାରିଲା, ଆରେଷ୍ଟ ?

 

ଇନସପେକ୍ଟର କହିଲେ, କାଲି ରାତିରେ ମଣ୍ଟୁ ବାବୁଙ୍କ ଘରୁ ଚୋର ଯାଇଥିଲା । ଆଜି ସକାଳ ୯ଟାରେ ପୋଲିସ ଖାନ ତଲାସ କରି ଆପଣଙ୍କ ଘରୁ ପାଇଲେ ସେ ଜିନିଷ । ପକେଟରୁ ବାହାର କଲେ ତିନିଟା ସୁନାହାର, ଗୋଟାଏ ହୀରାବସା ମୁଦି । ମନେ ପଡ଼ୁଚି ?

 

ସଚ୍ଚି ପ୍ରତିବାଦ କରି କହିଲା, ନା, ନା, ମୁଁ ଚୋରି କରିନି ।

 

ମିଛ ମିଛ–

 

ପୋଲିସ ଟ୍ରକ ସେତେବେଳକୁ ଆସି ଯାଇଥିଲା । ସଚ୍ଚିକୁ ଦୁଇଟା କନଷ୍ଟବଲ ଟାଣିନେଲେ ମଟର ଭିତରକୁ ।

 

ସଚ୍ଚି ଚାହିଁଲା ମଣ୍ଟୁଆଡ଼େ । ମଣ୍ଟୁ ତାଙ୍କ ନିଜ କାରରେ ଚଢ଼ିବାକୁ ଯାଉଚନ୍ତି ।

 

ଦୁଆର ମୁହ ପାଖରେ ସରୋଜ ଠିଆ ହୋଇ କାନ୍ଦୁଚି ପାଟିକରି । ତା ପାଖରେ ଠିଆ ହୋଇଚି ପ୍ରତିମା, ଆଖିରୁ ତାର ଲୁହ ଗଡ଼ିପଡ଼ୁଚି ।

 

ସଚ୍ଚି ଆଖିରୁ ଝରିପଡ଼ିଲା ଦୁଇ ବିନ୍ଦୁ ଲୁହ । ସେ ଲୁହର ପ୍ରତି ବିନ୍ଦୁ, ତା ଦେହର ପ୍ରତ୍ୟେକ ଅଣୁ ପରମାଣୁ ଯେପରି ଚିତ୍କାର କରି ଉଠୁଥିଲା–ହେ ଦେଶ, ତତେ ମୁଁ ଭଲପାଏ, ତତେ ମୁଁ ଭଲପାଏ ।

 

ବାଣପୁର

ଜାନୁଆରୀ : ୧୯୪୯

Image